ପ୍ରଥମ ଭୂଇଁରେ କଇଁଚି ନିର୍ମାଣ ଜାରି

ପୁରୀ (ବୁ୍ୟରୋ): ୧୫ ଦିନ ପରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ଚଳଚଞ୍ଚଳ ରଥଖଳା । ଦ୍ରୁତଗତିରେ ଜାରି ରହିଛି ରଥ ନିର୍ମାଣ । ପରମ୍ପରା ଅନୁଯାୟୀ ରଥ ନିର୍ମାଣ ହେବାକୁ ଥିବାବେଳେ ତାହାଠାରୁ ବହୁଆଗରେ ଜାରି ରହିଛି ରଥ ନିର୍ମାଣ । ଗତକାଲି ପ୍ରଥମ ଭୂଇଁ ନିର୍ମାଣ ଚାଲିଥିବାବେଳେ ବୁଧବାର ତିନିରଥର ପ୍ରଥମ ଭୂଇଁରେ କଇଁଚି ଫିଟିଙ୍ଗ୍ ହେବାସହ ପୋଟଳ କାର୍ଯ୍ୟ ଜାରି ରହିଛି । ବିଶ୍ୱକର୍ମାମାନେ ମାପଚୁପ କରି କଣ୍ଟା ପିଟିବାରେ ବ୍ୟସ୍ତ । ବଡ଼ପୋଟଳ ଉଠିବାପରେ ରଥ ଉପରେ ଠିଆ ହୋଇ ଭୋଇ ସେବକମାନେ ହରିବୋଲ ପକାଇବାର ବିଧି ରହିଛି । ସେହିପରି କଇଁଚି ଚାରିନାହାକା ଭିତର ଦୁଇପାଶ୍ୱର୍ର ମୂଳଗରଗରା ସହିତ ଫିଟିଙ୍ଗ୍ କରାଯାଇଛି । ସେହିପରି ତିନିରଥର ଭୂଇଁ ଉପରେ ବଡ଼ଧରା ପୋଟଳ ଉଠିବ । ଏଥିସହ ଦଣ୍ଡା ସହ କୋଣଗୁଜରେ ନୂଆ ଏଲ୍ ପ୍ଲେଟ୍ ଫିଟିଙ୍ଗ୍ କରାଯାଇଛି ।
ସେହିପରି ଦଣ୍ଡା, ଜଳଯନ୍ତ୍ର, ନୀରଡି ଓ ମୁହାଟରେ ପ୍ଲେଟ୍ ଫିଟିଙ୍ଗ୍ କରାଯାଇଛି । ଅନ୍ୟପକ୍ଷରେ ତିନିରଥର କଳସପେଣ୍ଡି ନିର୍ମାଣ ଶେଷ ହୋଇଥିବାବେଳେ ଉପରଭାଗ ଓ ତଳଭାଗରେ ପାଖୁଡ଼ା ଲାଗିବା ପାଇଁ ସେଥିରେ ୧୬ଟି ଲେଖାଏଁ ୩୨ଗୋଟି ବିନ୍ଧ କରାଯିବ । ରୂପକାର ସେବକମାନେ ତିନିରଥର ସିଂହାସନରେ ତୁମ୍ବଡାଳି ଲତା ଖୋଦେଇ ଜାରି ରଖିଛନ୍ତି । ସେହିପରି ଦୋଳବେଦୀସ୍ଥ ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନିରଥ ନିମନ୍ତେ କଣ୍ଟା ନିର୍ମାଣରେ ନିମଗ୍ନ ରହିଛନ୍ତି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *