ଉଠିଲା ୩ ରଥର ଚଉଦ ନାହାକା
ପୁରୀ (ବୁ୍ୟରୋ): ୧୪ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଦ୍ରୁତଗତିରେ ଜାରି ରହିଛି ରଥ ନିର୍ମାଣ । ତିନିରଥର ଦଣ୍ଡାରେ ୯ଟି ଲେଖାଁଏ ‘ଖଦି ଓରା’ ରେ କାପ ସହ ବିନ୍ଧ ହୋଇ କଣ୍ଟା ବସିବା ପରେ ତିନିରଥର ଚାରିନାହାକା ଚତୁଃପାଶ୍ୱର୍ରେ ‘ଚଉଦ ନାହାକା’ ଉଠିଛି । ତିନିରଥର ୧୪ ନାହାକା ଉଠିବା ପରେ ତିନିରଥର ଦୁଇଟି ଭୂଇଁ ରଥ ଉପରେ ସେଟିଙ୍ଗ ସମ୍ପୂର୍ଣ୍ଣ ହୋଇଛି । ଶୁକବ୍ରାର ତିନି ରଥରେ ଦୁଇଟି ଲେଖାଁଏ ‘ଢ଼ମକ’ ଉଠି କଣ୍ଟା ବାଡ଼ିଆ ପରେ ତିନିରଥର ତୃତୀୟ ଭୂଇଁ ସଂଯୋଗ ହୋଇ ପୋଟଳ ଖମ୍ବୀ ଏବଂ ପୋଟଳ ପାରେଣି ଖଞ୍ଜାଯିବ ।
ଏଥିସହ ଆଜି ତିନିରଥର ବଡ଼- ଧାରା ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ, ତିନି ପରସ୍ତ ପୋଟଳ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । ତିନିରଥର ରୂପକାର ସେବକମାନେ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖିଛନ୍ତି । ତିନିରଥର ପାଶ୍ୱର୍ ଦେବଦେବୀ, ଶିଖର ଡମ୍ବରୁ ଏବଂ ସଖି ଇତ୍ୟାଦିରେ ଚିତ୍ରକାର ସେବକମାନେ ରଙ୍ଗ କାର୍ଯ୍ୟ ଆରମ୍ଭ କରିଛନ୍ତି । ଅସ୍ଥାୟୀ କମାର ଶାଳରେ ତିନିରଥର ଓଝା ସେବକମାନେ ତିନିରଥର ଭୂଇଁ ପାଇଁ ବିଡିଆ କଣ୍ଟା, ପୋଟଳ ଓରା କଣ୍ଟା ନିର୍ମାଣ ସହ ତୃତୀୟ ଭୁଇଁ ଉପର ଗୋଡ଼ି- ଛାଲ କଣ୍ଟା, ବାଗିଆ କଣ୍ଟା ନିର୍ମାଣ ଜାରି ରଖିଛନ୍ତି ।