୪୪ ହଜାର କୋଟି ଟପିଲା ନିଲାମ

ଆଇପିଏଲ୍ ମିଡିଆ ରାଇଟ୍ସ
ନୂଆଦିଲ୍ଲୀ,୧୩ା୬ (ଏଜେନ୍ସି): ଇଣ୍ଡିଆନ୍ ପି୍ରମିୟର୍ ଲିଗ୍ (ଆଇପିଏଲ୍)ର ଅଲଗା ଅଲଗା ପାଞ୍ଚଟି ସିଜନ୍ (୨୦୨୩ରୁ ୨୦୨୭)ର ମିଡିଆ ରାଇଟ୍ସର ନିଲାମୀର ଦ୍ୱିତୀୟ ଦିନ ସୋମବାର ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଭାରତୀୟ ଉପମହାଦ୍ୱୀପ ପାଇଁ ଟିଭି ଏବଂ ଡିଜିଟାଲ୍ ରାଇଟ୍ସ ବିକି୍ର ହୋଇଛି । ଟିଭି ରାଇଟ୍ସ ପ୍ରତି ମ୍ୟାଚ୍କୁ ୫୭.୫ କୋଟି ଟଙ୍କା ଏବଂ ଡିଜିଟାଲ୍ ରାଇଟ୍ସ ୫୦ କୋଟି ଟଙ୍କା ହିସାବରେ ମ୍ୟାଚ୍ ନିଲାମ ହୋଇଥିଲା । ଅର୍ଥାତ୍ ଏହାର ସମୁଦାୟ ନିଲାମ ୪୪,୦୭୫ କୋଟି ଟଙ୍କା ହୋଇଛି । ରିପୋର୍ଟ ଅନୁସାରେ, ଟିଭି ରାଇଟ୍ସ ୨୩,୫୭୫ କୋଟି ଏବଂ ଡିଜିଟାଲ୍ ରାଇଟ୍ସ ୨୦,୫୦୦ କୋଟି ଟଙ୍କାରେ ବିକ୍ରି ହୋଇଛି । ମାତ୍ର ନିଲାମୀର ଦ୍ୱିତୀୟ ଦିନ ସୁଦ୍ଧା ରାଇଟ୍ସ ହାସଲ କରିଥିବା କମ୍ପାନୀର ନାଁ ଏଯାବତ୍ ଘୋଷଣା କରାଯାଇନାହିଁ ।
ଗତ ଥର ଷ୍ଟାର୍ ଉଭୟ ଟିଭି ଏବଂ ଡିଜିଟାଲ୍ ରାଇଟ୍ସ ୧୬,୩୪୮ କୋଟି ଟଙ୍କାରେ କିଣିଥିଲା । ଏଭଳି ସ୍ଥିତିରେ ଚଳିତ ଥର ଟିଭି ଏବଂ ଡିଜିଟାଲ୍ ରାଇଟ୍ସ ଗତ ଥରର ତୁଳନାରେ ଦେଢ଼ ଗୁଣା ଅଧିକ । ସୂତ୍ର ଅନୁସାରେ, ଏବେ ବିସିସିଆଇକୁ ଆଇପିଏଲ୍ର ଗୋଟିଏ ମ୍ୟାଚ୍ ପିଛା ୧୦୭.୫ କୋଟି ମିଳିବା ନିଶ୍ଚିତ । ଗୋଟିଏ ମ୍ୟାଚ୍ର ବ୍ରଡ୍କାଷ୍ଟ ରାଇଟ୍ସ ହିସାବରେ ଆଇପିଏଲ୍ ଏବେ ବିଶ୍ୱର ଦ୍ୱିତୀୟ ଦାମୀ ଲିଗ୍ ହୋଇଯାଇଛି । ଆଇପିଏଲ୍ ଇଂଲିଶ୍ ପି୍ରମିୟର୍ ଲିଗ୍ (ଇପିଆଇ) (ମ୍ୟାଚ୍ ପ୍ରତି ୮୬ କୋଟି) ପଛରେ ରହିଛି । ଏବେ ଏହା ଠାରୁ ଅଧିକ ଆୟ ଆମେରିକା ନ୍ୟାସନାଲ୍ ଫୁଟ୍ବଲ୍ ଲିଗ୍ (ଏନ୍ଏଫ୍ଏଲ୍)କୁ ମିଳିସାରିଛି । ଏନ୍ଏଫ୍ଏଲ୍ର ପ୍ରତିି ମ୍ୟାଚ୍କୁ ବ୍ରଡ୍କାଷ୍ଟ ରାଇଟ୍ସ ପାଇଁ ୧୩୩ କୋଟି ଟଙ୍କା ମିଳିଥାଏ । ଅନ୍ୟପକ୍ଷେ ପ୍ରଥମ ପ୍ୟାକେଜ୍ରେ ଭାରତୀୟ ଉପମହାଦ୍ୱୀପର ଟିଭି ରାଇଟ୍ସ ସାମିଲ୍ ହୋଇଛି । ଏହାକୁ ହାସଲ କରିଥିବା କମ୍ପାନୀ ଭାରତ ସମେତ ଦକ୍ଷିଣ ଏସୀୟ ଦେଶରେ ଲିଗ୍ର ଟିଭିରେ ପ୍ରସାରଣ କରିବ । ଏହି ପ୍ୟାକେଜ୍ରେ ଏକ ମ୍ୟାଚ୍ର ମୂଳ ଟଙ୍କା ୪୯ କୋଟି ଥିଲା ।
ଦ୍ୱିତୀୟ ପ୍ୟାକେଜ୍ ଭାରତୀୟ ଉପମହାଦ୍ୱୀପରେ ଡିଜିଟାଲ୍ ରାଇଟ୍ସ ପାଇଁ ଉପଲବ୍ଧ । ଏହାକୁ ହାସଲ କରିଥିବା କମ୍ପାନୀ ଦକ୍ଷିଣ ଏସିଆରେ ଲିଗ୍ର ଡିଜିଟାଲ୍ ପ୍ଲାଟ୍ଫର୍ମରେ ପ୍ରସାରଣ କରିବ । ଏକ ମ୍ୟାଚ୍ର ମୂଳ ଟଙ୍କା ୩୩ କୋଟି ଥିଲା । ତୃତୀୟ ପ୍ୟାକେଜ୍ରେ ୧୮ ମ୍ୟାଚ୍ର ଡିଜିଟାଲ୍ ରାଇଟ୍ସ ସାମିଲ୍ କରାଯାଇଛି । ତା’ମଧ୍ୟରୁ ସିଜନ୍ର ପ୍ରଥମ ମ୍ୟାଚ୍, ସପ୍ତାହନ୍ତରେ ହେଉଥିବା ପ୍ରତ୍ୟେକ ଡବଲ୍ ହେଡର୍ରେ ଥିବା ମ୍ୟାଚ୍ ଏବଂ ୪ଟି ପ୍ଲେଅଫ ମ୍ୟାଚ୍ ରଖାଯାଇଛି । ଗୋଟିଏ ମ୍ୟାଚ୍ର ବେସ୍ ପ୍ରାଇସ୍ ୧୧ କୋଟି । ସେହିଭଳି ଚତୁର୍ଥ ପ୍ୟାକେଜ୍ରେ ଭାରତୀୟ ଉପମହାଦ୍ୱୀପର ବାହାର ଟିଭି ଏବଂ ଡିଜିଟାଲ୍ ପ୍ରସାରଣ ଅଧିକାର ସାମିଲ୍ ଥିବାବେଳେ ଗୋଟିଏ ମ୍ୟାଚ୍ର ବେସ୍ ପ୍ରାଇସ୍ ୩ କୋଟି ।
ଚତୁର୍ଥ ପ୍ୟାକେଜ୍ର ବେସ୍ ପ୍ରାଇସ୍ ଯୋଡ଼ାଗଲେ ୫ ବର୍ଷରେ ହେବାକୁ ଥିବା ୩୭୦ ମ୍ୟାଚ୍ର ସାମଗ୍ରିକ ବେସ୍ ପ୍ରାଇସ୍ ୩୨,୮୯୦ କୋଟି ଟଙ୍କା । ଗତ ଥର (୨୦୧୮ ଓ ୨୦୨୨)ରେ ମିଡିଆ ରାଇଟ୍ସ ୧୬,୩୪୭ କୋଟି ଟଙ୍କାରେ ନିଲାମ କରାଯାଇଥିଲା । ତେବେ ଭାରତୀୟ କି୍ରକେଟ୍ ବୋର୍ଡ ଆଶାବାଦୀ ଅଛି ଯେ, ଚଳିତ ଥର ମିଡିଆ ରାଇଟ୍ସର ନିଲାମୀରୁ ୪୫ରୁ ୫୦ ହଜାର କୋଟି ଟଙ୍କା ଆୟ କରିପାରେ । ଏହି ନିଲାମୀରେ ୮ଟି କମ୍ପାନୀ ସାମିଲ୍ ହୋଇଥିବାବେଳେ ଭାରତୀୟ ଉପମହାଦ୍ୱୀପରେ ଟିଭି ଓ ଡିଜିଟାଲ୍ ରାଇଟ୍ସ (ପ୍ରଥମ ଏବଂ ଦ୍ୱିତୀୟ ପ୍ୟାକେଜ୍) ପାଇଁ ମୁକେଶ ଅମ୍ବାନୀଙ୍କ କମ୍ପାନୀ ବାୟକମ୍ ୧୮ ଏବଂ ଷ୍ଟାର୍ ମଧ୍ୟରେ କଡ଼ା ଟକ୍କର ହେବାର ଆଶା କରାଯାଉଛି । ସୋନି କମ୍ପାନୀ ମଧ୍ୟ ନିଲାମୀକୁ ଓହ୍ଲାଇଛି, କିନ୍ତୁ କମ୍ପାନୀ ଯେଉଁଭଳି ବେସ୍ ପ୍ରାଇସ୍ ଅଧିକ ହୋଇଥିବାର ଆପତ୍ତି କରୁଥିବା ଜଣାଯାଏ ।
ଟାଇମ୍ସ ଇଣ୍ଟରନେଟ୍, ଫନ୍ ଏସିଆ ଏବଂ ଡି୍ରମ୍-୧୧ କେବଳ ଭାରତୀୟ ଉପମହାଦ୍ୱୀପର ଡିଜିଟାଲ୍ ରାଇଟ୍ସ (ଦ୍ୱିତୀୟ ପ୍ୟାକେଜ୍) ପାଇଁ ନିଲାମ କରିପାରେ । ସ୍କାଏ ସ୍ପୋର୍ଟ୍ସ ଏବଂ ସୁପର ସ୍ପୋର୍ଟ୍ସ ବିଦେଶୀ ବଜାର ପାଇଁ ରାଇଟ୍ସ (ଚତୁର୍ଥ ପ୍ୟାକେଜ୍) କିଣିବା ଉପରେ ଅଗ୍ରାଧିକାର ଦେବ । ଉଲ୍ଲେଖଯୋଗ୍ୟ, ୨୦୧୭ରେ ଯେତେବେଳେ ଟିଭି ରାଇଟ୍ସ ନିଲାମ କରାଯାଇଥିଲା ସେସମୟରେ କମ୍ପାନୀ ନିକଟରେ ବିଭିନ୍ନ ନିଲାମକାରୀ ଉପସ୍ଥାପନ କରିବାର ବିକଳ୍ପ ଥିଲା । ଅର୍ଥାତ୍ କମ୍ପାନୀ ଏକକାଳୀନ ଟିଭି ଏବଂ ଡିଜିଟାଲ୍ ପାଇଁ ନିଲାମ କରିପାରିବ । ସେସମୟରେ ଫେସ୍ବୁକ୍ ଡିଜିଟାଲ୍ ରାଇଟ୍ସ ପାଇଁ ୩,୯୦୦ କୋଟି ଟଙ୍କା ଅଫର୍ କରିଥିଲା । ଷ୍ଟାର୍ ଡିଜିଟାଲ୍ ପାଇଁ ଏହାଠାରୁ କମ୍ ପରିମାଣ ଉପସ୍ଥାପନ କରିଥିଲା, କିନ୍ତୁ ରାଇଟ୍ସ ତାକୁ ହିଁ ମିଳିଥିଲା । ଏପରି ହେବାର କାରଣ ଥିଲା ଯେ, ଷ୍ଟାର୍ ଟିଭି ଓ ଡିଜିଟାଲ୍ ପାଇଁ ବିକଳ୍ପ ଦାବିଦାର ଭାବେ ଅଧିକ ପରିମାଣ ଅଫର୍ କରିଥିଲା ।
ଉଲ୍ଲେଖଯୋଗ୍ୟ, ବୋର୍ଡ ଅଫ୍ କି୍ରକେଟ୍ କଣ୍ଟ୍ରୋଲ୍ ଇନ୍ ଇଣ୍ଡିଆ (ବିସିସିଆଇ) ଆସନ୍ତା ପାଞ୍ଚ ବର୍ଷରେ ଆଇପିଏଲ୍ର ୪୧୦ ମ୍ୟାଚ୍ ଆୟୋଜନ କରିପାରେ । ସୂତ୍ର ଅନୁସାରେ, ବୋର୍ଡ ଏହି ପ୍ରସ୍ତାବ ପାଇଁ ପ୍ରସ୍ତୁତ ହେଉଥିବାବେଳେ ମିଡିଆ ରାଇଟ୍ସ ନିଲାମରେ ବ୍ରଡ୍କାଷ୍ଟର୍ସ ମାତ୍ରାଧିକ ନିଲାମ କରନ୍ତୁ ବୋଲି ଆଶା ରଖାଯାଇଛି । ବୋର୍ଡ ୨୦୧୩-୨୪ରେ ୭୪-୭୫ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି । ଏହାପରେ ୨୦୨୫ ଏବଂ ୨୦୨୬ରେ ମ୍ୟାଚ୍ ସଂଖ୍ୟା ବଢ଼ାଯିବ । ଏହି ଦୁଇ ବର୍ଷରେ ୮୪-୮୫ ମ୍ୟାଚ୍ ଅନୁଷ୍ଠିତ ହେବ । ସେହିଭଳି ୨୦୨୭ରେ ୯୪ ମ୍ୟାଚ୍ ଆୟୋଜନର ଯୋଜନା ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *