ବିରୋଧୀ ମେଳିକୁ ଝଟ୍କା

ମମତାଙ୍କ ମିଟିଂକୁ ଆସିଲେନି ୫ ଦଳ
ନୂଆଦିଲ୍ଲୀ,୧୫ ।୬: ଆସନ୍ତା ମାସ ୧୮ ତାରିଖରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ କସରତ ଆରମ୍ଭ ହୋଇଯାଇଛି । କେନ୍ଦ୍ରରେ କ୍ଷମତାସୀନ ଏନ୍ଡିଏ ପକ୍ଷରୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବାବେଳେ ବିରୋଧୀ ଦଳମାନଙ୍କ ପକ୍ଷରୁ ସମ୍ଭାବ୍ୟ ନାମକୁ ନେଇ ମନ୍ଥନ ଆରମ୍ଭ ହୋଇଛି । କିନ୍ତୁ ଆରମ୍ଭରୁ ବିରୋଧୀ ମେଳିକୁ ଲାଗିଛି ଝଟ୍କା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସି ମୁଖିଆ ମମତା ବାନାର୍ଜୀଙ୍କ ପକ୍ଷରୁ ବିରୋଧୀ ଦଳମାନଙ୍କୁ ଏକ୍ଜୁୂଟ୍ କରି ଏନ୍ଡିଏ ବିରୋଧରେ ମିଳିତ ପ୍ରାର୍ଥୀ ଦେବା ଲାଗି ବୁଧବାର ଦିଲ୍ଲୀରେ ଯେଉଁ ବୈଠକ ଡାକିଥିଲେ ସେଥିରେ ୧୭ଟି ଦଳର ନେତାମାନେ ଯୋଗ ଦେଇଥିବା ସ୍ଥଳେ ୫ଟି ଦଳ ଏହି ବୈଠକରୁ ଦୂରେଇ ରହିଥିଲେ ।
ପରବର୍ତ୍ତୀ ବୈଠକ ଯେତେଦୂର ସମ୍ଭବ ମୁମ୍ବାଇରେ ଶରଦ ପାୱାରଙ୍କ ଆବାହକତ୍ତ୍ୱରେ ଅନୁଷ୍ଠିତ ହେବ । ସେଥିରେ ପ୍ରତ୍ୟେକ ଦଳ ରାଷ୍ଟ୍ରପତି ପ୍ରାର୍ଥୀ ନାମ ପ୍ରସ୍ତାବ କରିବେ ।
ବିଜେଡି, ଆମ୍ ଆଦ୍ମୀ ପାର୍ଟି, ଟିଆର୍ଏସ୍, ୱାଇଏସ୍ଆର୍ କଂଗ୍ରେସ ଓ ଅକାଳୀ ଦଳ ଏଥିରେ ସାମିଲ ହୋଇ ନ ଥିଲେ । ବିରୋଧୀ ଦଳର ମିଳିତ ପ୍ରାର୍ଥୀ ହେବା ପାଇଁ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନ୍ସିପି) ନେତା ଶରଦ ପାୱାର ସିଧାସଳଖ ମନା କରିଦେବାରୁ ମମତା ନ୍ୟାସନାଲ କନ୍ଫରେନ୍ସ ପାର୍ଟିର ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଓ ମହାତ୍ମା ଗାନ୍ଧୀଙ୍କ ନାତି ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଦେବଦାସ ଗାନ୍ଧିଙ୍କ ନାମ ସୁପାରିସ କରିଥିଲେ । କିନ୍ତୁ ଏହି ଦୁଇଜଣଙ୍କ ମଧ୍ୟରୁ କିଏ ବିରୋଧୀ ପକ୍ଷରୁ ପ୍ରାର୍ଥୀ ହେବେ, ନିଷ୍ପତ୍ତି ନିଆଯାଇପାରି ନାହିଁ । ଆସନ୍ତା ୨୦ ବା ୨୧ ତାରିଖରେ ପୁଣି ଥରେ ବିରୋଧୀ ଦଳମାନଙ୍କର ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଉଲ୍ଲେଖଯୋଗ୍ୟ ଯେ ୨୦୧୭ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଠିକ୍ ଏହିଭଳି ପରିସ୍ଥିତି ବିରୋଧୀ ଶିବିରରେ ଉପୁଜିଥିଲା । ବିଜେଡି, ୱାଇଏସ୍ଆର୍ କଂଗ୍ରେସ, ଟିଆର୍ଏସ୍, ଏଆଇଏଡିଏମ୍କେ, ଭାରତୀୟ ରାଷ୍ଟ୍ରୀୟ ଲୋକଦଳ ଆଦି ବିରୋଧୀ ଦଳମାନେ ଏନ୍ଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ବିଜୟ ସୁନିଶ୍ଚିତ କରାଇଥିଲେ ।
ବୁଧବାର ବୈଠକ ପରେ ମମତା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଶରଦ ପାୱାର ରାଷ୍ଟ୍ରପତି ପ୍ରାର୍ଥୀ ହେବା ଅଧିକାଂଶ ବିରୋଧୀ ଦଳ ଚାହାନ୍ତି । ଯଦି ସେ ଏଥିଲାଗି ପ୍ରସ୍ତୁତ ହେବେ, ସମସ୍ତେ ତାଙ୍କୁ ସମର୍ଥନ କରିବେ । ଯଦି ସେ ଅନିଚ୍ଛୁକ ହେବେ, ତାଙ୍କ ଅଧ୍ୟକ୍ଷତାରେ ପ୍ରାର୍ଥୀ ଚୟନ କରାଯିବ । ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଆସିବା ପୂର୍ବରୁ ମମତା ମଙ୍ଗଳବାର ମୁମ୍ବାଇଠାରେ ଶରଦ ପାୱାରଙ୍କୁ ଭେଟି ବିରୋଧୀ ମେଣ୍ଟ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଶରଦ ପାୱାର କିନ୍ତୁ ସକ୍ରିୟ ରାଜନୀତି କରିବାକୁ ଚାହୁଁଛନ୍ତି ବୋଲି ଉଲ୍ଲେଖ କରି ଏହି ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ । ମଙ୍ଗଳବାର ବାମପନ୍ଥୀ ନେତା ସୀତାରାମ ୟେଚୁରୀ ମଧ୍ୟ ପାୱାରଙ୍କ ସମ୍ପର୍କରେ ଅନୁରୂପ ସୂଚନା ଦେଇଥିଲେ ।
ବୁଧବାର ବୈଠକରେ କଂଗ୍ରେସ, ସମାଜବାଦୀ ପାର୍ଟି, ଏନ୍ସିପି, ଡିଏମ୍କେ, ଆର୍ଜେଡି, ଶିବସେନା, ଆର୍ଏଲ୍ଡି, ପିଡିପି, ଜେଏମ୍ଏମ୍, ଟିଏମ୍ସି, ସିପିଏମ୍, ସିପିଆଇ, ନ୍ୟାସନାଲ୍ କନ୍ଫରେନ୍ସ, ଆଇୟୁଏମ୍ଏଲ୍, ଜେଡିଏସ୍ ଓ ସିପିଏମ୍ଏଲ୍ର ନେତୃବର୍ଗ ଯଥା ଶରଦ ପାୱାର ଓ ପ୍ରଫୁଲ୍ଲ ପଟେଲ (ଏନ୍ସିପି), ମଲ୍ଲିକାର୍ଜୁନ ଖଡ଼୍ଗେ, ଜୟରାମ ରମେଶ ଓ ରଣଦୀପ ସୂରଜେୱାଲା (କଂଗ୍ରେସ), ଏଚ୍ଡି ଦେବେଗୌଡ଼ା ଓ ଏଚ୍ଡି କୁମାରସ୍ୱାମୀ (ଜେଡିଏସ୍), ଅଖିଳେଶ ଯାଦବ (ସମାଜବାଦୀ ପାର୍ଟି), ମହବୁବା ମୁଫ୍ତି (ପିଡିପି), ଉମର ଅବଦୁଲ୍ଲା (ନ୍ୟାସନାଲ କନ୍ଫରେନ୍ସ), ମନୋଜ ଝା (ଆର୍ଜେଡି), ପ୍ରିୟଙ୍କା ଚତୁର୍ବେଦୀ ଓ ସୁଭାଷ ଦେଶାଇ (ଶିବସେନା) ପ୍ରମୁଖ ଉପସ୍ଥିତ ଥିଲେ ।
ବୈଠକ ଆରମ୍ଭରେ ବିରୋଧୀ ଦଳମାନଙ୍କ ପକ୍ଷରୁ ମିଳିତ ପ୍ରାର୍ଥୀ ଦେବା ପ୍ରସ୍ତାବ ପାସ୍ ହୋଇଥିଲା । କିନ୍ତୁ ଅନେକ ବିରୋଧୀ ଦଳ ଯଥା- ଓଡ଼ିଶାରେ କ୍ଷମତାସୀନ ବିଜେଡି, ତେଲେଙ୍ଗାନାରେ କ୍ଷମତାସୀନ ଟିଆର୍ଏସ୍, ଆନ୍ଧ୍ରପ୍ରଦେଶରେ ସରକାର ଗଢ଼ିଥିବା ୱାଇଏସ୍ଆର୍ କଂଗ୍ରେସ, ଶିରୋମଣି ଅକାଳୀ ଦଳ, ବିଏସ୍ପି, ଏଆଇଏମ୍ଆଇଏମ୍ ଓ ଟିଡିପି ବୈଠକରେ ଅନୁପସ୍ଥିତ ଥିଲେ । ଏହି ବୈଠକରେ କଂଗ୍ରେସର ଅସହଜତା ଦଳର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ଼୍ଗେଙ୍କ ବିବୃତିରୁ ସ୍ପଷ୍ଟ ହୋଇଛି । ସେ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ପ୍ରାର୍ଥୀ ଚୟନ କଂଗ୍ରେସ ବିନା ହୋଇପାରିବ ନାହିଁ । କାରଣ କଂଗ୍ରେସ ପାଖରେ ବିରୋଧୀ ପକ୍ଷର ୫୦ ପ୍ରତିଶତ ଭୋଟ୍ ଅଛି । ତା’ସତ୍ତ୍ୱେ ଆମେ ମିଟିଂରେ ଦେଇଛୁ । କାରଣ ବିରୋଧୀ ଏକତା ଭାଙ୍ଗିବାକୁ ଆମେ ଚାହୁଁନାହୁଁ ।
ଆପ୍ ଏ ପର୍ଯ୍ୟନ୍ତ ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ମମତାଙ୍କ ବୈଠକରେ ଆପ୍ ଯୋଗ ଦେବନାହିଁ ବୋଲି ପୂର୍ବରୁ ସୂଚନା ଦେଇ କହିଥିଲା ପ୍ରାର୍ଥୀ ଘୋଷଣା ପରେ ଦଳ ଏହା ଉପରେ ବିଚାର କରିବ । ନିକଟରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ମହାରାଷ୍ଟ୍ରରେ ମହାବିକାଶ ଅଘାଡ଼ିକୁ ସମର୍ଥନ କରିଥିବା ଏଆଇଏମ୍ଆଇଏମ୍କୁ ମମତାଙ୍କ ପକ୍ଷରୁ ଆମନ୍ତ୍ରଣ କରାଯାଇ ନ ଥିଲା । ଦଳର ମୁଖ୍ୟ ଅସଦୁଦ୍ଦୀନ ଓୱେସୀ କହିଛନ୍ତି, ନିମନ୍ତ୍ରଣ ମିଳିଥିଲେ ବି ଦଳର କୌଣସି ପ୍ରତିନିଧି ସେଥିରେ ଯୋଗଦେଇ ନ ଥାନ୍ତେ । କାରଣ ଏହି ବୈଠକକୁ କଂଗ୍ରେସକୁ ମଧ୍ୟ ଡକାଯାଇଛି ।
ଇତିମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ରାଜନାଥ ସିଂହ ବିଜେଡି ଅଧ୍ୟକ୍ଷ ତଥା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ସର୍ବସମ୍ମତ ପ୍ରାର୍ଥୀ ଦେବା ଉପରେ ବିଜେପି ପକ୍ଷରୁ ପ୍ରାଥମିକତା ଦିଆଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *