ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି
ଦ୍ୱିତୀୟ ଓ ତୃତୀୟ ଶ୍ରୀକ୍ଷେତ୍ରରେ ସ୍ନାନ ପୂର୍ଣ୍ଣିମା
ବାରିପଦା/ନୀଳଗିରି (ଆପ୍ର): ଜ୍ୟେଷ୍ଠ ମାସର ପବିତ୍ର ପୂର୍ଣ୍ଣମୀ ତିଥିରେ ନିରାଡ଼ମ୍ବରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଛି । ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ଦେବସ୍ନାନ ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଦ୍ୱିତୀୟ ଓ ତୃତୀୟ ଶ୍ରୀକ୍ଷେତ୍ର । ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଦେବସ୍ନାନ ପୂର୍ଣ୍ଣିମା ମହାଆଡ଼ମ୍ବରରେ ପାଳିତ ହୋଇଛି ।
ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦାରେ ଏହି ଅଲୌକିକ ସ୍ନାନ ଯାତ୍ରା ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଛି । ଶ୍ରୀଶ୍ରୀଶ୍ରୀ ହରିବଳଦେବ ବିଜେ ମହାପ୍ରଭୁଙ୍କ ମନ୍ଦିରରୁ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ସୁଦର୍ଶନ ବଡ଼ଦେଉଳରୁ ମଙ୍ଗଳ ଆରତି ସାରି ଗୋଟି ପହଣ୍ଡି ଦ୍ୱାରା ସ୍ନାନ ମଣ୍ଡପରେ ବିଜେ କରିଥିଲେ । ଗଙ୍ଗା ଆବାହନ କରି ୧୦୮ ଲେଖାଏଁ ପଇଡ଼, କର୍ପୁର, ଚନ୍ଦନ, ସୁବାସିତ ଜଳରେ ସ୍ନାନ କରିଥିଲେ ତିନି ଠାକୁର ।
ଗତ ଦୁଇ ବର୍ଷ କରୋନା କଟକଣା ଯୋଗୁ ଭକ୍ତଙ୍କ ଦର୍ଶନ ସଂପୂର୍ଣ୍ଣ ରୂପେ ବନ୍ଦ କରାଯାଇଥିଲା । ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଋଷିକେଶ ଧ୍ୟାନଦେଓ ଖିଲାରୀଙ୍କ ତତ୍ତ୍ୱାବଧାନରେ ଜଣେ ଆଡିସନାଲ୍ ଡିଏସ୍ପି, ୪ ଡିଏସ୍ପି, ୩୦ ପୁଲିସ ଅଧିକାରୀ ଓ ୬ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବାରିପଦା ସଦର ଏସ୍ଡିପିଓ କେକେ ହରିପ୍ରସାଦ ସୂଚନା ଦେଇଛନ୍ତି । ଠାକୁରଙ୍କ ନୀତିକାନ୍ତିରେ ଯେପରି କୌଣସି ଅବହେଳା ନ ହୁଏ ସେଥିପାଇଁ ମନ୍ଦିର ସେବାୟତମାନେ ଅନବରତ ଲାଗି ରହିଥିଲେ । ସ୍ନାନ ପରେ ଶ୍ରୀ ବିଗ୍ରହମାନେ ଚନ୍ଦନ ବେଶ, ଗଜାନନ ବେଶରେ ସାଧାରଣରେ ଦର୍ଶନ ଦେଇଥିଲେ । ବିଳମ୍ବିତ ରାତିରେ ନୀତିକ୍ରାନ୍ତି ସାରି ପ୍ରଭୁ ଅଣସର ଘରକୁ ଯିବାର କାର୍ଯ୍ୟକ୍ରମ ଥିବା ମନ୍ଦିର ପୂଜକ କାମେଶ୍ୱର ତ୍ରିପାଠୀ କହିଛନ୍ତି ।
ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ସ୍ନାନମଣ୍ଡପରୁ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଚତୁର୍ଦ୍ଧାମୂର୍ତ୍ତିି । ରତ୍ନବେଦୀରୁ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସ୍ନାନମଣ୍ଡପକୁ ଅଣାଯିବା ପରେ ଶହେ ଆଠ କଳସ ସୁବାସିତ ଜଳରେ ସ୍ନାନ କରାଯାଇଛି । ପୂର୍ବାହ୍ନରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ମହାପ୍ରଭୁଙ୍କ ରୀତିନୀତି କରାଯାଇଛି । ପ୍ରବଳ ଗରମରେ ସିଝୁଥିବା ଠାକୁରଙ୍କ ଲୀଳା ଅପାର । ଅପରାହ୍ଣରେ ଘଡ଼ଘଡ଼ି ସହ ବର୍ଷା ହେବା ଫଳରେ ସ୍ୱୟଂ ଇନ୍ଦ୍ରଦେବ ମହାପ୍ରଭୁଙ୍କ ଉପରେ ଜଳ ସିଞ୍ଚନ କରିଛନ୍ତି ବୋଲି କୁହାଯାଏ । ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନପାଇଁ ସକାଳରୁ ରାତ୍ରି ପର୍ଯ୍ୟନ୍ତ ବଡ଼ଦାଣ୍ଡରେ ପ୍ରବଳ ଭକ୍ତ ସମାଗମ ହୋଇଥିଲା ।