ଭାରତ ମ୍ୟାଚ୍ ଆୟୋଜନ କରିବ କଳିଙ୍ଗ
ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍
ଭୁବନେଶ୍ୱର, ୧୫ା୬ (ବୁ୍ୟରୋ): ଫିଫା ଓ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତ ୨୦୨୨ର ସ୍ଥାନୀୟ ଆୟୋଜକ କମିଟି (ଏଲ୍ଓସି) ପକ୍ଷରୁ ବୁଧବାର ଏହି ଦ୍ୱିବାର୍ଷିକ ଯୁବ ଟୁର୍ଣ୍ଣାମେଣ୍ଟର ସାରଣୀ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ତଦନୁଯାୟୀ ଭାରତର ମ୍ୟାଚ୍ଗୁଡ଼ିକୁ ଚଳିତ ବର୍ଷ ଅକ୍ଟୋବର ୧୧, ୧୪ ଓ ୧୭ ତାରିଖରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଆୟୋଜନ କରାଯିବ ।
ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଆଗାମୀ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ଭାରତ ୨୦୨୨ରେ ଭାରତୀୟ ମ୍ୟାଚ୍ଗୁଡ଼ିକୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆୟୋଜନ କରିବ ବୋଲି ଜାଣି ଆମେ ଅତ୍ୟନ୍ତ ଆନନ୍ଦିତ ଓ ଉଲ୍ଲସିତ । ଏହି ଅଗ୍ରଣୀ କ୍ରୀଡ଼ା ସ୍ଥଳ ଏହି ଗ୍ରାଣ୍ଡ୍ ଟୁର୍ଣ୍ଣାମେଣ୍ଟ ପାଇଁ ହୋମ୍ ଟିମ୍ ଦରକାର କରୁଥିବା ପରିବେଶ ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛି ।”
ପୂର୍ବରୁ ଉଭୟ ଜୁନିଅର ଓ ସିନିଅର ପୁରୁଷଙ୍କ ହକି ବିଶ୍ୱକପ୍ ଆୟୋଜନ କରିସାରିଥିବା ଓଡ଼ିଶାର ସଫଳତାରେ ଏହା ଆଉ ଏକ ପ୍ରମୁଖ ଫର୍ଦ୍ଦ ଯୋଡ଼ିଛି । ରାଜ୍ୟ ପ୍ରମୁଖ ଘରୋଇ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ – ଆଇଏସ୍ଏଲ୍, ଆଇ-ଲିଗ୍, ଇଣ୍ଡିଆନ୍ ସୁପର୍ କପ୍ ଓ ଇଣ୍ଡିଆନ୍ ୱିମେନ୍ସ ଲିଗ୍ ଆଦି ଆୟୋଜନ କରିଛି ।
ଏ ସମ୍ପର୍କରେ ଏଲ୍ଓସିର ପ୍ରକଳ୍ପ ନିର୍ଦେଶକ ଅଙ୍କୁଶ ଅରୋରା ଓ ନନ୍ଦିନୀ ଅରୋରା କହିଛନ୍ତି ଯେ ମହିଳା ଫୁଟ୍ବଲ୍କୁ ଆଗକୁ ବଢ଼ାଇବା ଲକ୍ଷ୍ୟାନୁଯାୟୀ ସମର୍ଥନ ପ୍ରଦାନ କରିଥିବାରୁ ଫିଫା, ଆୟୋଜକ ରାଜ୍ୟ ଓ ସମସ୍ତ ଅଂଶୀଦାରଙ୍କ ନିକଟରେ ସେମାନେ କୃତଜ୍ଞ । ଯୋଜନା ଅନୁସାରେ ଭାରତରେ ପ୍ରତିଯୋଗିତା ଆୟୋଜନ କରିବା ଲାଗି ପ୍ରସ୍ତୁତି ଆଗେଇ ଚାଲିଛି ଏବଂ ଏକ ସଫଳ ଟୁର୍ଣ୍ଣାମେଣ୍ଟ ପ୍ରଦାନ କରିବାକୁ ସେମାନେ ଦୃଢ଼ ନିଶ୍ଚିତ ଅଛନ୍ତି, ଯାହା ଭବିଷ୍ୟତର ଫୁଟ୍ବଲ୍ ତାରକାଙ୍କୁ ଚମକିବା ଲାଗି ମଞ୍ଚ ପ୍ରଦାନ କରିବ ।’
ଘୋଷଣା ହୋଇଥିବା ସାରଣୀ ଅନୁସାରେ ଅକ୍ଟୋବର ୧୮ ସୁଦ୍ଧା ୨୪ ଗ୍ରୁପ୍ ଟିମ୍ ଖେଳ ଶେଷ ହେବ ଏବଂ ଏହି ମ୍ୟାଚ୍ଗୁଡ଼ିକୁ ଓଡ଼ିଶା, ଗୋଆ ଓ ମହାରାଷ୍ଟ୍ର ଆୟୋଜନ କରିବେ । ଏହି ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର୍-ଫାଇନାଲ୍ ଅକ୍ଟୋବର ୨୧ ଓ ୨୨ରେ ଅନୁଷ୍ଠିତ ହେବ । ତା’ ପରେ ଫଟୋର୍ଦାର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମ୍ରେ ଅକ୍ଟୋବର ୨୬ରେ ସେମିଫାଇନାଲ୍ ଖେଳାଯିବ । ତା’ର ଚାରି ଦିନ ପରେ ତୃତୀୟ ସ୍ଥାନ ପାଇଁ ଏକ ମ୍ୟାଚ୍ ହେବ ଓ ଡିୱାଇ ପାଟିଲ୍ ଷ୍ଟାଡିୟମ୍ରେ ଚାରି ୮ଟାରେ ଫାଇନାଲ୍ ମ୍ୟାଚ୍ ଅନୁ୍ଷ୍ଠିତ ହେବ । ଓଡ଼ିଶାରେ କିକ୍ ଅଫ୍ ଦି ଡ୍ରିମ୍ ଫୁଟ୍ବଲ୍ କାର୍ନିଭାଲ୍ର ଦୁଇଟି ସଂସ୍କରଣ ଆୟୋଜନ କରାଯାଇଥିଲା ।