ଆଜିଠୁ ଅଲାରନାଥ ଦର୍ଶନ
ପୁରୀ/ବ୍ରହ୍ମଗିରି,୧୪ା୬(ଆପ୍ର): ବୁଧବାରଠାରୁ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ସ୍ନାନପୂର୍ଣ୍ଣମୀରେ ୧୦୮ କଳସ ସୁବାସିତ ଜଳରେ ମହାସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରଗ୍ରସ୍ତୁ ହୋଇ ଅଣସରପିଣ୍ଡିକୁ ବିଜେ କରିଛନ୍ତି । ଏଠାରେ ମହାପ୍ରଭୁଙ୍କୁ ଆରୋଗ୍ୟ କରିବା ନିମିତ୍ତ ୧୫ ଦିନ ଗୁପ୍ତସେବା ନୀତି ଆୟୋଜିତ ହେବ । ଜ୍ୱରାକ୍ରାନ୍ତ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ମିଳି ନ ଥାଏ । କିନ୍ତୁ ଏହି ସମୟରେ ବ୍ରହ୍ମଗିରିସ୍ଥିତ ମହାପ୍ରଭୁ ଅଲାରନାଥଙ୍କ ପୀଠ ଦ୍ୱିତୀୟ ଶ୍ରୀକ୍ଷେତ୍ର ପାଲଟେ ଏବଂ ଶ୍ରଦ୍ଧାଳୁମାନେ ମହାପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଜଗନ୍ନାଥଙ୍କ ଦର୍ଶନର ସମ ଫଳପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ଅଛି । ଅଲାରନାଥଙ୍କ ପୀଠରେ ଶ୍ରୀମନ୍ଦିର ଭଳି ମହାପ୍ରସାଦ ଓ ପ୍ରସିଦ୍ଧ କ୍ଷୀରୀ ପ୍ରସାଦ ମିଳିବ ।
ମହାମାରୀ କରୋନା କାରଣରୁ ଲଗାତାର ୨ ବର୍ଷ ହେଲା ବିନାଭକ୍ତରେ ଅନବସର ଦର୍ଶନ ନୀତି ସଂପାଦିତ ହୋଇଥିଲା ।
କଟକଣା ହଟିଥିବାରୁ ଏଥର ପ୍ରବଳ ଜନସମାଗମ ସମ୍ଭାବନା ରହିଛି । ନୀତିକାନ୍ତି ଠିକ୍ ସମୟରେ ସମାପନ, ଭକ୍ତଙ୍କ ଦର୍ଶନ ଇତ୍ୟାଦିକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମନ୍ଦିର ଚତୁର୍ପାଶ୍ୱରେ ୨ ପ୍ଲାଟୁନ ମହିଳା ପୁଲିସ ସମେତ ୬ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଜଣେ ଅତିରିକ୍ତି ଏସପି, ଜଣେ ଡିଏସପି, ଜଣେ ଏସ୍ଡିପିଓ, ୩ ଇନ୍ସପେକ୍ଟର, ୨୦ ଅଫିସର ରହିବେ । ମନ୍ଦିର ଆଗରେ ପୁଲିସ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯାଇଛି । ଲୁଟେରାଙ୍କୁ କାବୁକରିବା ପାଇଁ ସାଦା ପୋଷାକଧାରୀ ପୁଲିସ ମୁତୟନ ହୋଇଛନ୍ତି ବୋଲି ବ୍ରହ୍ମଗିରି ଥାନା ଆଇଆଇସି ମନୋଜ କୁମାର ଶତପଥି ସୂଚନା ଦେଇଛନ୍ତି ।
ସେହିପରି ଭକ୍ତଙ୍କର ସୁବିଧା ଓ ସୁରକ୍ଷା ନିମନ୍ତେ ୧୬ଟି ସିସି ଟିଭି କ୍ୟାମେରା ଖଞ୍ଜା ଯାଇଛି । ଭକ୍ତ ମାନେ ଧାଡିରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଏଥର ଦର୍ଶନ ପାଇଁ ପାରମାଣିକ ଟିକେଟ୍ ବ୍ୟବସ୍ଥା ବନ୍ଦ୍ କରାଯାଇଛି । ଫଳରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା ସ୍ୱାଭାବିକ ରହିବ । ଦୀପ, କଦଳୀପତ୍ର ଓ ଯାନବାହାନ ରଖିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ନିଦ୍ଦିଷ୍ଟ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଟ୍ରାଫିକ ପାଇଁ ସ୍ୱତନ୍ତ ବ୍ୟବସ୍ଥା ହୋଇଥିବା ବେଳେ ପାନ୍ଥନିବାସଠାରେ ଭିଆଇପି ଓ ଭିଭିଆଇପିଙ୍କ ଗାଡ଼ି ରହିବ । ଅନ୍ୟ ଭକ୍ତମାନଙ୍କ ଗାଡ଼ି ଚନ୍ଦନ ଚକଡା ଥିବା ପାର୍କିଂରେ ରଖାଯିବାର ବ୍ୟବସ୍ଥା ହୋଇଛି । ବସ୍ଗୁଡ଼ିକ ନୂଆ ବସ ଷ୍ଟ୍ରାଣ୍ଡରେ ରହିବେ । ଅଲାରନାଥଙ୍କ ନୀତିକାନ୍ତି ଓ ଦର୍ଶନ ନିମିତ୍ତ ନୀତି ନିର୍ଘଣ୍ଟ କରାଯାଇଥିବା ନେଇ ସେବାୟତ ନିଯୋଗ ପକ୍ଷରୁ ସୂଚନା ଦିଆଯାଇଛି ।
ନୀତି ନିର୍ଘଣ୍ଟ: ରାତି- ୪ ଘଣ୍ଟାରେ ଦ୍ୱାରଫିଟା, ୪.୧୫ ମି- ମଙ୍ଗଳ ଆଳତି, ୪.୩୦ ମି- ଅବକାଶ, ୫ଘ.- ମହାପ୍ରଭୁଙ୍କ ଅନବସର ବେଶ, ୫.୩୦ମି- ବଲ୍ଲଭ ଧୂପ, ୬ ଘ.-ସର୍ବସାଧାରଣ ଦର୍ଶନ, ଦିନ-୦୨ ଘଟିକା- ମଧ୍ୟାହ୍ନ ଧୂପ, ୨.୩୦ମି- ପହଡ଼, ୨.୪୫ମି- ସର୍ବସାଧାରଣ ଦର୍ଶନ, ସଂଧ୍ୟା-୭.୧୦ମି- ସଂଧ୍ୟା ଆରତୀ, ୮ଘ.- ମଇଲମ, ୮.୩୦ମି- ସର୍ବସାଧାରଣ ଦର୍ଶନ, ୧୦.୨୦ମି- ସଂଧ୍ୟା ଧୂପ, ରାତି-୧୦.୫୦ମି.-ବଡସିଂହାର ବେଶ, ୧୨ଘ.-ପହଡ଼ ।