୪୮,୩୯୦ କୋଟିରେ ବିକ୍ରି ହେଲା ଆଇପିଏଲ୍ ମିଡିଆ ରାଇଟ୍ସ
ଷ୍ଟାର୍ ‘ଟିଭି’ ଓ ଭାୟକମ୍ ୧୮ ‘ଡିିଜିଟାଲ୍’ ରାଇଟ୍ସ କିଣିଲେ
ମୁମ୍ବାଇ, ୧୪ା୬ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ପାଞ୍ଚ ସିଜନ୍ (୨୦୨୩ରୁ ୨୦୨୭)ର ମିଡିଆ ରାଇଟ୍ସର ନିଲାମୀରୁ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୪୮,୩୯୦.୫୨ କୋଟି ଟଙ୍କା ପାଇଛି । ଡିଜ୍ନୀ ଷ୍ଟାର୍ ଭାରତୀୟ ଉପମହାଦେଶର ଟିଭି ରାଇଟ୍ସକୁ ୨୩,୫୭୫ କୋଟି ଟଙ୍କାରେ କିଣିଛି । ଭାଇକମ୍ ୧୮ ଡିଜିଟାଲ୍ ରାଇଟ୍ସକୁ ୨୦,୫୦୦ କୋଟି ଟଙ୍କାରେ ଏବଂ ବଛା ବଛା ୯୮ ମ୍ୟାଚ୍ର ନନ୍ ଏକ୍ସକ୍ଲୁସିଭ୍ ଡିଜିଟାଲ୍ ରାଇଟ୍ସକୁ ୩,୨୫୮ କୋଟି ଟଙ୍କାରେ କିଣିଥିବା ଜଣାପଡ଼ିଛି ।
ଭାରତୀୟ ଉପମହାଦେଶ ବାହାରର ରାଇଟ୍ସ ଭାୟକମ୍ ୧୮ ଓ ଟାଇମ୍ସ ଇଣ୍ଟରନେଟ୍ କିଣିଛନ୍ତି । ଏଥିପାଇଁ ୧୦୫୭ କୋଟି ଟଙ୍କାର ନିଲାମଡାକ ହୋଇଥିଲା । ଏହିଭଳି ଭାବେ ଚାରି ପ୍ୟାକେଜ୍କୁ ମିଶାଇ ୪୮,୩୯୦.୫୨ କୋଟି ଟଙ୍କାର ଅର୍ଥରାଶି ବିସିସିଆଇକୁ ମିଳିଛି ।
ଷ୍ଟାର୍ ଟିଭି ପ୍ରସାରଣ ପାଇଁ ଗୋଟିଏ ମ୍ୟାଚ୍ ବାବଦରେ ୫୭.୫ କୋଟି ଟଙ୍କା ଦେବ । ଭାୟକମ୍ ୧୮ ଡିଜିଟାଲ୍ ପ୍ଲାଟ୍ଫର୍ମରେ ପ୍ରସାରଣ ପାଇଁ ମ୍ୟାଚ୍ ପିଛା ୫୦ କୋଟି ଟଙ୍କା ଦେବ । ପ୍ରତି ସିଜନ୍ରେ ନନ୍ ଏକ୍ସକ୍ଲୁସିଭ୍ ଡିଜିଟାଲ୍ ରାଇଟ୍ସ ପାଇଁ ଭାୟକମ୍ ମ୍ୟାଚ୍ ପାଇଁ ୩୩.୨୪ କୋଟି ଟଙ୍କା ଦେବ । ପୂର୍ବ ଥର ଷ୍ଟାର୍ ଟିଭି ଓ ଡିଜିଟାଲ୍ ରାଇଟ୍ସ ଉଭୟକୁ ୧୬,୩୪୮ କୋଟି ଟଙ୍କାରେ କିଣିଥିଲା । ଏଥର ଏହି ଅର୍ଥରାଶିରେ ପ୍ରାୟ ତିନି ଗୁଣ ବୃଦ୍ଧି ଘଟିଛି ।
ବିସିସିଆଇକୁ ଆଇପିଏଲ୍ର ପ୍ରତି ମ୍ୟାଚ୍ ବାବଦରେ ୧୧୮ କୋଟି ଟଙ୍କା ମିଳିବ । ଫଳରେ ଗୋଟିଏ ମ୍ୟାଚ୍ର ବ୍ରଡ୍କାଷ୍ଟ ରାଇଟ୍ସ କ୍ଷେତ୍ରରେ ଆଇପିଏଲ୍ ବିଶ୍ୱର ଦ୍ୱିତୀୟ ସବୁଠାରୁ ଦାମୀ ଲିଗ୍ ହୋଇଛି । ଆଇପିଏଲ୍ ଇପିଆଇ (ପ୍ରତି ମ୍ୟାଚ୍କୁ ୮୬ କୋଟି ଟଙ୍କା)କୁ ପଛରେ ପକାଇଛି । ଆଇପିଏଲ୍ ଠାରୁ ଅଧିକ ଅର୍ଥରାଶି ଆମେରିକାର ନାସ୍ନାଲ୍ ଫୁଟ୍ବଲ୍ ଲିଗ୍ (ଏନ୍ଏଫ୍ଏଲ୍)କୁ ମିଳୁଛି । ଏନ୍ଏଫ୍ଏଲ୍ ପ୍ରତି ମ୍ୟାଚ୍ର ବ୍ରଡ୍କାଷ୍ଟ ରାଇଟ୍ସ ପାଇଁ ୧୩୩ କୋଟି ଟଙ୍କା ପାଉଛି ।