୪ ଲକ୍ଷ ପରିବାରକୁ ମିଳିନି ୫ ମାସର ଗହମ

କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କୁ ଏନ୍ଏଚ୍ଆର୍ସିର ନିଦେ୍ର୍ଦଶ
ପୁରୀ (ବୁ୍ୟରୋ): ପୁରୀ ଜିଲ୍ଲାର ୪ ଲକ୍ଷ ଗରିବ ପରିବାରକୁ ଯୋଗାଣ ବିଭାଗ ପାଞ୍ଚ ମାସ ଧରି ଗହମ ନ ଦେବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମାନବ ଅଧିକାର କମିଶନ(ଏନ୍ଏଚ୍ଆର୍ସି) । ଆଠ ସପ୍ତାହ ମଧ୍ୟରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେଇଛି ଏନ୍ଏଚ୍ଆର୍ସି । ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ରୁଜୁ କରିଥିବା ମକଦ୍ଦମାର ଶୁଣାଣି କରି କମିଶନ ଉଦ୍ବେଗ ପ୍ରକାଶ କରିଛନ୍ତି । ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଅବହେଳା ଯୋଗୁଁ ପୁରୀ ଜିଲ୍ଲାର ପ୍ରାୟ ୪ ଲକ୍ଷ ପରିବାର ଗତ ଫେବ୍ରୁଆରୀରୁ ଜାତୀୟ ଖାଦ୍ୟ ନିରାପତ୍ତା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଗହମ ପାଇ ନ ଥିବା ଶ୍ରୀ ବସ୍ତିଆ ଅଭିଯୋଗ କରିଥିଲେ ।
ସରକାରୀସ୍ତରରେ ଏଭଳି ଅବହେଳା ଯୋଗୁଁ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ୫ ମାସ ଧରି ଭୋକ ଉପାସରେ ଦିନ କାଟୁଥିବା ସେ ଉଲ୍ଲେଖ କରିଥିଲେ । ଜଟଣୀ ଗୋଦାମ ପରିବର୍ତ୍ତେ କଟକ ଗୋଦାମରୁ ଗହମ ଉଠାଇବା ପାଇଁ ଭାରତୀୟ ଖାଦ୍ୟ ନିଗମ ଜିଲ୍ଲା ଯୋଗାଣ ବିଭାଗକୁ ଅନୁମତି ନ ଦେବାରୁ ଏବଂ ରଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ଏଭଳି ବିବାଦ ଯୋଗୁଁ ଲକ୍ଷ ଲକ୍ଷ ଗରିବ ଲୋକ ଖାଦ୍ୟ ସୁରକ୍ଷାରୁ ବଞ୍ଚିତ ହୋଇଥିବା ଶ୍ରୀ ବସ୍ତିଆ ଅଭିଯୋଗ କରିଥିଲେ । ପୁରୀ ଜିଲ୍ଲାପାଳ, ଓଡ଼ିଶା ରାଜ୍ୟ ଖାଦ୍ୟ ନିଗମ ଏବଂ ଭାରତୀୟ ଖାଦ୍ୟ ନିଗମ ମଧ୍ୟରେ ୪ ମାସ ଧରି କେବଳ ଚିଠି ଲେଖା ଚାଲିଥିବା ସେ ଉଲ୍ଲେଖ କରିଥିଲେ । ପୁରୀ ବିକାଶ ପରିଷଦ ପକ୍ଷରୁ ଏ ସମ୍ପର୍କରେ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ମଧ୍ୟ ଅଭିଯୋଗ କରାଯାଇଥିଲା । ଏହା ସତ୍ତ୍ୱେ ବିବାଦର କୌଣସି ସମାଧାନ ହୋଇପାରି ନ ଥିଲା । ଜଟଣୀ ଗୋଦାମରୁ ପୁରୀ ଜିଲ୍ଲା ପାଇଁ ଗହମ ଉଠାଇବାରେ ସେଠାକାର ଟ୍ରକ୍ ମାଲିକ ସଙ୍ଘ ବାଧା ସୃଷ୍ଟି କରୁଥିବା ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କ ଚିଠିରେ ସ୍ପଷ୍ଟ ଭାବେ ଲେଖିଥିଲେ । ତେଣୁ ଜଟଣୀ ଗୋଦାମ ପରିବର୍ତ୍ତେ କଟକ ଗୋଦାମରୁ ପୁରୀ ଜିଲ୍ଲା ପାଇଁ ଗହମ ଉଠାଇବା ପାଇଁ ଅନୁମତି ଦେବାକୁ ସେ ଅନୁରୋଧ କରିଥିଲେ । ପାଞ୍ଚ ମାସ ଧରି ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ଦୁଇଟି ସରକାରୀ ଯୋଜନାରେ ଗହମ ନ ପାଇବାରୁ ଦୁର୍ଦ୍ଦଶା ଭୋଗୁଛନ୍ତି । ମଧୁମେହ ରୋଗୀମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
ତେଣୁ ପୁରୀ ବିକାଶ ପରିଷଦ ସଭାପତି ଜଗନ୍ନାଥ ବସ୍ତିଆ ଏ ବିଷୟରେ ଜାତୀୟ ମାନବ ଅଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିଥିଲେ । ପ୍ରାୟ ୪ ଲକ୍ଷ ଗରିବ ପରିବାରର ସାମ୍ବିଧାନିକ ଅଧିକାର ଏବଂ ମାନବ ଅଧିକାର ଉଲ୍ଲଙ୍ଘନ ହୋଉଥିବା ସେ ଅଭିଯୋଗ କରିଥିଲେ । କମିଶନ ତାହାକୁ ବିଚାର ପାଇଁ ତତକ୍ଷଣାତ୍ ଗ୍ରହଣ କରିବା ସହ ମକଦ୍ଦମା ଭାବେ ପଞ୍ଜିକରଣ କରିଥିଲେ । ଶ୍ରୀ ବସ୍ତିଆ କମିଶନରଙ୍କ ନିକଟରେ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ସୋମବାର ଏହି ମକଦ୍ଦମା ଶୁଣାଣି କରାଯାଇଥିଲା । ଏ ସମ୍ପର୍କରେ ଆଠ ସପ୍ତାହ ମଧ୍ୟରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜାତୀୟ ମାନବ ଅଧିକାର କମିଶନ ସୋମବାର ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହାଛଡ଼ା କମିଶନଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ କମିଶନ ନିଦେ୍ର୍ଦଶ ଦେଇଛନ୍ତି । ତେଣୁ ଦାୟିତ୍ୱରେ ଅବହେଳା କରିଥିବା ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବସ୍ତିଆ ଦାବି କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *