ବିକ୍ରମ ଆରୁଖ ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର,୧୩ା୬(ବୁ୍ୟରୋ): ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ଭାବେ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖ୍ ନିର୍ବାଚିତ ହୋଇଛନ୍ତି । ବାଚସ୍ପତି ନିର୍ବାଚନ ପାଇଁ ବିଧାନସଭାରେ ସୋମବାର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଉପବାଚସ୍ପତି ରଜନୀକାନ୍ତ ସିଂ ବାଚନିକ ଭୋଟ୍ ପରେ ଶ୍ରୀ ଆରୁଖ୍ଙ୍କୁ ବାଚସ୍ପତି ଘୋଷଣା କରିଛନ୍ତି । ଓଡ଼ିଶା ବିଧାନସଭାର ୨୪ତମ ବାଚସ୍ପତି ଭାବେ ଶ୍ରୀ ଆରୁଖ୍ ଦାୟିତ୍ୱ ଗ୍ରହଣ କରିଛନ୍ତି ।
ସୋମବାର ପୂର୍ବାହ୍ନରେ ଶ୍ରୀ ଆରୁଖ୍ଙ୍କୁ ବାଚସ୍ପତି କରିବା ପାଇଁ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବ ଆଣିଥିଲେ । ଏହି ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା । ଉପବାଚସ୍ପତିଙ୍କ ନିଦେ୍ର୍ଦଶକ୍ରମେ ମୁଖ୍ୟମନ୍ତ୍ରୀ ସଂକ୍ଷିପ୍ତ ବିବୃତ୍ତି ରଖିଥିଲେ । ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ସିପିଏମ୍ ସଦସ୍ୟ ଲକ୍ଷ୍ମଣ ମୁଣ୍ଡା ଶ୍ରୀ ଆରୁଖ୍ଙ୍କ ସମ୍ପର୍କରେ ସଂକ୍ଷେପରେ ଅଭିଭାଷଣ ରଖିଥିଲେ ।
ଗୃହର ଗରିମା ଓ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କୁ ବାଚସ୍ପତି ସମାନ ସୁଯୋଗ ଦେବେ ବୋଲି ବିରୋଧୀ ସଦସ୍ୟ ଆଶା ପ୍ରକାଶ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଶ୍ରୀ ଆରୁଖ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଗୃହର କାର୍ଯ୍ୟକୁ ସୁଚାରୁ ରୂପେ ସଂପାଦନ ନିମନ୍ତେ ସମସ୍ତଙ୍କ ସଦିଚ୍ଛା ଓ ସହଯୋଗ କାମନା କରିଥିଲେ ।
ଦାୟିତ୍ୱ ଗ୍ରହଣ ଅବସରରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ସମେତ ସମସ୍ତ ମନ୍ତ୍ରୀ ଓ ବିଧାୟକ ଉପସ୍ଥିତ ଥିଲେ । ସ୍ମରଣଯୋଗ୍ୟ ଯେ ବରିଷ୍ଠ ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ଅସୁସ୍ଥତା କାରଣରୁ ବାଚସ୍ପତି ପଦ ଛାଡ଼ିଥିଲେ । ଉଲ୍ଲେଖନୀୟ, ୧୯୯୫ ମସିହାରୁ ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀରୁ କ୍ରମାଗତ ୬ ଥର ବିଧାୟକ ହୋଇ ଆସୁଛନ୍ତି । ସେ ୨ଠଠ୮-ଠ୯ରେ ଶାସକ ଦଳର ମୁଖ୍ୟ ସଚେତକ, ୨ଠଠ୯-୧୨ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ଏବଂ ଆଇନ ମନ୍ତ୍ରୀ, ୨ଠ୧୨-୧୪ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ, ସମବାୟ ମନ୍ତ୍ରୀ, ୨ଠ୧୪-୧୬ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ, ୨ଠ୧୬ରୁ ୨ଠ୧୭ ପର୍ଯ୍ୟନ୍ତ ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ୨ଠ୧୭ରୁ ୨ଠ୧୮ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ, ୨ଠ୧୮ରୁ ୨ଠ୧୯ ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ, ସଂସଦୀୟ ବ୍ୟାପାର, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଏବଂ ୨ଠ୧୯ରୁ ୨୦୨୨ ଜୁନ ୪ ତାରିଖ ପର୍ଯ୍ୟନ୍ତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ରାଜ୍ୟ ବିଧାନସଭାର ବହୁ ଗୁରୁତ୍ୱପୂର୍ଣ୍ଣ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *