ପୋଖରୀ ଖୋଳାରେ ଅନିୟମିତା!
ଭଣ୍ଡାରିପୋଖରୀ (ଆପ୍ର): ଏହି ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତ ଗନ୍ଧର୍ବବିନ୍ଧାରେ ମନରେଗା କାର୍ଯ୍ୟରେ ଅନିୟମିତତା ସମ୍ପର୍କରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ୨୦୨୨-୨୩ ଆର୍ଥିକ ବର୍ଷର ୫ଲକ୍ଷ ଟଙ୍କା ଅଟକଳରେ ଏହି ପ୍ରକଳ୍ପର କାର୍ଯ୍ୟ ଆରମ୍ଭ ପରେ ପ୍ରତିବାଦ ଯୋଗୁ ତ୍ରୁଟିପୂର୍ଣ୍ଣ ସୂଚନା ଫଳକ ଲୋକଲୋଚନ ଆଢୁଆଳରେ ନିର୍ମାଣ କରାଯାଇଛି । ଅନୁମୋଦିତ ଗନ୍ଧର୍ବବିନ୍ଧା ଆଦିବାସୀ ସାହିରେ ନୂତନ ପୋଖରୀ ଖୋଳା ବଦଳରେ ସୂଚନା ଫଳକରେ ତ୍ରୁଟିପୂର୍ଣ୍ଣ ଭାବେ ଗନ୍ଧର୍ବବିନ୍ଧା ଆଦିବାସୀ ସାହି ପୋଖରୀ ପୁନରୁଦ୍ଧାର ବୋଲି ଉଲ୍ଲେଖ କରାଯାଇଛି । ଏହି ପୋଖରୀ ବାସ୍ତବରେ ପର୍ବତୀ ମୌଜାର ୪୩୦ ଖାତା ଅଧୀନ ୨୩ନଂ ଖସଡ଼ାରେ ଥିବା ୫ ଏକର ଗୋଚର ଜମିରେ ଶ୍ରମିକ ପରିବର୍ତ୍ତେ ଜେସିବି ସହାୟତାରେ ଖୋଳାଯାଉଛି । ହାଇଲେବୁଲ୍ କେନାଲର ଅଣ୍ଡରପାସ ଜଳନିଷ୍କାସନ ପଥକୁ ଅବରୋଧ କରାଯାଇ ଏହି ପୋଖରୀ ଖୋଳା ଯାଉଥିବାରୁ ବର୍ଷାଜଳ ନିଷ୍କାସନରେ ବାଧାସୃଷ୍ଟି ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି । ପୂର୍ବରୁ ଭିନ୍ନଏକ ପ୍ରକଳ୍ପ ପାଇଁ ସଂପୃକ୍ତ ସ୍ଥାନରୁ ମାଟି ଖୋଳାଯିବା ଦ୍ୱାରା ଖାଲୁଆ ହୋଇଯାଇଥିଲା । ଏହାର ସୁଯୋଗ ନେଇ ନାମମାତ୍ର ଖର୍ଚ୍ଚରେ ମନରେଗା ପ୍ରକଳ୍ପ କାର୍ଯ୍ୟ କରାଯାଇ ଅର୍ଥ ଆତ୍ମସାତ୍ କରାଯିବା ମସୁଧା ହୋଇଛି ବୋଲି ଦୁର୍ଗାପ୍ରସାଦ ମହାନ୍ତି, ଜଳଧର ଖୁଣ୍ଟିଆ, ସୁନନ୍ଦ ମଲ୍ଲିକ, ମନୋଜ ପ୍ରଧାନ, ଅଜୟ ଦାସ, ଅନନ୍ତ ରାୟ, ଶଙ୍କର୍ଷଣ ଦାସ, କୁଳମଣି ସାହୁ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି କାର୍ଯ୍ୟବନ୍ଦ ପାଇଁ ଦାବି କରିଥିôବା ଜଣାଯାଇଛି ।