କାମ ନ ପାଇ ଜବ୍କାର୍ଡଧାରୀ ଜଳକା
ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ମନରେଗା ଦୁର୍ନୀତି
ନାଉଗାଁ (ଆପ୍ର): ନାଉଗାଁ ବ୍ଲକରେ ମନରେଗା ଦୁର୍ନୀତି ଏବେ ଦାଣ୍ଡରେ ପଡି ହାଟରେ ଗଡ଼ୁଛି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଖୁଲମଖୁଲା ମନରେଗା ଦୁର୍ନୀତି ଚାଲିଥିଲେ ମଧ୍ୟ ବ୍ଲକ ପ୍ରଶାସନର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜବ୍କାର୍ଡଧାରୀଙ୍କୁ ୧୦୦ଦିନର କାର୍ଯ୍ୟ ଯୋଗାଇ ଦେବା ନିମନ୍ତେ ସରକାରଙ୍କ ପକ୍ଷରୁ ମନରେଗା ପରି ଜନହିତକର ଯୋଜନା କରାଯାଇଥିବା ବେଳେ ନାଉଗାଁରେ ଏହି ଯୋଜନା ଯେପରି ଫେଲ୍ ମାରିଥିବା ଜଣାପଡ଼ିଛି ।
ମନରେଗା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ୨୦୨୧ ମେ ୨୧ରେ ଜାତୀୟ ମୋବାଇଲ ମନିଟରିଂ ସଫ୍ଟୱେର (ଏନଏମଏମଏସ) ନାମକ ଏକ ଆପ୍ ଉନ୍ମୋଚନ କରିଥିଲେ । କିନ୍ତୁ ବ୍ଲକରେ ଶ୍ରମିକ ମାଧ୍ୟମରେ କାର୍ଯ୍ୟ ହେଉଥିବା କାର୍ଯ୍ୟସ୍ଥଳରେ ସକାଳ ଓ ସନ୍ଧ୍ୟା ସମୟରେ ଆପ୍ ମାଧ୍ୟମରେ ଫଟୋ ଉଠାଯାଇ ଅପଲୋଡ କରାଯାଉଥିବା ବେଳେ ଯେଉଁଠି ଶ୍ରମିକ ବଦଳରେ ମେସିନ ସାହାଯ୍ୟରେ କାର୍ଯ୍ୟ କରାଯାଉଛି, ସେଠାରେ ଆପ୍ ବ୍ୟବହାର ହେଉନଥିବା ଅଭିଯୋଗ ହେଉଛି ।
ସୂଚନା ମୁତାବକ ଏହି ଆପ୍ ଜରିଆରେ ଅଲଣା ପଞ୍ଚାୟତରେ ୨ରୁ ୩ଟି ପ୍ରକଳ୍ପ କାର୍ଯ୍ୟ ହେଉଥିବା ଫଟୋ ଅପଲୋଡ୍ କରାଯାଇଛି । ସେହିପରି ନୂଆଗାଁ, ରୋହିଆ, ଶିଖର, ତିରୁଣା, ଜାମୁଗାଁ, ବାଂଶ ଓ ଗଳଦାରୀ ଆଦି ପଞ୍ଚାୟତରେ ଗୋଟିଏ ଅବା ଦୁଇଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ଆପ୍ ମାଧ୍ୟମରେ ଫଟୋ ଅପଲୋଡ କରାଯାଇଛି । ମାତ୍ର ସକାଳ ସମୟରେ ଫଟୋ ଅପଲୋଡ ହୋଇଥିବା ବେଳେ ସଂଧ୍ୟା ସମୟରେ ଫଟୋ ଅପଲୋଡ ହୋଇ ନଥିବା ଜଣାଯାଇଛି । ସେହି ପ୍ରକଳ୍ପଗୁଡିକରେ ଜିଆରଏସମାନେ ନିଜ ସମ୍ପର୍କୀୟଙ୍କ ନାମକୁ ମଷ୍ଟରରୋଲରେ ସଂଯୋଗ କରି ଉପସ୍ଥାନ ପକାଇ ଫାଇଦା ଉଠାଉଥିବା ଚର୍ଚ୍ଚା ହେଉଛି । ମନରେଗା ପୋର୍ଟାଲ ତଥ୍ୟ ଅନୁସାରେ ଏହି ଯୋଜନାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଜିପିଏସ ଏନଏମଏମଏସର ନିୟୋଜିତ ସ୍ଥିତି ଅନୁଯାୟୀ ୮ଟି ଯୋଗ୍ୟ କାର୍ଯ୍ୟକ୍ଷେତ୍ର ରହିଥିବା ବେଳେ ଏଥିମଧ୍ୟରୁ ୭ଟି ଏନଏମଏମଏସ୍ ହୋଇ ନଥିବା ବେଳେ ଗୋଟିଏ ମାତ୍ର ପ୍ରକଳ୍ପରେ ଏନଏମଏମଏସ ଆରମ୍ଭ ହୋଇଥିବା ଜଣାଯାଇଛି । ଏଥିରେ ୩୩ଟି ଫଟୋ ସକାଳ ସମୟରେ ଅପଲୋଡ ହୋଇଥିବା ବେଳେ ସଂଧ୍ୟା ସମୟରେ କୌଣସି ଫଟୋ ଅପଲୋଡ ହୋଇନଥିବା ଜଣାଯାଇଛି । ଫଳରେ ଜିଆରଏସମାନେ ଉକ୍ତ ପ୍ରକଳ୍ପ ଗୁଡିକରେ ଏନଏମଏମଏସ ଆପ୍ ସାହାଯ୍ୟରେ ଫଟୋ ନ ଉଠାଇ ଆପ୍ରେ ତ୍ରୁଟି ଦର୍ଶାଉଥିବା ଚର୍ଚ୍ଚା ହେଉଛି । ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି ହେଉଛି ।