ଦିଲ୍ଲୀରେ କଂଗ୍ରେସର ଉଗ୍ର ବିକ୍ଷୋଭ
ରାହୁଲଙ୍କୁ ଇଡି ଜେରାର ପ୍ରତିବାଦ
ନୂଆଦିଲ୍ଲୀ, ୧୫ା୬: ନ୍ୟାସ୍ନାଲ୍ ହେରାଲ୍ଡ ଧନଶୋଧନ (ମନି ଲଣ୍ଡରିଂ) ମାମଲାରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀଙ୍କୁ କ୍ରମାଗତ ତୃତୀୟ ଦିନରେ ବୁଧବାର ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ (ଇଡି) ଅଧିକାରୀମାନେ ଜେରା ଜାରି ରଖିଥିବାବେଳେ ଦିଲ୍ଲୀରେ ଦଳୀୟ ନେତା ଓ କର୍ମୀମାନେ ଉଗ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଇଡି ମୁଖ୍ୟାଳୟ ବାହାରେ ଟାୟାର ଜାଳି ପ୍ରତିବାଦ ଜଣାଇଛନ୍ତି । ବୁଧବାର ଇଡି ମୁଖ୍ୟାଳୟ ଆଖପାଖରେ ଶହଶହ ପୁଲିସ୍ ମୁତୟନ କରାଯାଇଥିବା ଦେଖିବାକୁ ମିଳିଥିଲା ।
ନିଷେଧାଜ୍ଞା (ଧାରା ୧୪୪) ଉଲ୍ଲଂଘନ କରିଥିବାରୁ ଗତ ତିନିଦିନ ଭିତରେ ସଚିନ୍ ପାଇଲଟଙ୍କ ସମେତ କଂଗ୍ରେସର ୮ଠଠ ବରିଷ୍ଠ ନେତା ଓ କର୍ମକର୍ତ୍ତାଙ୍କୁ ଗିରଫ କରାଯାଇଥିବା ଦିଲ୍ଲୀ ପୁଲିସ୍ ସୂତ୍ରରୁ ଜଣାପଡ଼ିଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ପାର୍ଟି ପ୍ରବକ୍ତା ରଣଦୀପ ସିଂ ସୁରଜେୱାଲା କହିଛନ୍ତି, ଗୁରୁବାର ସବୁ ରାଜ୍ୟରେ ରାଜଭବନ ଘେରାଉ କରାଯିବ ଏବଂ ଶୁକ୍ରବାର ଜିଲ୍ଲାସ୍ତରରେ ଜୋର୍ଦାର ବିକ୍ଷୋଭ ପ୍ରଦର୍ଶନ କରାଯିବ ।
ସୁରଜେୱାଲା କହିଛନ୍ତି, ଦିଲ୍ଲୀ ପୁଲିସ୍ ମୋଦି ସରକାରଙ୍କ ଇସାରାରେ ଦମନମୂଳକ କାର୍ଯ୍ୟ ଜାରି ରଖିଛି । ଏଆଇସିସି କାର୍ଯ୍ୟାଳୟରେ ଅନୁପ୍ରବେଶ କରି ଦଳୀୟ କର୍ମକର୍ତ୍ତାଙ୍କୁ ପୁଲିସ୍ ମାଡ଼ ଦେଇଛି । ଆମେ ଗାନ୍ଧିବାଦୀ, ଶାନ୍ତିପ୍ରିୟ ଓ ଅହିଂସାପନ୍ଥୀ ।
କଂଗ୍ରେସ ସାଂସଦ ଦୀପେନ୍ଦ୍ର ସିଂ ହୁଡ୍ଡା କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ଆମକୁ ଏଆଇସିସି କାର୍ଯ୍ୟାଳୟକୁ ଯିବାପାଇଁ ରୋକାଯାଉଛି । ମୋ ସରକାରୀ ବାସଭବନ ପରିସରକୁ ବାରିକେଡ୍ ଦ୍ୱାରା ସିଲ୍ କରିଦିଆଯାଇଛି । ଏହା ରାଜନୈତିକ ପ୍ରତିଶୋଧର ନମୁନା ।