ଘର ଭିତରେ ବିସ୍ଫୋରଣ: ୭ ଗୁରୁତର

କୋଦଳା (ଆପ୍ର): ଗଞ୍ଜାମ ଜିଲ୍ଲା କୋଦଳା ଥାନା ବେରୁଆବାଡ଼ି ଗ୍ରାମରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି । ବିବାହ କାର୍ଯ୍ୟ ପାଇଁ ଘରେ ଥିବା ବାଣ ବିସ୍ଫୋରଣ ଘଟି ୭ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ କୋଦଳା ଓ ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ନିକଟରେ ଥିବା ୩ ଘର ମଧ୍ୟ ଭାଙ୍ଗି ଯାଇଥିବା ଜଣାପଡ଼ିଛି । ତେବେ ଏକ ୨୮ ଦିନର ଶିଶୁ ଅଳ୍ପକେ ବର୍ତ୍ତିଯାଇଛି । ପୁଲିସ ଓ ଦମକଳ ବାହିନୀ ଗାଁକୁ ଯାଇ କାରଣ ଅନୁଧ୍ୟାନ କରିଛନ୍ତି ।
ବୁଧବାର ସକାଳେ ବେରୁଆଁବାଡ଼ି ଶିଅଳ ସାହିରେ ଅଚାନକ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା । ଦଣ୍ଡପାଣି ବେହେରାଙ୍କ ଘରୁ ପ୍ରବଳ ଧୂଆଁ ବାହାରିବା ସହିତ ଭଙ୍ଗା ଆଜବେଷ୍ଟସ୍ ଓ ଆସବାବପତ୍ର ଏଣେତେଣେ ପଡ଼ିଥିବା ଦେଖିବାକୁ ମିଳିଥିଲା । ସାହିଲୋକେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ୫ଜଣଙ୍କୁ ଓ ପଡ଼ିଶା ଘରର ବାପ-ପୁଅଙ୍କୁ ଉଦ୍ଧାର କରି କୋଦଳା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତିି କରିଥିଲେ । ଆହତଙ୍କ ମଧ୍ୟରେ ୪ ଭାଇ- ବିଷ୍ଣୁ ବେହେରା (୨୮), ତ୍ରିପୁରା ବେହେରା (୨୨), ଶ୍ରୀହରି ବେହେରା (୨୬), ବଳରାମ ବେହେରା (୩୧), ସମ୍ପର୍କୀୟ ମିଥୁନ ବେହେରା(୨୨) ଅନ୍ତର୍ଭୁକ୍ତ । ସେମାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । କାନ୍ଥ ଭୁଷୁଡ଼ି ପଡ଼ିବାରୁ ପଡ଼ୋଶୀ କୈଳାସ ବେହେରା (୫୩) ଓ ତାଙ୍କ ପୁଅ କାହ୍ନା ବେହେରା ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ।
ଚଳିତ ମାସ ୨୬ରେ ବିଷ୍ଣୁ ଓ ଶ୍ରୀଧରଙ୍କ ବିବାହ ହେବାର ଥିଲା । ଏଥିପାଇଁ ଘର ଭିତରେ ବାଣ ତିଆରି ଚାଲିଥିବା ବେଳେ ବିସ୍ଫୋରଣ ଘଟିଥିବା ପୁଲିସ ସନେ୍ଦହ କରିଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଦୁଇଟି ଘରର ଆଜବେଷ୍ଟସ୍ ଉଡ଼ିଯାଇଥିବା ସହିତ ଗୋଟିଏ କାନ୍ଥ ମଧ୍ୟ ଭୁଶୁଡ଼ି ପଡ଼ିଛି । ତୃତୀୟ ଘରର ମଧ୍ୟ ଆଜବେଷ୍ଟସ୍ ଭାଙ୍ଗି ତଳେ ପଡ଼ିଛି । କିନ୍ତୁ ସେହି ଘରେ ଶୋଇଥିବା ନବଜାତକର ସାମାନ୍ୟ କ୍ଷତି ଘଟିନାହିଁ । ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ଘଟଣା ସ୍ଥଳ ପରିଦର୍ଶନ କରଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *