ଝୁକେଗା ନହିଁ ହିନ୍ଦୁସ୍ତାନ
ପିଏମ୍ କିଷାନ୍ ଯୋଜନାକୁ ନେଇ ବିଶ୍ୱବ୍ୟାପୀ ଚର୍ଚ୍ଚା
ନୂଆଦିଲ୍ଲୀ (ଏଜେନ୍ସି): ଭାରତରେ ଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଏଗ୍ରିକଲ୍ଚରାଲ ସବ୍ସିଡି (କୃଷି ରିହାତି)କୁ ନେଇ ଏବେ ଆମେରିକା ସମେତ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତା ବଢ଼ିବାରେ ଲାଗିଛି । ଭାରତ ସରକାରଙ୍କ ଏହି ନୀତିକୁ ଆମେରିକା ଭଳି ଶକ୍ତିଶାଳୀ ଦେଶ ସମେତ ପୂରା ୟୁରୋପ ମହାଦେଶର ଅଧିକାଂଶ ରାଷ୍ଟ୍ରଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି । ୧୨ ଜୁନ୍-୧୫ ଜୁନ୍ ମଧ୍ୟରେ ଜେନିଭା ଠାରେ ୱାର୍ଲ୍ଡ ଟ୍ରେଡ୍ ଅର୍ଗାନାଇଜେସନ୍ (ଡବ୍ଲୁ୍ୟଟିଓ) ବୈଠକ ଅନୁଷ୍ଠିତ ହୋଇଯାଇଥିବା ବେଳେ ଭାରତର ପିଏମ୍ କିଷାନ୍ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିବା ଏବଂ ଏଥିରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଭାରତର ଏହି ଯୋଜନାକୁ ବନ୍ଦ କରିବାକୁ ଦାବି କରିଥିବା ଜାଣିବାକୁ ମିଳିଛି । ଏପରିକି ଆମେରିକାର ପ୍ରାୟ ୨୮ଜଣ ସିନେଟର (ସାଂସଦ) ଭାରତ ବିରୋଧରେ ଅନ୍ତର୍ଜାତୀୟ ଫୋରମ୍ରେ ମାମଲା ଦାୟର କରିବାକୁ ମଧ୍ୟ ଧମକ ଦେଇଥିଲେ । ଏମାନେ ନିଜ ଦେଶର ରାଷ୍ଟ୍ରପତି ଜୋ ବାଇଡନ୍ଙ୍କୁ ମିଳିତ ଭାବେ ଚିଠି ଲେଖି ଭାରତ ଡବ୍ଲୁ୍ୟଟିଓ ନିୟମ ଉଲ୍ଲଂଘନ କରୁଥିବା (ଖାଦ୍ୟଶସ୍ୟର ଉତ୍ପାଦନ ମୂଲ୍ୟର ୧ଠ%ରୁ ଅଧିକ ସବ୍ସିଡି ପ୍ରଦାନ) ଅଭିଯୋଗ ଆଣିଥିଲେ ।
ସୂଚନାଯୋଗ୍ୟ, ୧୬୪ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଡବ୍ଲୁ୍ୟଟିଓର ଜି-୩୩ ଗ୍ରୁପ୍ର ୪୭ ଦେଶର ବିଭାଗୀୟ ମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭାରତ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ ଏଥିରେ ଯୋଗଦେଇଥିଲେ । ଏହି ୪ଦିନିଆ ବୈଠକରେ ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ପ୍ରଥମତଃ କୃଷି ରିହାତି (ଏଗ୍ରିକଲ୍ଚରାଲ ସବ୍ସିଡି) ବ୍ୟବସ୍ଥାକୁ ଶେଷ କରିବା, ଦ୍ୱିତୀୟତଃ ମାଛ ମାରିବା ଉପରେ ଅନ୍ତର୍ଜାତୀୟ ଆଇନ୍ ପ୍ରଣୟନ କରାଯିବା ଏବଂ ତୃତୀୟରେ କୋଭିଡ୍ ଭାକ୍ସିନ୍ ପେଟେଣ୍ଟ (ସତ୍ତ୍ୱାଧିକାର) ଉପରେ ନୂଆ ନିୟମ ଲାଗୁ କରିବା ଭଳି ପ୍ରସଙ୍ଗ ଉପରେ ଏହି ଅନ୍ତର୍ଜାତୀୟ ମଞ୍ଚଳରେ ବ୍ୟାପକ ଆଲୋଚନା ହୋଇଥିଲା । ଏଥିରେ ଆମେରିକା, ୟୁରୋପ, ଏବଂ ଅନ୍ୟ ଶକ୍ତିଶାଳୀ ଦେଶଗୁଡ଼ିକ ଏହି ୩ଟି ପ୍ରସଙ୍ଗ ଉପରେ ଅଣାଯିବାକୁ ଥିବା ପ୍ରସ୍ତାବକୁ ସମର୍ଥନ କରୁଥିବା ବେଳେ ଭାରତ କିନ୍ତୁ ଏହାକୁ ତୀବ୍ର ବିରୋଧ କରିଥିଲା । ବିଶେଷକରି କୃଷି ରିହାତି (ଏଗ୍ରିକଲ୍ଚରାଲ ସବ୍ସିଡି) ବ୍ୟବସ୍ଥାକୁ ଶେଷ କରିବା ପ୍ରସ୍ତାବକୁ ଭାରତ ସିଧାସଳଖ ଅସ୍ୱୀକାର କରିଦେଇଛି । ଭାରତର ଏପ୍ରକାର ଆଭିମୁଖ୍ୟକୁ ନେଇ ଯେତେବେଳେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଅସନ୍ତୋଷ ବ୍ୟକ୍ତ କରିଥିଲେ, ସେତେବେଳେ ଭାରତକୁୂ ଏହି ପ୍ରସଙ୍ଗରେ ଚୀନ୍ ସମେତ ମୋଟ୍ ୮ଠ ଦେଶର ସମର୍ଥନ ମିଳିଛି ।
ଏସବୁ ମଧ୍ୟରେ ବଡ଼ ପ୍ରଶ୍ନ ସାମ୍ନାକୁ ଆସିଛି । ଆମେରିକା ତଥା ୟୁରୋପୀୟ ଦେଶଗୁଡ଼ିକ ଭାରତରେ କାର୍ଯ୍ୟକାରୀ କରାଯାଉଥିବା ପିଏମ୍-କିଷାନ୍ ଯୋଜନାକୁ ରଦ୍ଦ କରିବାକୁ ବା ଶେଷ କରିବାକୁ କାହିଁକି ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି । ବିଶେଷଜ୍ଞମାନେ ଏହାର ଏକ ବଡ଼ କାରଣ ଦର୍ଶାଇଛି । ବାସ୍ତବରେ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକରେ କୃଷିଜାତ ଖାଦ୍ୟଶସ୍ୟର ବିକ୍ରି ପରିମାଣ ବେଶ୍ ହ୍ରାସ ପାଇଛି । ଏହାଦ୍ୱାରା ଏସବୁ ଦେଶଗୁଡ଼ିକୁ କୃଷିରୁ ମିଳୁଥିବା ରାଜସ୍ୱ ମଧ୍ୟ ମାତ୍ରାଧିକ ପ୍ରଭାବିତ ହେବାରେ ଲାଗିଛି । ଅନ୍ୟପକ୍ଷେ ଭାରତରେ କୃଷକମାନଙ୍କୁ ସରକାରୀସ୍ତରରେ ମିଳୁଥିବା ଆର୍ଥିିକ ସହାୟତା ତଥା ପ୍ରୋତ୍ସାହନ ଯୋଗୁ ଭାରତୀୟ କୃଷକମାନେ ଅଧିକରୁ ଅଧିକ ଶସ୍ୟ (ଚାଉଳ, ଗହମ) ଉତ୍ପାଦନ କରୁଛନ୍ତି । ଯାହାଦ୍ୱାରା ବିଶ୍ୱ ବଜାର ପର୍ଯ୍ୟନ୍ତ ଅପେକ୍ଷାକୃତ କମ୍ ମୂଲ୍ୟରେ ତଥା ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ପହଞ୍ଚାଯାଇପାରୁଛି । କେବଳ ଏହି କାରଣରୁ ବିଶ୍ୱର ଏହି ବିକାଶଶୀଳ ଦେଶଗୁଡ଼ିକ କୃଷି ରିହାତି ବ୍ୟବସ୍ଥା ବନ୍ଦ କରିବାକୁ ଭାରତ ଉପରେ ଏବେ ଚାପ ପକାଇବାକୁ ଚେଷ୍ଟା ଆରମ୍ଭ କରିଦେଇଛନ୍ତି । ପ୍ରକାଶ, ସମ୍ପ୍ରତି ଭାରତ ସରକାର ନିଜ ଦେଶର କୃଷକମାନଙ୍କୁ ମୁଖ୍ୟତଃ ୩ଟି ଉପାୟରେ (ପ୍ରଥମତଃ ବାର୍ଷିକ ୬ହଜାର ଆର୍ଥିକ ସହାୟତା, ଦ୍ୱିତୀୟତଃ ୟୁରିଆ, କମ୍ପୋଷ୍ଟ ତଥା ଅନ୍ୟାନ୍ୟ ସାର ଏବଂ ବିଜୁଳି ବିଲ୍ ଉପରେ ଛାଡ ଏବଂ ତୃତୀୟରେ ଖାଦ୍ୟଶସ୍ୟ କ୍ରୟ କ୍ଷେତ୍ରରେ ଏମ୍ଏସ୍ପି ଆଧାରରେ ଦିଆଯାଉଥିବା ଅର୍ଥରାଶି) କୃଷି ରିହାତି ଦେଉଛନ୍ତି ।
ସବୁଠୁ ବଡ଼ କଥା ହେଉଛି, ଭାରତକୁ କୃଷି ସବ୍ସିଡି ପ୍ରକ୍ରିୟା ବନ୍ଦ କରିବାକୁ ଚାପ ପକାଉଥିବା ଆମେରିକା ହିଁ ନିଜ ଦେଶର କୃଷକମାନଙ୍କୁ ସର୍ବାଧିକ କୃଷି ସବ୍ସିଡି ପ୍ରଦାନ କରିଥାଏ । ଭାରତୀୟ କୃଷକଙ୍କ ତୁଳନାରେ ଆମେରିକାର କୃଷକଙ୍କ ଆର୍ଥିକ ସ୍ୱଚ୍ଛଳତା ବେଶ୍ ଭଲ ରହିଥିବା ସତ୍ତ୍ୱେ ଆମେରିକା ନିଜ ଦେଶର କୃଷକଙ୍କୁ ପ୍ରୋତ୍ସାହିତ କରିବା ଉଦେ୍ଦଶ୍ୟରେ ବାର୍ଷିକ ଏକ ବଡ଼ ପରିମାଣର ଆର୍ଥିକ ପ୍ୟାକେଜ୍ ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ ୨ଠ୧୮-୧୯ରେ ଯେତେବେଳେ ଏକ ଭାରତୀୟ କୃଷକର ପରିବାରର ବାର୍ଷିକ ଆୟ ହାରାହାରି ୧.୨୫ ଲକ୍ଷ ରହିଥିଲା, ସେତେବେଳେ ଆମେରିକାର ଏକ କୃଷକ ପରିବାରର ବାର୍ଷିକ ଆୟ ହାରାହାରି ୬୫ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚôଥିଲା । ଆମେରିକା ଏବେ ଭାରତର ପିଏମ୍ କିଷାନ୍ ନିଧି ଯୋଜନାକୁ ବିରୋଧ କରି ନିଜର ଦୋମୁହାଁ ଚରିତ୍ରକୁୂ ଆପଣାଛାଏ ପଦାରେ ପକାଇଦେଇଛି ବୋଲି ମତ ପ୍ରକାଶ ପାଇଛି ।
ପ୍ରକାଶ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଭାରତ ସରକାର ୨ଠ୧୮ ଡିସେମ୍ବରରେ ଦେଶର କୃଷକମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇବା ଉଦେ୍ଦଶ୍ୟରେ ବାର୍ଷିକ ୬ହଜାର ଟଙ୍କା ପ୍ରଦାନ କରୁଛନ୍ତି । ପିଏମ୍ କିଷାନ୍ କଲ୍ୟାଣ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଏହି ଅର୍ଥ କୃଷକଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ଜମା କରାଯାଉଛି । ତେବେ ଏହା ଏଗ୍ରିକଲଚରାଲ ସବ୍ସିଡ଼ି ଯୋଜନା ଅନ୍ତର୍ଗତ କରାଯାଉଛି । ଅନ୍ୟପକ୍ଷେ ଭାରତରେ ଏପ୍ରକାର ଯୋଜନାକୁ ତୁରନ୍ତ ବନ୍ଦ କରିବା ପାଇଁ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବା ଆରମ୍ଭ କରିଦେଇଥିବା ଖବର ହସ୍ତଗତ ହୋଇଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି, ଆମେରିକା ଏବଂ ୟୁରୋପର ଶକ୍ତିଶାଳୀ ଦେଶଙ୍କ ଏପ୍ରକାର ଅବାନ୍ତର ଯୁକ୍ତି ତଥା ଦାବି ଆଗରେ ଭାରତ କଦାପି ନଇଁବ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଦେଇଛନ୍ତି ।