ପ୍ରଶ୍ନ ଘେରରେ ଅଗ୍ନିବୀର
ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ‘ଅଗ୍ନୀପଥ ଯୋଜନା’କୁ ଦେଶର କେତେକ ପ୍ରାନ୍ତରେ ତୀବ୍ର ବିରୋଧ ଆରମ୍ଭ ହୋଇଯାଇଛି । ମଙ୍ଗଳବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଅଗ୍ନିପଥ ଯୋଜନା ଘୋଷଣା କରାଯିବାର ଦିନକ ପରେ ଅର୍ଥାତ୍ ବୁଧବାର ଦିନ ବିହାର, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିହାର ବକ୍ସର ଜିଲ୍ଲାରେ ବିକ୍ଷୋଭକାରୀମାନେ ରେଲୱେ ଟ୍ରାକ୍ଗୁଡ଼ିକୁ ଜାମ୍ କରିଦେଇଥିବା ବେଳେ ମୁଜାଫରପୁରରେ ମାଡ଼ିପୁର ଅଞ୍ଚଳରେ ପୋଡାଜଳା କରିଥିବା ଦେଖିବାକୁ ମିଳିଛି । ଏପରିକି ମୁଜାଫରପୁରରେ ଥିବା ଆର୍ମି ରିକ୍ରୁ୍ୟଟମେଣ୍ଟ ଅଫିସ୍ ଆଗରେ ମଧ୍ୟ ବିକ୍ଷୋଭକାରୀମାନେ ହଙ୍ଗାମା କରିଥିଲେ । ଏତଦ୍ବ୍ୟତୀତ ଆରା ଅଞ୍ଚଳରେ ମଧ୍ୟ ବିକ୍ଷୋଭକାରୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି । ପୁଲିସ୍ ଏବଂ ଜିଆରପି (ରେଲୱେ ପୁଲିସ୍) ପ୍ରଦର୍ଶନକାରୀଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲେ । ଓଲଟା ବିକ୍ଷୋଭକାରୀମାନେ କେନ୍ଦ୍ର ସରକାର ତୁରନ୍ତ ଏପ୍ରକାର ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ ଦାବିରେ ଅଡ଼ି ବସିଥିଲେ । ବେଗୁସରାଇରେ ଜାତୀୟ ରାଜପଥକୁ ବିକ୍ଷୋଭକାରୀମାନେ ବନ୍ଦ କରିଦେଇଥିଲେ । ଅନ୍ୟପକ୍ଷେ ଉତ୍ତରପ୍ରଦେଶରେ ଆମ୍ବେଦକରନଗର ଜିଲ୍ଲାରେ ମଧ୍ୟ ବଡ଼ ଧରଣର ନାରାବାଜି ହୋଇଥିବା ଦେଖିବାକୁ ମିଳିଛି । ହଜାର ହଜାର ସଂଖ୍ୟକ ଯୁବକ ରାସ୍ତାକୁ ଓହ୍ଲାଇଆସିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଏପ୍ରକାର ଯୋଜନାକୁ ବିରୋଧ କରିଥିଲେ । ରାଜସ୍ଥାନର ଜୟପୁରରେ ମଧ୍ୟ ଯୁବଗୋଷ୍ଠୀ ପ୍ରତିବାଦ ପ୍ରଦର୍ଶନ କରିବା ସହ ଅଗ୍ନୀପଥ ଯୋଜନାକୁ ତୁରନ୍ତ ରଦ୍ଦ କରିବାକୁ ଦାବି କରିଛନ୍ତି ।
କେନ୍ଦ୍ର ସରକାର ଏପ୍ରକାର ନିଷ୍ପତ୍ତି ନେବା ପଛରେ ସେନାରେ ଦରମା ଏବଂ ପେନସନ୍ ବାବଦ ଖର୍ଚ୍ଚକୁ କମ୍ କରିବା ପାଇଁ ଏପରି ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି । ଅନ୍ୟପକ୍ଷେ ସେନାର କିଛି ବରିଷ୍ଠ ଅଧିକାରୀ ଏଭଳି ଏକ ଯୋଜନା ଉପରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଉଠାଇଛନ୍ତି । ଏମାନଙ୍କ କହିବାନୁସାରେ ଯେତେବେଳେ ପୂର୍ବରୁ ସେନାର ଜଣେ ଯବାନ୍ଙ୍କୁ ୪୨/୪୮ ସପ୍ତାହର ଟ୍ରେନିଂ ପ୍ର୍ରକ୍ରିୟା ଦେଇ ଯିବାକୁ ପଡୁଥିଲା ସେତେବେଳେ ଅଗ୍ନୀପଥ ଯୋଜନାରେ ମାତ୍ର ୬ ମାସ ଅର୍ଥାତ୍ ୨୪ ସପ୍ତାହରେ ପ୍ରଶିକ୍ଷଣ ଶେଷ କରିବାକୁ ହେବ । ଏହି ସମୟ ସୁଦ୍ଧା ଯୁଦ୍ଧର ସମସ୍ତ ପ୍ଲାଟଫର୍ମରେ ଜଣେ ଯବାନ କିପରି ପାରଙ୍ଗମ ହେବା ସମ୍ଭବ ହୋଇପାରିବ? ଏତଦ୍ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ କହିବାନୁସାରେ ଅଗ୍ନୀପଥ ଯୋଜନାରେ ଭର୍ତ୍ତି ହେଉଥିବା ଯବାନ୍ଙ୍କ ମଧ୍ୟରୁ ୭୫%ଙ୍କୁ ୪ବର୍ଷ ପରେ ସେବାନିବୃତ୍ତି ଦିଆଯିବ । ଅର୍ଥାତ୍ ୪ବର୍ଷ ପରେ ଏହି ଅଗ୍ନୀବୀରଙ୍କ ଭବିଷ୍ୟତ କ’ଣ ହେବ ସେସମ୍ପର୍କରେ କେନ୍ଦ୍ର ସରକାର ଚିନ୍ତା କରିନାହାନ୍ତି । ଏତଦ୍ବ୍ୟତୀତ ସବୁଠୁ ବଡ଼ ପ୍ରସଙ୍ଗ ହେଉଛି ଆଜିର ଯୁବଗୋଷ୍ଠୀଙ୍କ ମଧ୍ୟରେ ସେନାରେ ଭର୍ତ୍ତି ହେବାର ଏକ ନିଆରା ଉନ୍ମାଦ ଦେଖିବାକୁ ମିଳୁଛି । ଅଗ୍ନୀପଥ ଯୋଜନା ଅନ୍ତର୍ଗତ ସେମାନଙ୍କ କାର୍ଯ୍ୟକାଳକୁ ମାତ୍ର ୪ବର୍ଷ ମଧ୍ୟରେ ସୀମିତ କରିଦିଆଗଲେ ସେମାନଙ୍କ ମଧ୍ୟରେ ଦେଶସେବା ପ୍ରତି ଥିବା ନିଷ୍ଠା ଉପରେ ମଧ୍ୟ ଗଭୀର ପ୍ରଭାବ ପଡ଼ିବ । ସେନାରେ ଭର୍ତ୍ତି ହେବା ପାଇଁ ପୂର୍ବରୁ ଜଣେ ଆଶାୟୀ ୪ବର୍ଷ ଧରି ଅଭ୍ୟାସ କରୁଥିବା ବେଳେ ଏବେ ୪ବର୍ଷର ଚାକିରୀ ପାଇଁ ୪ ବର୍ଷର ଅଭ୍ୟାସ କରିବାକୁ କୌଣସି ଯୁବକ/ ଯୁବତୀ ହୁଏତ ପସନ୍ଦ କରିନପାରନ୍ତି ବୋଲି ସେନାର ଅବସରପ୍ରାପ୍ତ କେତେକ ଅଧିକାରୀ ମତବ୍ୟକ୍ତ କରିଛନ୍ତି ।
ଦେଶର ୩ ସେନା ସେନାବାହିନୀରେ ବିପୁୂଳ ସଂଖ୍ୟାରେ ଯୁବକ/ଯୁବତୀଙ୍କ ଭର୍ତ୍ତି ପାଇଁ କେନ୍ଦ୍ର ସରକାର ଗତ ୧୪ତାରିଖ ଦିନ ‘ଅଗ୍ନୀପଥ’ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି । ତେବେ ସେନାରେ ଭର୍ତ୍ତି ହେବା ଏବଂ ଦେଶସେବା କରିବା ଭଳି ଏକ ମହତ୍ କାମ ପାଇଁ ମାତ୍ର ୪ବର୍ଷର ସୁଯୋଗ ଦିଆଯିବାକୁ ଯୁବଗୋଷ୍ଠୀ ବିରୋଧ କରୁଛନ୍ତି । ଯୁବପୀଢ଼ିଙ୍କ କହିବାନୁସାରେ ଅଗ୍ନୀପଥ ଯୋଜନା ଅର୍ନ୍ତଗତ କାର୍ଯ୍ୟକାଳ ଅବଧିକୁ ଅଧିକ (ପୂର୍ବର ସେନା ଭର୍ତ୍ତି ନିୟମ ଅନ୍ତର୍ଗତ) କରାଯିବା ଉଚିତ୍ । ସେନାର ନିଯୁକ୍ତି ପ୍ରକ୍ରିୟାକୁ ନେଇ ମଧ୍ୟ ଯୁବପୀଢ଼ି ବେଶ୍ ଅସନ୍ତୁଷ୍ଟ ଥିବା କହିଛନ୍ତି । ମେଡିକାଲ ଏବଂ ଫିଜିକାଲ ଟେଷ୍ଟ ଶେଷ ହେବା ପରେ ବର୍ଷ ବର୍ଷ ଧରି ଲିଖିତ ପରୀକ୍ଷା କରାଯାଉନଥିବା ଭଳି କେତେକ ଆଶାୟୀ ଅଭିଯୋଗ କରିଛନ୍ତି । କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ରାଜନୈତିକ ସ୍ତରରେ ମଧ୍ୟ ବିରୋଧ କରାଯାଉଛି । କଂଗ୍ରେସ, ଆରଜେଡି ସମେତ ଅନେକ ବିରୋଧୀ ଦଳ ଏପ୍ରକାର ଯୋଜନାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆସନ୍ତା ୯ଠ ଦିନ ମଧ୍ୟରେ ଏହି ଯୋଜନା ଅନ୍ତର୍ଗତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜଣାପଡିଛି ।