ମୌସୁମୀ ପ୍ରବେଶ

ଭୁବନେଶ୍ୱର, ୧୬ା୬ (ବୁ୍ୟରୋ): ରଜରେ ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଗୁରୁବାର ମୌସୁମୀ ବାୟୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଅଞ୍ଚଳ ଛୁଇଁଛି । କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ମୌସୁମୀ ସମ୍ପୂର୍ଣ୍ଣ ଭାବେ ଓ ନୂଆପଡ଼ା, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାକୁ ଆଂଶିକ ଭିଜାଇଛି । ଖୁବ୍ ଶୀଘ୍ର ସାରା ରାଜ୍ୟରେ ମୌସୁମୀ ସକ୍ରିୟ ହେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମ୍ଡି) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଆଇଏମ୍ଡିର ବରିଷ୍ଠ ବୈଜ୍ଞାନିକ ରାଜେନ୍ଦ୍ର ଜେନାମଣି କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗତ ୨୪ ଘଣ୍ଟାରେ ଏସବୁ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ୨୪ରୁ ୨୮ ମିଲିମିଟର, କୋରାପୁଟ ଜିଲ୍ଲାରେ ୪୬.୬ ମିଲିମିଟର, ନବରଙ୍ଗପୁର ଜିଲ୍ଲାରେ ୪୬ ମିଲିମିଟର, ନୂଆପଡ଼ା ଜିଲ୍ଲାରେ ୩୯ ମିଲିମିଟର ଓ ରାୟଗଡ଼ା ଜିଲ୍ଲାରେ ୩୦ରୁ ୪୦ ମିଲିମିଟର ବର୍ଷା ହୋଇଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଆସନ୍ତା ଦୁଇରୁ ତିନି ଦିନ ଭିତରେ ଆଉ କିଛି ଜିଲ୍ଲାକୁ ମୌସୁମୀ ଛୁଇଁବ ବୋଲି ଜେନାମଣି କହିଛନ୍ତି ।
ମୌସୁମୀ ବାୟୁ ଓଡ଼ିଶା ଛୁଇଁବା ପୂର୍ବରୁ ପ୍ରାକ୍ ମୌସୁମୀ ସକ୍ରିୟ ହୋଇଥିଲା । ଏହାର ପ୍ରଭାବରେ ବୁଧବାର ଯାଜପୁର ଜିଲ୍ଲାର କୋରେଇ ଅଧିକ ବର୍ଷା ହୋଇଛି । ଜେନାପୁରରେ ମଧ୍ୟ ପ୍ରବଳ ବର୍ଷା ହୋଇଛି ।
ପ୍ରାକ୍ ମୌସୁମୀ ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଏହା ବ୍ୟତୀତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଥିବା ଜିଲ୍ଲାରେ ମଧ୍ୟ ବର୍ଷା ହେବ ବୋଲି ଜେନାମଣି କହିଛନ୍ତି ।
ମୌସୁମୀ ପ୍ରଭାବରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭଲ ବର୍ଷା ହୋଇଛି । ବଙ୍ଗୋପ ସାଗରରେ ମୌସୁମୀ କମ୍ ସକ୍ରିୟ ରହିଛି କିନ୍ତୁ ଧୀରେ ଧୀରେ ଉତ୍ତର ବଙ୍ଗୋପସାଗରେ ନୂଆ ମେଘ ଖଣ୍ଡ ସୃଷ୍ଟି ହେଉଛି ।
ସେ କହିଛନ୍ତି, ମୌସୁମୀ ବାୟରୁ ଏକ ବଳୟ ଭବାନୀପାଟଣା, ରାୟଗଡା ଦେଇ କଲିଙ୍ଗାପାଟନମ୍ ଯାଉଛି । ଆସନ୍ତା ଦୁଇ ଦିନରେ ପ୍ରାୟ ସମସ୍ତ ଜିଲ୍ଲାକୁ ମୌସୁମୀ ବଢିବ । ତେଣୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବା ସମ୍ଭାବନା ନାହିଁ । ଏହି ସମୟରେ ଉତ୍ତର ଆଭ୍ୟନ୍ତରୀଣ ଓଡିଶା, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ସୋନପୁର, ବଲାଙ୍ଗୀର, ନୁଆପଡା, ବାଲେଶ୍ୱର ଏବଂ ଭଦ୍ରକ୍ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ, ସାଧାରଣତଃ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୦ ରେ ଓଡିଶାରେ ପହଞ୍ଚିଥାଏ । ଜୁନ୍ ୧୫ କିମ୍ବା ୧୬ ସୁଦ୍ଧା ଓଡିଶାରେ ମୌସୁମୀ ପ୍ରାବହ ଘଟିବ ବୋଲି ଆଇଏମଡି ପୂର୍ବାନୁମାନ କରିଥିଲା । ଏବେ ରାଜ୍ୟକୁ ମୌସିୁମୀ ପ୍ରବେଶ କରିଥିବାରୁ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *