ଏଡ୍ସ୍ ପାଇଁ ଆସିବ ଭାକ୍ସିନ୍

ଗୋଟିଏ ଡୋଜ୍ରେ ଏଚ୍ଆଇଭି ସଂକ୍ରମଣରୁ ମୁକ୍ତି ମିଳିବ
ନୂଆଦିଲ୍ଲୀ (ଏଜେନ୍ସି): ନିକଟରେ ଏକ ନିର୍ଦ୍ଦିଷ୍ଟ ବର୍ଗର କ୍ୟାନସର ପାଇଁ ଏକ ମେଡିସିନ୍ ଉଦ୍ଭାବନ କରାଯାଇଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଦାବି କରିଛନ୍ତି । ଏହାକୁ ନେଇ ବିଶ୍ୱବ୍ୟାପୀ ଏକ ନିଆରା ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ଏଚ୍ଆଇଭି/ ଏଡ୍ସ୍ ଭଳି ଭୟଙ୍କର ତଥା ପ୍ରାଣଘାତୀ ରୋଗ ପାଇଁ ମଧ୍ୟ ସେପରି କିଛି ସଫଳତା ମିଳିଥିବା ଦାବି କରାଯାଉଛି । ଇସ୍ରାଏଲର ତେଲ ଅବିବ୍ ସ୍ଥିତ ବିଶ୍ୱବିଦ୍ୟାଳୟର ଗବେଷକ ଦଳ ଏଭଳି ଏକ ଭ୍ୟାକ୍ସିନ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି, ଯାହାର ଗୋଟିଏ ଡୋଜ୍ ମଧ୍ୟ ଏଡ୍ସ୍ ଆକ୍ରାନ୍ତ ବ୍ୟକ୍ତିଙ୍କୁ ସମ୍ପୂର୍ଣ୍ଣ ଆରୋଗ୍ୟ କରିବା ପାଇଁ ଅର୍ଥାତ୍ ଏଡ୍ସ୍ ଭୂତାଣୁକୁ ଶତପ୍ରତିଶତ ନଷ୍ଟ କରିବା ପାଇଁ ଯଥେଷ୍ଟ ବୋଲି କୁହାଯାଉଛି ।
ଆକ୍ୱାଏଡ୍ ଇମୁ୍ୟନୋ ଡେଫିସିଏନ୍ସି ସିଣ୍ଡ୍ରୋମ୍ (ଏଡ୍ସ୍), ସାଧାରଣତଃ ମଣିଷର ରୋଗପ୍ରତିରୋଧ ଶକ୍ତି ହୀନତାଜନିତ ଭାଇରସ୍ କାରଣରୁ ହୋଇଥାଏ । ସିମ୍ପାଜିଙ୍କ ଠାରୁ ମଣିଷଙ୍କୁ ଏହି ଭୂତାଣୁ ବିଂଶ ଶତାବ୍ଦୀରେ ହିଁ ସଂକ୍ରମିତ ହୋଇଥିଲା । ମୁଖ୍ୟତଃ ଏହା ଏକ ଯୌନରୋଗ ଏବଂ ଏଥିରେ ସଂକ୍ରମିତ ବ୍ୟକ୍ତିବିଶେଷଙ୍କ ସିମେନ୍, ଫ୍ଲୁଇଡ୍ କିମ୍ବା ରକ୍ତ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କୁ ଏହା ଅତି ସହଜରେ ସଂକ୍ରମିତ ହୋଇଥାଏ । ତେବେ ବର୍ତ୍ତମାନ ସୁଦ୍ଧା ଏଡ୍ସ୍ ପାଇଁ କୌଣସି ସ୍ଥାୟୀ ଚିକିତ୍ସା ବ୍ୟବସ୍ଥା ନଥିବା କାରଣରୁ କେବଳ ଯୌନ ସଂଯମତା ଏବଂ ପ୍ରତିକାର ବ୍ୟବସ୍ଥା (କଣ୍ଡୋମ) ଗ୍ରହଣ ପୂର୍ବକ ଏହି ରୋଗ ବା ଭୂତାଣୁ ଠାରୁ ଦୂରେଇ ରହିବା ସମ୍ଭବ ହୋଇପାରିବ ବୋଲି କୁହାଯାଉଛି ।
ବିଶ୍ୱବିଦ୍ୟାଳୟର ଏହି ବୈଜ୍ଞାନିକମାନେ ଜିନ୍ ଏଡିଟିଂ ଟେକ୍ନୋଲୋଜି (ସିଆରଆଇଏସ୍ପିଆର୍) ଦ୍ୱାରା ଏପ୍ରକାର ଏକ ଭ୍ୟାକ୍ସିନ୍କୁ ବିକଶିତ କରିଛନ୍ତି । ଏହି ଭ୍ୟାକ୍ସିନ୍ରେ ଟାଇପ୍ ବି ଶ୍ୱେତ ରକ୍ତ କଣିକାକୁ ବ୍ୟବହାର କରାଯାଇଛି । ଏହାଦ୍ୱାରା ବ୍ୟକ୍ତିବିଶେଷଙ୍କ ଶରୀରରେ ରୋଗ ପ୍ରତିରୋଧ ପ୍ରକ୍ରିୟାରେ ଏଚ୍ଆଇଭି ଭୂତାଣୁ ସହ ଲଢ଼ିବା ଭଳି ଶକ୍ତିଶାଳୀ ତଥା ସୁରକ୍ଷିତ ଆଣ୍ଟିବଡି ବିକଶିତ ହୋଇଥାଏ । ଯେଉଁମାନେ ଏଡ୍ସ୍ ଭଳି ମହାମାରୀ ଦ୍ୱାରା ସଂକ୍ରମିତ ଅଛନ୍ତି ସେମାନଙ୍କ ରୋଗପ୍ରତିରୋଧ ଶକ୍ତି ଅତ୍ୟନ୍ତ ଦୁର୍ବଳ ସ୍ତରରେ ରହିଥିବା ବେଳେ ଏହି ଭ୍ୟାକ୍ସିନ୍ ସେମାନଙ୍କ ଶରୀରରେ ଆଣ୍ଟିବଡ଼ି ବିକଶିତ କରିବାରେ ସମର୍ଥ ହେବ । ଏଡ୍ସ୍ ଭୂତାଣୁ ସହ ଲଢ଼ିବାରେ ଏହି ଭ୍ୟାକ୍ସିନ୍ ବେଶ୍ ଉପାଦେୟ ସାବ୍ୟସ୍ତ ହେବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି ।
ଅବଶ୍ୟ ବର୍ତ୍ତମାନ ସମୟରେ କେବଳ ମୂଷାମାନଙ୍କ ଉପରେ ଏହି ଭ୍ୟାକ୍ସିନ୍ର ସଫଳ ପ୍ରୟୋଗ କରାଯାଇଛି । ଆଗାମୀ ଦିନରେ ହୁ୍ୟମାନ୍ ଟ୍ରାଏଲ୍ ଅର୍ଥାତ୍ ମାନବ ପରୀକ୍ଷଣ ମଧ୍ୟ କରାଯିବ । ହୁ୍ୟମାନ୍ ଟ୍ରାଏଲ ସଫଳ ହେଲେ ଏଡ୍ସ୍ ଚିକିତ୍ସା କ୍ଷେତ୍ରରେ ଏହା ଏକ ବଡ଼ ଉପଲବ୍ଧି ସାବ୍ୟସ୍ତ ହେବ ବୋଲି କୁହାଯାଉଛି । ଏତଦ୍ବ୍ୟତୀତ ଏହି ଭ୍ୟାକ୍ସିନ୍ ବିଭିନ୍ନ ମାରାତ୍ମକ ସଂକ୍ରାମକ ରୋଗ ବ୍ୟତୀତ କ୍ୟାନ୍ସର ଏବଂ ବାକି ଅଟୋ ଇମୁ୍ୟନ୍ ରୋଗକୁ ମଧ୍ୟ ଆରୋଗ୍ୟ କରିବାରେ ଉପାଦେୟ ସାବ୍ୟସ୍ତ ହେବ ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି । ଅର୍ଥାତ୍ ଆଜି ପର୍ଯ୍ୟନ୍ତ ମାନବ ସମାଜ ପାଇଁ ଦୂରାରୋଗ୍ୟ ଭାବେ ରହିଆସିଥିବା କ୍ୟାନ୍ସର ଏବଂ ଏଡ୍ସ୍ ଆଦି ରୋଗ ପାଇଁ ଆଗାମୀ ଦିନରେ ସ୍ଥାୟୀ ଚିକିତ୍ସା ବଜାରରେ ଉପଲବ୍ଧ ହେବ ବୋଲି ଆଶା ସଞ୍ଚାର ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *