ହାତୀବେଶରେ ଶ୍ରୀଜିଉ

ପୁରୀ, ୧୫ା୬(ବୁ୍ୟରୋ): ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରେ ୧୦୮ଗଡୁ ସୁବାଷିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିଛନ୍ତି ଚତୁର୍ଦ୍ଧା ବିଗ୍ରହ । ୧୦୮ ଗଡ଼ୁ ସ୍ନାନ ପରେ ମହାପ୍ରଭୁ ହାତୀବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଏବଂ ବିଳମ୍ବିତ ରାତିରେ ଅଣସରକୁ ବିଜେ କରିଛନ୍ତି । ସେପଟେ ୨ ବର୍ଷଧରି ବିନା ଭକ୍ତରେ ଯାତ୍ରା ଅନୁଷ୍ଠିତ ହୋଇଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅକଣ୍ଠନୀୟ ଉତ୍ସାହ ପରିଲକ୍ଷିତ ହୋଇଛି । ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳଗୁଳି ସତ୍ତ୍ୱେ ଠାକୁରଙ୍କ ସ୍ନାନ ଦର୍ଶନ ପାଇଁ ବଡ଼ଦାଣ୍ଡ ଭକ୍ତମୟ ହୋଇଥିଲା । ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ସ୍ନାନ ଓ ହାତୀବେଶ ଦର୍ଶନ କରିଥିଲେ ।
ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁଯାୟୀ ମହାପ୍ରଭୁଙ୍କ ନୀତି ପ୍ରାୟ ୧ ଘଣ୍ଟା ବିଳମ୍ବ ହୋଇଥିଲା । ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ ଓ ସିଂହଦ୍ୱାର । ତେବେ ମଙ୍ଗଳବାର ଭୋର୍ ୪ଟାରେ ମଙ୍ଗଳାର୍ପଣ ହୋଇଥିବା ବେଳେ ୪.୧୦ରେ ବିଜେ କାହାଳି ବାଜିଥିଲା ଏବଂ ପରେ ୪.୧୫ରେ ଆରମ୍ଭ ହୋଇଥିଲା ଶ୍ରୀବିଗ୍ରହଙ୍କ ପହଣ୍ଡି ଯାତ୍ରା । ସ୍ନାନବେଦୀକୁ ଧାଡି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରିଥିଲେ । ୭ଟା ୪୦ରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡିଯାତ୍ରା ଶେଷ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ରନôବେଦୀରୁ ସ୍ନାନବେଦୀ ଯାତ୍ରା ପ୍ରାୟ୨.୨୦ମିନିଟ୍ ଲାଗିଥିଲା । ୭.୪୫ରୁ ୭.୫୦ ମଧ୍ୟରେ ମଦନମୋହନଙ୍କୁ ମହାଜନ ସେବକମାନେ ସ୍ନାନବେଦୀକୁ ବିଜେ କରାଇଥିଲେ । ସ୍ନାନବେଦୀରେ ପୂର୍ବାହ୍ଣ ୮.୧୦ରେ ମଙ୍ଗଳ ଆଳତୀ କରାଯାଇ ଅନ୍ୟାନ୍ୟ ନୀତି ବଢ଼ିଥିଲା ।
ପ୍ରାତଃରେ ସୁନା ଗୋସାଇଁ ସୁନା କୂଅରୁ ୧୦୮ ଗଡୁ ଜଳ ଆଣି ଜଳଗୃହରେ ରଖିଥିଲେ । ସେଠାରେ ଚନ୍ଦନ, କର୍ପୁର, ଅଗୁର, ସୁଗନ୍ଧିତ ପୁଷ୍ପ ଆଦି ଅଧିବାସ କରାଯାଇଥିଲା । ପୂର୍ବାହ୍ଣ ୧୧.୪୫ରେ ଗରାଗଡୁ ସେବକମାନେ ବାଘମୁହାଁ ବାନ୍ଧି ମହାପ୍ରଭୁଙ୍କ ମହାସ୍ନାନ ଲାଗି ଅଧିବାସ ଜଳ ସ୍ନାନବେଦୀକୁ ବିଜେ କରାଇଥିଲେ । ଏହି ଜଳକୁ ରୂପା ପିଙ୍ଗଣରେ ପୂଜାପଣ୍ଡା ନେଇ ମହାପ୍ରଭୁଙ୍କୁ ସ୍ନାନ କରାଇଥିଲେ । ପ୍ରତ୍ୟହ ବିମ୍ବସ୍ନାନ କରୁଥିବା ମହାପ୍ରଭୁ ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିଥିଲେ । ଅପରାହ୍ଣ ୧୨ଟାରୁ ଜଳଲାଗି ଆରମ୍ଭ ହୋଇ୧୨.୪୫ରେ ଶେଷ ହୋଇଥିଲା । ବଡ଼ ଠାକୁର ବଳଭଦ୍ର ୩୩ ଗଡୁ, ସୁଭଦ୍ରା ୨୨ ଗଡୁ ଓ ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ସୁଦର୍ଶନ ୧୮ ଗଡୁଜଳରେ ସ୍ନାନ କରିଥିଲେ । ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ୨.୪୫ରେ ଛେରାପହଁରା ନୀତି ସମ୍ପନ୍ନ କରିଥିବା ବେଳେ ଅପରାହ୍ଣ ୩ଟାରେ ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କୁ ହାତୀବେଶ (ଗଜାନନ ବେଶ)ରେ ସଜାଇଥିଲେ । ହାତୀବେଶ ଥାଇ ଘଣ୍ଟ ଛତା ସକାଳ ଧୂପ ହୋଇଥିଲା । ଦେବସ୍ନାନ ପୂର୍ଣ୍ଣିମାରେ ଠାକୁରଙ୍କ ନିକଟରେ ଗୋଟିଏ ଥର ହିଁ ଭୋଗ ହୋଇଥାଏ । ୬.୩୦ରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା । ରାତି୧୧ଟାରେ ବେଶ ଓ ଲାଗି ହେବା ପରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଅଣସରକୁ ବିଜେ କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *