ଶୃଙ୍ଖଳା ବରାବର ଲକ୍ଷ୍ୟରେ ପନ୍ତ ସେନା

ରାଜକୋଟ, ୧୬ା୬ (ଏଜେନ୍ସି): ଶୁକ୍ରବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତିକରେ ଭାରତ ପାଖରେ ଶୃଙ୍ଖଳା ବରାବର କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଖରାପ ଫର୍ମ ଦେଇ ଗତି କରୁଥିବା ଅଧିନାୟକ ରିଷଭ ପନ୍ତଙ୍କୁ ଏହି ‘କର ବା ମର’ ମ୍ୟାଚ୍ରେ ଭଲ ଇନିଂସ୍ ଖେଳିବାକୁ ହେବ ଯଦ୍ଦ୍ୱାରା ମିଡିଲ୍ ଓଭର୍ଗୁଡ଼ିକରେ ଚାପରୁ ମୁକ୍ତ ରହିହେବ ।
ପନ୍ତଙ୍କ ଖରାପ ଫର୍ମ ସତ୍ତ୍ୱେ ବିଶାଖାପାଟଣାରେ ଖେଳାଯାଇଥିବା ତୃତୀୟ ମ୍ୟାଚ୍ରେ ଭାରତ ମୋଟାମୋଟି ଭଲ ପ୍ରଦର୍ଶନ କରି ସହଜ ବିଜୟ ସହ ଶୃଙ୍ଖଳାରେ ଖାତା ଖୋଲିଥିଲା । ଆୟୋଜକ ଟିମ୍କୁ ଆଉ ଏକ ପର୍ଫେକ୍ଟ ମ୍ୟାଚ୍ ଆବଶ୍ୟକ, ଯାହା ଫଳରେ ପଞ୍ଚମ ମୁକାବିଲା ନିର୍ଣ୍ଣାୟକ ହୋଇପାରିବ । ଅନ୍ୟପଟେ ଶୃଙ୍ଖଳାରେ ୨-୧ରେ ଆଗରେ ଥିବା ଦକ୍ଷିଣ ଆଫ୍ରିକାକୁ ବିଜୟ ଧାରାକୁ ଫେରିବାକୁ ଚାହିଁବ । ଶୃଙ୍ଖଳା ଜିତିବା ପାଇଁ ଭ୍ରମଣକାରୀ ଟିମ୍କୁ ଆଉ ଗୋଟିଏ ବିଜୟ ଲୋଡ଼ା ।
ଚିନ୍ତାରେ ପନ୍ତଙ୍କ ଫର୍ମ
ଯେକୌଣସି ଫର୍ମାଟ୍ରେ ଯେତେବେଳେ ପନ୍ତଙ୍କ ସମାଲୋଚନା ହୁଏ, ସେ ଚମକ୍ପ୍ରଦ ଇନିଂସ୍ ଖେଳି ସମାଲୋଚକଙ୍କ ମୁହଁ ବନ୍ଦ କରିଦିଅନ୍ତି । ଚତୁର୍ଥ ମୁକାବିଲାରେ ବି ତାଙ୍କ ପାଖରେ ଏହି ସୁଯୋଗ ଅଛି । ଦକ୍ଷିଣ ଆଫ୍ରିକାର ବୋଲର୍ ତାଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇ ତାଙ୍କୁ ମନଇଚ୍ଛା ସଟ୍ ଖେଳିବାକୁ ଦେଇ ନାହାନ୍ତି ଏବଂ ସବୁବେଳେ ସେ ଡିପ୍ରେ କ୍ୟାଚ୍ ଦେଇ ଆଉଟ୍ ହୋଇଛନ୍ତି । ତାଙ୍କୁ ଏହି ଦୁର୍ବଳତା ଦୂର କରିବାକୁ ହେବ ।
ଋତୁରାଜ-ଈଶାନଙ୍କଠୁ ଭଲ ଇନିଂସ୍ ଆଶା
ପୂର୍ବ ମ୍ୟାଚ୍ରେ ଋତୁରାଜ ଗାଏକୱାଡ଼ ଓ ଈଶାନ କିଶନ ଭାରତ ପକ୍ଷରୁ ଦମ୍ଦାର ଆରମ୍ଭ କରିଥିଲେ । ଶୃଙ୍ଖଳାରେ ଏ ଯାବତ୍ ଦୁଇଟି ଅର୍ଦ୍ଧଶତକ ଲଗାଇଥିବା ଈଶାନ ପରିପକ୍ୱ ବ୍ୟାଟିଂ କରି ମୁଖ୍ୟ ଟିମ୍ରେ ରିଜର୍ଭ ଓପନିଂ ବ୍ୟାଟର୍ ରୂପରେ ନିଜର ଦାବି ମଜଭୁତ କରିଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ତାଙ୍କ ଉପରେ ଚୟନକାରୀଙ୍କ ଧ୍ୟାନ ରହିବ । ଋତୁରାଜ ଓ ଈଶାନଙ୍କୁ ଅବଶିଷ୍ଟ ଦୁଇଟି ମ୍ୟାଚ୍ରେ ମଧ୍ୟ ଏହି ଲୟ ବଜାୟ ରଖିବାକୁ ହେବ । ଏହାପରେ ଉଭୟ ଆୟରଲାଣ୍ଡ ଗସ୍ତରେ ମଧ୍ୟ ଓପନିଂ ବ୍ୟାଟର୍ର ଭୂମିକା ନିର୍ବାହ କରିବେ ।
ଶ୍ରେୟାସଙ୍କ ଉପରେ ରହିବ ଚାପ
ସର୍ଟ ବଲ୍ର ସାମ୍ନା କରିପାରୁ ନ ଥିବା ଶ୍ରେୟାସ ଆୟର ଏ ଯାବତ୍ କୌଣସି କମାଲ୍ କରିପାରି ନାହାନ୍ତି ଏବଂ ତିନି ନମ୍ବରରେ ତାଙ୍କଠାରୁ ବଡ଼ ଇନିଂସ୍ର ଆଶା ରହିବ । ବିଶାଖାପାଟଣାରେ ଭଲ ଆରମ୍ଭ ପରେ ମିଡିଲ୍ ଓଭର୍ଗୁଡ଼ିକରେ ଭାରତୀୟ ଟିମ୍ ସଂଘର୍ଷ କରୁଥିବାର ଦେଖିବାକୁ ମିଳିଥିଲା । ଶେଷ ବେଳକୁ ହାର୍ଦ୍ଦିକ ପାଣ୍ଡ୍ୟା ୨୧ ବଲ୍ରୁ ଅପରାଜିତ ୩୧ ରନ୍ କରି ଟିମ୍ର ସ୍କୋର୍କୁ ୧୮୦ ଅତିକ୍ରମ କରାଇଥିଲେ । ଏବେ ମଧ୍ୟକ୍ରମ ବ୍ୟାଟର୍ମାନଙ୍କୁ ଦାୟିତ୍ୱ ସମ୍ପନ୍ନ ହୋଇ ଖେଳିବାକୁ ହେବ । କାରଣ ଆଉ ଗୋଟିଏ ମ୍ୟାଚ୍ ହାରିବା ସ୍ଥଳେ ଶୃଙ୍ଖଳା ହାତରୁ ଚାଲିଯିବ ।
ଚହଲ ଓ ଅକ୍ଷର କରିଥିଲେ ପ୍ରଭାବିତ
ପୂର୍ବ ମ୍ୟାଚ୍ରେ ମିଡିଲ୍ ଓଭର୍ଗୁଡ଼ିକରେ ଯୁଜବେନ୍ଦ୍ର ସିଂହ ଚହଲ ଓ ଅକ୍ଷର ପଟେଲ୍ଙ୍କ ଭଳି ସ୍ପିନର୍ ଭଲ ପ୍ରଦର୍ଶନ କରିଥିଲେ । ଅକ୍ଷର ଇକୋନୋମୀ ବୋଲିଂ କରିଥିବା ବେଳେ ଚହଲ ୱିକେଟ୍ ନେବାରେ ସଫଳ ହୋଇଥିଲେ । ପେସ୍ ବୋଲିଂରେ ଭୁବନେଶ୍ୱର କୁମାର ଭଲ ବୋଲିଂ କରୁଛନ୍ତି । ହର୍ଷଲ ପଟେଲ୍ ନିଜ ବିବିଧତାର ଦମ୍ରେ ଚାରି ୱିକେଟ୍ ନେଇଥିଲେ । ଆଭେଶ ଖାଁ ଭଲ ବୋଲିଂ କରିଥିଲେ ବି ୱିକେଟ୍ ପାଇ ନ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *