ଶୁକ୍ରବାର ଓଡ଼ିଶା ଛୁଇଁପାରେ

ଭୁବନେଶ୍ୱର,୧୫ା୬(ବୁ୍ୟରୋ): ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ପାଣିପାଗର ସୂଚନା ଅନୁସାରେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଓଡ଼ିଶା ଛୁଇଁବାର ସମ୍ଭାବନା ରହିଛି । ଏଥିପାଇଁ ପାଗ ଅନୁକୂଳ ମଧ୍ୟ ରହିଛି । ତେବେ କେନ୍ଦୁଝର ହାଟଡିହରେ ଗତ ୨୪ ଘଣ୍ଟାରେ ସର୍ବାଧିକ ବର୍ଷା(୬୩.୨ ମିମି) ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାଗୁଡିକରେ ପ୍ରାକ ମୌସୁସୀ ବର୍ଷା ସହ ବଜ୍ରପାତର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।
ଆଞ୍ଚଳିକ ପାଣିପାଗ ବିଭାଗର ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଗତ ସୋମବାର ଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇଛି । ଏ ପରିସ୍ଥିତିରେ ଆସନ୍ତା୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲାରେ କାଳବୈଶାଖୀ ଜନିତ ଝଡ଼ବର୍ଷାର ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର ଓ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଘୂର୍ଣ୍ଣିଝଡ଼ ସହ ବଜ୍ରପାତ ଓ ବର୍ଷା ହେବାର ସମ୍ଭାବନା ରହିଛି । କାଳବୈଶାଖୀ ସୟରେ ଏହିସବୁ ଜିଲ୍ଲାରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହ କାଳବୈଶାଖୀ ସମୟରେ ବଜ୍ରପାତର ଆଶଙ୍କା ରହୁଥିବାରୁ ଲୋକଙ୍କୁ ଏହି ସମୟରେ ଖୋଲାସ୍ଥାନକୁ ବାହାରିବାକୁ ବାରଣ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା, ଗଜପତି, ଗଞ୍ଜାମ ଏବଂ ଓଡିଶାର ବାକି ଜିଲ୍ଲାଗୁଡ଼ିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନାରେ କୁହାଯାଇଛି । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ଓ କଟକର କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ । ଅନ୍ୟପକ୍ଷରେ ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାର ଅଧିକାଂଶ ଜିଲ୍ଲାଗୁଡ଼ିକର ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା)ରେ ୩ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ହ୍ରାସ ଘଟିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ବୁଧବାର ରାଜ୍ୟର ୨ଟି ସହରର ତାପମାତ୍ରା ୪୦ଡିଗ୍ରୀ ଛୁଇଁଛି । ସେଥିମଧ୍ୟରୁ ବଲାଙ୍ଗିରର ତାପମାତ୍ରା ସର୍ବାଧିକ ୪୧.୨ଂ ରହିଥିବା ବେଳେ ଟିଟିଲାଗଡ ୪୦.୪ଂ ରେକର୍ଡ କରାଯାଇଛି । ଭୁବନେଶ୍ୱରର ତାପମାତ୍ରା ୩୬.୩ଂ ଏବଂ କଟକରେ ୩୬.୪ଂ ରହିଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *