ଖୁବ୍ଶୀଘ୍ର ଆରମ୍ଭ ହେବ ୫ଜି ସେବା

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଖୁବ୍ଶୀଘ୍ର ୫ ଜି ଟେଲିକମ୍ ସେବା ଆରମ୍ଭ ହେବ । ଦେଶବାସୀଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ସୁବିଧା ମିଳିବା ସହଜ ହୋଇପାରିବ । ଏନେଇ କେନ୍ଦ୍ର କ୍ୟାବିନେଟ୍ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ୫-ଜି ସ୍ପେକ୍ଟ୍ରମର ନିଲାମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ସବୁ ଠିକ୍ ରହେ, ତେବେ ଆସନ୍ତା ବର୍ଷ ୨ଠ୨୩ ପ୍ରଥମରୁ ହିଁ ଦେଶବାସୀ ୫-ଜି ଟେଲିକମ ସେବା ପାଇପାରିବାର ସମ୍ଭାବନା ରହିଛି ।
ପ୍ରକାଶ ଦୂରସଞ୍ଚାର ମନ୍ତ୍ରଣାଳୟ ପକ୍ଷରୁ ଆଗତ ପ୍ରସ୍ତାବ ଅନୁସାରେ ଆସନ୍ତା ୨ଠ ବର୍ଷ ପାଇଁ ୫ଜି ସ୍ପେକ୍ଟ୍ରମ୍ର ନିଲାମ ବ୍ୟବସ୍ଥା କରାଯିବ । ନିଲାମ ପ୍ରକ୍ରିୟାରେ ସଫଳ ଟେଲିକମ୍ କମ୍ପାନୀ ସତ୍ତ୍ୱାଧିକାର (ଲାଇସେନ୍ସ ପ୍ରାପ୍ତ ପୂର୍ବକ) ହାସଲ କରିବା ପରେ ଦେଶବ୍ୟାପୀ ୫ଜି ସେବା ଯୋଗାଣ କରିପାରିବେ । ପ୍ରକାଶ, ସମ୍ପ୍ରତି ଦେଶବାସୀ ୪ଜି ଇଣ୍ଟରନେଟ୍ ସେବାର ସୁଯୋଗ ପାଉଥିବା ବେଳେ ଆଗାମୀ କିଛି ଦିନ ମଧ୍ୟରେ ୫ଜି ସେବାର ଲାଭ ଉଠାଇପାରିବେ । ୪ଜି ତୁଳନାରେ ୫ଜି ପ୍ରାୟ ୧ଠଗୁଣ ଅଧିକ ହାଇସ୍ପିଡ୍ ଇଣ୍ଟରନେଟ୍ ସର୍ଭିସ୍ ଯୋଗାଇବାରେ ସଫଳ ହେବ । ସୂଚନାଯୋଗ୍ୟ, ଏହାପୂର୍ବରୁ କ୍ୟାବିନେଟ୍ କମିଟି ଅର୍ଥନୈତିକ ବ୍ୟାପାର କମିଟି ୫-ଜି ସ୍ପେକ୍ଟ୍ରମର ନିଲାମ ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇସାରିଛି ।
ଆଗାମୀ ୨ଠ ବର୍ଷ ପାଇଁ ୫ଜି ଇଣ୍ଟରନେଟ୍ ସେବା କାର୍ଯ୍ୟକାରୀ କରିବା ଉଦେ୍ଦଶ୍ୟରେ ଭାରତ ସରକାର ଜୁଲାଇ ଶେଷ ସୁଦ୍ଧା ମୋଟ୍ ୭୨ଠ୯୭.୮୫ ମେଗାହର୍ଜ ସ୍ପେକ୍ଟ୍ରମ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସ୍ପେକ୍ଟ୍ରମ୍ର ମୋଟ୍ ମୂଲ୍ୟ ୫ଲକ୍ଷ କୋଟିରେ ରଖାଯାଇଛି । ଏହା ଅଧୀନରେ ସରକାର ୯ଟି ସ୍ପେକ୍ଟ୍ରମ ନିଲାମ କରିବେ । ନିଲାମ ପ୍ରକ୍ରିୟାରେ ସାମିଲ ହେବା ପାଇଁ ବିଡ୍ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୮ ରହିଛି । ସେହିପରି ଜୁଲାଇ ୨୬ରୁ ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯିବ । ପ୍ରକାଶ, ରିଲାଏନ୍ସ, ଭାରତୀ ଏୟାରଟେଲ ଏବଂ ଆଇଡିଆ-ଭୋଡାଫୋନ୍ ଭଳି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀଗୁଡିକ ଦୀର୍ଘ ସମୟ ଧରି ୫-ଜି ସ୍ପେକ୍ଟ୍ରମ ନିଲାମକୁ ଅପେକ୍ଷା କରି ରହିଛନ୍ତି ।
ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଦେଶର କେତେକ ପ୍ରାନ୍ତରେ ୫ଜି ଇଣ୍ଟରନେଟ୍ ସେବା ଶୁଭାରମ୍ଭ ହୋଇଯିବ ବୋଲି ଅନୁମାନ କରାଯାଉଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶର ୧୩ ପ୍ରମୁଖ ସହରରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଯୋଜନା କରାଯାଇଛି । ଏହି ୧୩ ସହର ମଧ୍ୟରେ ଅହମ୍ମଦାବାଦ୍, ବେଙ୍ଗାଲୁରୁ, ଛତିଶଗଡ଼, ଚେନ୍ନାଇ, ଦିଲ୍ଲୀ, ଗାନ୍ଧୀନଗର, ଗୁରୁଗ୍ରାମ, ଜାମନଗର, ହାଇଦ୍ରାବାଦ୍, ପୁଣେ, ଲକ୍ଷ୍ନୌ, ମୁମ୍ବାଇ ଏବଂ କୋଲକତା ଆଦି ସହର ସାମିଲ ରହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *