ହାର୍ଦ୍ଦିକ କ୍ୟାପ୍ଟେନ୍

ଆୟରଲାଣ୍ଡ ଟି-୨ଠ ଶୃଙ୍ଖଳା
ନୂଆଦିଲ୍ଲୀ, ୧୫ା୬ (ଏଜେନ୍ସି): ଆୟରଲାଣ୍ଡ ଗସ୍ତରେ ଦୁଇ ମ୍ୟାଚ୍ ବିଶିଷ୍ଟ ଦ୍ୱିପାକ୍ଷିକ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ପାଇଁ ବୁଧବାର ଭାରତୀୟ ଟିମ୍ ଘୋଷଣା କରାଯାଇଛି । ଆଇପିଏଲ୍ ୨୦୨୨ରେ ନବାଗତ ଗୁଜରାଟ ଟାଇଟନ୍ସକୁ ଚାମ୍ପିଅନ୍ କରାଇଥିବା ପେସ୍ ବୋଲିଂ ଅଲ୍ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ର ନେତୃତ୍ୱ ଦାୟିତ୍ୱ ଦିଆଯାଇଛି । ଟି-୨୦ରେ ସେ ଭାରତର ନବମ ଅଧିନାୟକ ହେବେ । ପେସର୍ ଭୁବନେଶ୍ୱର କୁମାରଙ୍କୁ ଉପ-ଅଧିନାୟକ ମନୋନୀତ କରାଯାଇଛି ।
ବ୍ୟାଟର୍ ସୂର୍ଯ୍ୟକୁମାର ଯାଦବ ଓ ୱିକେଟ୍କିପର୍-ବ୍ୟାଟର୍ ସଞ୍ଜୁ ସାମ୍ସନ୍ ଟିମ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଚଳିତ ବର୍ଷ ଆଇପିଏଲ୍ରେ ସଞ୍ଜୁଙ୍କ ନେତୃତ୍ୱରେ ରାଜସ୍ଥାନ ରୟାଲ୍ସ ଫାଇନାଲ୍ରେ ସ୍ଥାନ ପାଇଥିଲା । ଲିଗ୍ର ପଞ୍ଚଦଶ ସଂସ୍କରଣରେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଉତ୍ତମ ପ୍ରଦର୍ଶନ କରିଥିବା ମହାରାଷ୍ଟ୍ରର ବ୍ୟାଟର୍ ରାହୁଲ ତ୍ରିପାଠୀଙ୍କୁ ନୂଆମୁହଁ ଭାବେ ଟିମ୍ରେ ସାମିଲ୍ କରାଯାଇଛି । ୱିକେଟ୍କିପିଂ ଦାୟିତ୍ୱରେ ଦିନେଶ କାର୍ତ୍ତିକ ରହିଛନ୍ତି । ଏହାଛଡ଼ା ଈଶାନ କିଶନ ଓ ସଞ୍ଜୁଙ୍କ ରୂପରେ ଟିମ୍ରେ ଆଉ ଦୁଇ ଜଣ ୱିକେଟ୍କିପର୍-ବ୍ୟାଟର୍ ମଧ୍ୟ ଉପଲବ୍ଧ ଅଛନ୍ତି ।
ଜୁନ୍ ୨୬ ଓ ୨୮ରେ ଡବଲିନ୍ ଠାରେ ଆୟରଲାଣ୍ଡ ବିପକ୍ଷ ଟି-୨୦ ମ୍ୟାଚ୍ ଖେଳାଯିବ । ଏହି ସମୟରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତର ମୁଖ୍ୟ ଟିମ୍ ଇଂଲଣ୍ଡରେ ଥିବ । ଏହାଛଡ଼ା ଏବେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଘରୋଇ ଟି-୨୦ ଶୃଙ୍ଖଳାରେ ଟିମ୍ର ଅଧିନାୟକତ୍ୱ ସମ୍ଭାଳୁଥିବା ରିଷଭ ପନ୍ତ ଏହାପରେ ଇଂଲଣ୍ଡ ଗସ୍ତରେ ଯାଇ ଟେଷ୍ଟ ଟିମ୍ ସହ ଯୋଗ ଦେବେ । ଏହାକୁ ଦୃଷ୍ଟିରେ ରଖି ଟିମ୍ର ଉପ-ଅଧିନାୟକ ଥିବା ହାର୍ଦ୍ଦିକଙ୍କୁ ଆୟରଲାଣ୍ଡ ଗସ୍ତ ପାଇଁ ଅଧିନାୟକ ମନୋନୀତ କରାଯାଇଛି ।
ଟି-୨୦ ବିଶ୍ୱକପ୍ ୨୦୨୧ ପରେ ପଡ଼ିଆରୁ ଦୂରରେ ଥିବା ହାର୍ଦ୍ଦିକ ଆଇପିଏଲ୍ ୨୦୨୨ରେ ପ୍ରତ୍ୟାବର୍ତ୍ତନ କରିଥିଲେ ଏବଂ ପ୍ରଥମ ସିଜନ୍ରେହିଁ ଗୁଜରାଟ ଟାଇଟନ୍ସକୁ ବିଜେତା କରାଇଥିଲେ । ବିସିସିଆଇ ଏହାର ପୁରସ୍କାର ହାର୍ଦ୍ଦିକଙ୍କୁ ଦେଇଥିଲା । ପ୍ରଥମେ ଦକ୍ଷିଣ ଆଫ୍ରିକା ବିପକ୍ଷ ଶୃଙ୍ଖଳାରେ ଟିମ୍ର ଉପ-ଅଧିନାୟକ କରାଯାଇଥିଲା ଆଉ ଏବେ ଆୟରଲାଣ୍ଡ ଗସ୍ତ ପାଇଁ ସେ ଅଧିନାୟକ ହେବେ ।
ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଶୃଙ୍ଖଳା ପାଇଁ ମନୋନୀତ ଟିମ୍ର ପନ୍ତଙ୍କ ଛଡ଼ା ଅନ୍ୟ ଦୁଇ ଖେଳାଳି – ଲୋକେଶ ରାହୁଲ ଓ କୁଲଦୀପ ଯାଦବଙ୍କୁ ଆଘାତଜନିତ କାରଣରୁ ସାମିଲ୍ କରାଯାଇ ନାହିଁ । ଉଭୟ ଏ ଯାଏଁ ଫିଟ୍ ହୋଇପାରି ନାହାନ୍ତି ।
ଭାରତୀୟ ଟି-୨ଠ ଟିମ୍ (ଆୟରଲାଣ୍ଡ ଗସ୍ତ)
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଭୁବନେଶ୍ୱର କୁମାର (ଉପ-ଅଧିନାୟକ), ଈଶାନ କିଶନ, ଋତୁରାଜ ଗାଏକୱାଡ଼, ସଞ୍ଜୁ ସାମ୍ସନ୍, ସୂର୍ଯ୍ୟକୁମାର ଯାଦବ, ଭେଙ୍କଟେଶ ଆୟର, ଦୀପକ ହୁଡ଼ା, ରାହୁଲ ତ୍ରିପାଠୀ, ଦିନେଶ କାର୍ତ୍ତିକ (ୱିକେଟ୍କିପର୍), ଯୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ହର୍ଷଲ ପଟେଲ, ଅଭେଶ ଖାଁ, ଅର୍ଶଦୀପ ସିଂହ, ଉମରାନ ମଲିକ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *