କଲ୍ୟାଣ ମଣ୍ଡପ ଓ ପାହାଚ ବନ୍ଧ ପୋଖରୀ କାମ ଅଧପନ୍ତରିଆ
ଖଲ୍ଲିକୋଟ (ଆପ୍ର): ଖଲ୍ଲିକୋଟ ଏନ୍ଏସିକୁ ଗଞ୍ଜାମ ଜିଲ୍ଲାର ଅନ୍ୟ ଏନ୍ଏସି ଗୁଡିକର ବିକାଶ ସହ ତଳ ମେଲାଇ ଖଲ୍ଲିକୋଟ ସହରରେ ବିକାଶକୁ ତ୍ୱରାନ୍ୱିତ କରିବାକୁ ଉଦ୍ୟମ କରାଯାଉଛି । ମିନି ବସ୍ଷ୍ଟାଣ୍ଡ, ଭେଣ୍ଡିଂ ଜୋନ୍ ଓ ସମସ୍ତ ପୋଖରୀକୁ ଆଧୁନିକରଣ ଓ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ଶ୍ମଶାନ ଗୁଡିକର ଉନ୍ନତିକରଣ ସାଙ୍ଗକୁ ଖଲ୍ଲିକୋଟକୁ ସୌନ୍ଦର୍ଯ୍ୟକରଣ କରିବା ଚଳିତ ବର୍ଷ ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ପରିଷଦ ବୈଠକ ବସି ୪୨କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସଂକଳ୍ପ ନେଇଥିଲେ । ମାତ୍ର ଠିକାଦାର ଓ ପରିଷଦ ମଧ୍ୟରେ ଉତ୍ତମ ସାମାନ୍ୟ ଅଭାବରୁ ଗତ ୧୦ଦିନ ହେଲା ଠିକାଦାରମାନେ ନିର୍ମାଣଧିନ କାର୍ଯ୍ୟଗୁଡିକ ବନ୍ଦ କରିବା ଫଳରେ ଅଚଳାବସ୍ଥା ଜାରି ରହିଛି । କେତେକ ଅସାଧୁ ଠିକାଦାର ନିର୍ମାଣ ନାମରେ ପରିଷଦ ଅର୍ଥକୁ ହରିଲୁଟ୍ କରିବା ଉଦ୍ୟମ ଚଳାଇବା ଫଳରେ ଠିକାଦାରମାନଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେହିପରି ଗତ ୨୦୧୩ ମସିହାରୁ ୩୨ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ କଲ୍ୟାଣ ମଣ୍ଡପ ଓ ପାହାଚ ବନ୍ଧ ସ୍ମାର୍ଟ ପୋଖରୀ ୮୫ଲକ୍ଷ ଟଙ୍କା ବ୍ୟୟରେ ଗତ ୩ବର୍ଷ ହେଲା ଆରମ୍ଭ ହୋଇଥିବା ବେଳେ ଏଯାବତ୍ ଏହା ପୂର୍ଣ୍ଣାଙ୍ଗ ନହୋଇ ଅଧପନ୍ତରିଆ ଭାବେ ପଡ଼ିରହିଛି । ଏଣେ ନୂତନ ପରିଷଦ ୪୨କୋଟି ଟଙ୍କାର ବିକାଶର ସ୍ୱପ୍ନ ଦେଖୁଛି । ଏଣେ ସମସ୍ତ ଯୋଜନା ଅଧାରେ ଥିବାବେଳେ ପୁଣି ବିକାଶ ଆଡ଼କୁ ମୁହାଁଇବ ଏହା ବହୁ ଆଡମ୍ବରରେ ଲଘୁ କ୍ରିୟା ଭଳି ହୋଇଛି । ଏଣେ ଅର୍ଦ୍ଧନିର୍ମିତ କଲ୍ୟାଣ ମଣ୍ଡପ ଅସାମାଜିକ ଓ ମଦ୍ୟପମାନଙ୍କ ଆଡ୍ଡାରେ ପରିଣତ ହେଲାଣି । ତେଣୁ ଏହା ସହରବାସୀଙ୍କ ସେବାରେ କେବେ ଲାଗିବ ତାହା ଦେଖିବାକୁ ରହିଲା । ସହରରେ ବୁଲା ଗୋରୁଗାଈ ଓ କୁକୁର ସଂଖ୍ୟା ବୃଦ୍ଧି ପାଇଁ କ୍ଲିନ୍ ଗଞ୍ଜାମକୁ ଉପହାସ କରୁଥିବା ବେଳେ ଟ୍ରାଫିକ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି ।