ଅଲାରନାଥଙ୍କୁ ଦର୍ଶନ କଲେ ୨୫ ହଜାର ଶ୍ରଦ୍ଧାଳୁ

ଅଣସରରେ ଚତୁର୍ଦ୍ଧାମୂର୍ତ୍ତି: ପୂଜା ପାଇଲେ ପଟିଦିଅଁ
ପୁରୀ/ବ୍ରହ୍ମଗିରି,୧୫ା୬ (ବୁ୍ୟରୋ): ସ୍ନାନବେଦୀରେ ୧୦୮ ଗଡୁ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ହାତୀବେଶରେ ଶ୍ରୀବିଗ୍ରହ ଭକ୍ତଙ୍କୁ ଦର୍ଶନ ଦେଇ ପରେ ଅଣସରକୁ ବିଜେ କରିଛନ୍ତି । ପ୍ରାୟ ଦୁଇ ସପ୍ତାହ ଠାକୁରମାନେ ଦର୍ଶନ ଦେବେ ନାହି । ଏହି ସମୟରେ ପଟିଦିଅଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ତାଟିରେ ପଟିଦିଅଁମାନଙ୍କୁ ପୂଜା କରାଯାଉଥିବା ସମୟରେ ଭକ୍ତମାନେ ପଟିଦିଅମାନଙ୍କୁ ଦର୍ଶନ କରୁଛନ୍ତି । ଅନ୍ୟପକ୍ଷରେ ଅନବସରରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଅଲାରନାଥଙ୍କୁ ଦର୍ଶନ କରିବାର ବିଧି ରହିଛି । ଶ୍ରୀଅଲାରନାଥ ପୀଠରେ ଭକ୍ତ ଗହଳି ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୨୫ ହଜାର ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ।
ସ୍ନାନ ପୂର୍ଣ୍ଣିମା ଅବସରରେ ହାତୀବେଶରେ ଦର୍ଶନ ଦେବା ପରେ ଜ୍ୱରାକ୍ରାନ୍ତ ଚତୁଦ୍ଧାମୂର୍ତ୍ତିଙ୍କୁ ଅଣସର ପିଣ୍ଡିକୁ ନିଆଯାଇଛି । ମଙ୍ଗଳବାର ରାତି ପ୍ରାୟ ୧୧. ୪୦ରେ ଆରମ୍ଭ ହୋଇଥିଲା ଅଣସର ପିଣ୍ଡିକୁ ବାହୁଡ଼ା ପହଣ୍ଡି । ରାତି ୩ଟାରେ ପହଣ୍ଡି ଶେଷ କରାଯାଇ ଚିତା ଓଲାଗି ହୋଇ ଅଣସର ନୀତି କରାଯାଇଥିଲା । କୋଠ ସୁଆଁସିଆଁମାନେ ଭିତରକୁ ଯାଇ ଭିତରକାଠ ନିକଟରେ ତାଟି ବାନ୍ଧିଥିଲେ । ବୁଧବାର ଭୋର ୬.୩୦ରେ ପଟିଦିଅଁ ବିଜେ ହୋଇଥିଲେ । ଏହାପରେ ତାଟିରେ ପଟିଦିଅଁଙ୍କୁ ରୁନ୍ଧା ଯାଇଥିଲା । ଶ୍ରୀଜଗନ୍ନାଥ ଅନନ୍ତ ନାରାୟଣ ରୂପରେ, ମା’ସୁଭଦ୍ରା ଭୁବନେଶ୍ୱରୀ ଓ ଶ୍ରୀବଳଭଦ୍ର ଅନନ୍ତ ବାସୁଦେବ ଭାବେ ମହାଅଣସର ତାଟିରେ ପରମ୍ପରା ଅନୁଯାୟୀ ସ୍ଥାନିତ ହୋଇଥିଲେ ।
ବୁଧବାର ପୂର୍ବାହ୍ନ ୧୧.୧୦ରେ ଶ୍ରୀଦେବୀ, ଭୂଦେବୀ, ମଦନମୋହନ, ଦୋଳଗୋବିନ୍ଦ, ନୃସିଂହ ଓ ରାମକୃଷ୍ଣ ବିଜେ ହେବା ପରେ ଅନ୍ୟାନ୍ୟ ନୀତି ବଢ଼ିଥିଲା । ୧୧ଟା ୫୫ରେ ମହାସ୍ନାନ ଓ ମଧ୍ୟାହ୍ନ ୧୨ଟା ୨୦ରେ ମଙ୍ଗଳଆଳତି ସରିଥିଲା । ଭକ୍ତମାନେ ଶ୍ରୀମନ୍ଦିରକୁ ଯାଇ ପଟିଦିଅଁଙ୍କୁ ଦର୍ଶନ କରିଥିଲେ । ସେହିପରି ସିଂହଦ୍ୱାର ଗୁମୁଟରେ ରହିଥିବା ପତିତପାବନ ଅନନ୍ତ ନାରାୟଣ ରୂପରେ ପଟିରେ ସ୍ଥାନିତ ହୋଇଛନ୍ତି । ଏହା ସହିତ ଆରମ୍ଭ ହୋଇଛି ଅଣସର ନୀତି । ପ୍ରଥମ ଦିନରେ ମହାପ୍ରଭୁଙ୍କଠାରେ ଚକଟା ଭୋଗ ଏବଂ ପଣା ଭୋଗ କରାଯାଇଥିଲା ।
ଅନବସର ଦର୍ଶନ ପାଇଁ ଅଲାରନାଥଙ୍କ ପୀଠରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଛି । ବୁଧବାର ଭୋର୍ ୪ ଟାରୁ ମନ୍ଦିର ଦ୍ୱାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀ ଲାଗି, ବହ୍ଲଭ ଓ ସର୍ବସାଧାରଣ ଦର୍ଶନ ହୋଇଥିଲା । ସକାଳ ଧୂପ, ଦ୍ୱିପ୍ରହର ଧୂପରେ କେବଳ ଖୀରୀ ପ୍ରସାଦ ଭୋଗ ହୋଇ ଅପରାହ୍ଣ ୨ଟାରେ ପହଡ଼ ପଡିଥିଲା । ଅନ୍ୟାନ୍ୟ ନୀତି ବଢି ରାତି ୧୧ଟାରେ ବଡସିଂହାର ବେଶ ହେବା ପରେ ପହୁଡ ହୋଇଥିଲା । ଅଣସରର ପ୍ରଥମ ଦିନରେ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଂଜୟ ଦାସବର୍ମା ଅଲାରନାଥଙ୍କ ସମେତ ମାଆ ବାଲିହରଚଣ୍ଡୀଙ୍କୁ ଦର୍ଶନ କରିଛନ୍ତି । ଦ୍ୱିପ୍ରହରରେ ଶ୍ରୀଜିଉଙ୍କ ପ୍ରସିଦ୍ଧ ଖୀରୀ ପ୍ରସାଦ ଓ ଅବଢା ପାଇଁ ଆନନ୍ଦ ବଜାରରେ ଭିଡ ଲାଗିଥିଲା । ପ୍ରଥମ ଦିନରେ ପ୍ରସାଦ ପାଇବାକୁ ଶ୍ରଦ୍ଧାଳୁ ଆଗ୍ରହର ସହିତ ଅପେକ୍ଷାରେ ରହିଥିଲେ । ମେଘୁଆ ପାଗ ଓ ଗୁଳୁଗୁଳି ସତ୍ତ୍ୱେ ଶ୍ରଦ୍ଧାଳୁ ଆନନ୍ଦିତ ଥିବା ଦେଖିବାକୁ ମିଳିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *