କ୍ୱାର୍ଟରରେ ପ୍ରଣୟ

ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ
ଜାକର୍ତ୍ତା, ୧୬ା୬ (ଏଜେନ୍ସି): ଭାରତର ଥୋମାସ୍ କପ୍ ବିଜୟର ଅନ୍ୟତମ ହିରୋ ଏଚ୍ଏସ୍ ପ୍ରଣୟ ତାଙ୍କ ଉଲ୍ଲେଖନୀୟ ଫର୍ମ ବଜାୟ ରଖି ଗୁରୁବାର ଇଣ୍ଡୋନେସିଆ ଓପନ୍ ସୁପର୍ ସିରିଜ୍ ୧୦୦୦ ଟୁର୍ଣ୍ଣାମେଣ୍ଟର ପୁରୁଷ ଏକକ କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛନ୍ତି ।
ପାଞ୍ଚ ବର୍ଷର ବ୍ୟକ୍ତିଗତ ମୁକୁଟ ମୁରଡ଼ିର ଅବସାନ ଘଟାଇବାକୁ ଲକ୍ଷ୍ୟ ରଖିଥିବା କେରଳର ୨୯ବର୍ଷୀୟ ପ୍ରଣୟ ଦ୍ୱିତୀୟ ରାଉଣ୍ଡରେ ହଂକଂର ଏନ୍ଜି କା ଲଙ୍ଗ୍ ଆଙ୍ଗସ୍ଙ୍କୁ ୨୧-୧୧, ୨୧-୧୮ ସିଧାସଳଖ ଗେମ୍ରେ ହରାଇଥିଲେ । ବିଶ୍ୱର ୧୨ତମ ମାନ୍ୟତାଧାରୀ ୨୭ ବର୍ଷୀୟ ହଂକଂ ଖେଳାଳିଙ୍କ ବିପକ୍ଷରେ ପ୍ରଣୟଙ୍କ ଏହା ଚତୁର୍ଥ ବିଜୟ । ପୂର୍ବତନ ଟପ୍-୧୦ ଖେଳାଳି ପରବର୍ତ୍ତୀ ରାଉଣ୍ଡରେ ଡେନ୍ମାର୍କର ରାସ୍ମସ୍ ଗେମକେ ଅଥବା ଫ୍ରାନ୍ସର ବ୍ରାଇସ୍ ଲେଭରଡେଜ୍ଙ୍କୁ ଭେଟିବେ ।
ଅନ୍ୟତମ ଭାରତୀୟ ସମୀର ବର୍ମାଙ୍କ ଅଭିଯାନ ଶେଷ ହୋଇଛି । ସେ ଦ୍ୱିତୀୟ ରାଉଣ୍ଡରେ ବିଶ୍ୱର ପାଞ୍ଚ ନମ୍ବର ଖେଳାଳି ମାଲେସିଆର ଲି’ ଜି’ ଜିଆଙ୍କଠାରୁ ୧୦-୨୧, ୧୩-୨୧ରେ ହାରିଯାଇଥିଲେ । ସମୀର ସାତ ଥର ଲି’ଙ୍କୁ ଭେଟିଥିବା ବେଳେ ପଞ୍ଚମ ପରାଜୟ ବରଣ କରିଛନ୍ତି । ଏଥି ପୂର୍ବରୁ ପୁରୁଷ ବର୍ଗରୁ ଲକ୍ଷ୍ୟ ସେନ୍, କିଦାମ୍ବୀ ଶ୍ରୀକାନ୍ତ ଓ ମହିଳା ବର୍ଗରୁ ପିଭି ସିନ୍ଧୁ ବିଦାୟ ନେଇଥିଲେ ।
ଅଶ୍ୱିନୀ ପୋନପ୍ପା ଓ ଏନ୍. ସିକ୍କି ରେଡ୍ଡୀଙ୍କ ମହିଳା ଯୁଗଳ ଯୋଡ଼ି ବି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି । ସେମାନେ ଟପ୍ ସିଡ୍ ଚେନ୍ କିଙ୍ଗ୍ ଚେନ୍ ଓ ଜିଆ ୟି’ ଫାନ୍ଙ୍କ ଚୀନା ଯୋଡ଼ିଠାରୁ ୧୬-୨୧, ୧୩-୨୧ରେ ପରାଜିତ ହୋଇଥିଲେ । ପୁରୁଷ ଯୁଗଳରେ ମଧ୍ୟ ଏମ୍ଆର୍ ଅର୍ଜୁନ ଓ ଧ୍ରୁବ କପିଳା ଅଭିଯାନରେ ବ୍ରେକ୍ ଲାଗିଛି । ସେମାନେ ଚୀନ୍ର ଲିଉ ୟୁ’ ଚେନ୍ ଓ ଓଉ ଜୁଆନ୍ ୟି’ଙ୍କଠାରୁ ୧୯-୨୧, ୧୫-୨୧ରେ ହାରିଯାଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *