ଆଣ୍ଟିଭେନମ୍ ପାଇଁ ଆସିବ ମୋବାଇଲ୍ ଆପ୍

ସର୍ପାଘାତ ମୃତୁ୍ୟ ରୋକିବାକୁ ପ୍ରୟାସ
ଭୁବନେଶ୍ୱର (ବୁ୍ୟରୋ): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅଫିସ୍ ପରିଦର୍ଶନ କରିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା, ଯୁଗ୍ମ ରିଲିଫ୍ କମିଶନର ପଦ୍ମନାଭ ବେହେରା ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ ।
ଏହି ଅବସରରେ ଏସ୍ଆର୍ସି କହିଥିଲେ, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । ଅନ୍ୟ ପକ୍ଷରେ ବିଭାଗ ପ୍ରତି ଜନସାଧାରଣଙ୍କ ଆସ୍ଥା ମଧ୍ୟ ବୃଦ୍ଧି ପାଇଛି । ଏବେ ବାତ୍ୟା ଆଉ ଆଗଭଳି ଋତୁ ଅନୁଯାୟୀ ସଂଘଟିତ ନ ହୋଇ ବର୍ଷର ଯେ କୌଣସି ସମୟରେ ବାତ୍ୟା ଭଳି ପରିସ୍ଥିତି ଉପୁଜୁଛି । ଏହାସହ ବଜ୍ରପାତ, ସାପକାମୁଡ଼ା, ଅଗ୍ନିକାଣ୍ଡ ଓ ପାଣିରେ ବୁଡ଼ି ମୃତୁ୍ୟ ଭଳି ସମସ୍ୟା ଆମ ପାଇଁ ଆଜି ଆହ୍ୱାନ ପାଲଟିଛି । କେରଳ ଓ ଆସାମ ଭଳି ରାଜ୍ୟ ସାପକାମୁଡ଼ା କ୍ଷେତ୍ରରେ ଭଲ କାର୍ଯ୍ୟ କରୁଛନ୍ତି । ଏ କ୍ଷେତ୍ରରେ ପ୍ରାରମ୍ଭିକ ଅବସ୍ଥାରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଆଣ୍ଟିଭେନମ୍ ଦିଆଗଲେ ଜୀବନ ବଞ୍ଚାଇହେବ । ଏଥିପାଇଁ ବିଭାଗ ପକ୍ଷରୁ ଏକ ମୋବାଇଲ୍ ଆପ୍ ଲଞ୍ଚ କରାଯିବ । ଏଥିରୁ ରାଜ୍ୟର ପ୍ରତ୍ୟେକଟି ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ଥିବା ଆଣ୍ଟିଭେନମ୍ ଷ୍ଟକ୍ ବିଷୟରେ ଜାଣିହେବ । ସେହିଭଳି ପାଣିରେ ବୁଡ଼ି ମୃତୁ୍ୟକୁ ରୋକାଯିବା ପାଇଁ ପ୍ରତ୍ୟେକ ଅଞ୍ଚଳରେ କିଛି ସ୍ୱେଚ୍ଛାସେବୀଙ୍କୁ ସନ୍ତରଣ ତାଲିମ ପ୍ରଦାନ କରାଯିବ ।
ବର୍ତ୍ତମାନ ରାଜ୍ୟରେ ମୋଟ୍ ୮୮୯ଟି ବାତ୍ୟା ଆଶ୍ରୟସ୍ଥଳୀ ରହିଥିବାବେଳେ ନୂଆକରି ୫୫ଟି ବାତ୍ୟା ଆଶ୍ରୟସ୍ଥଳ ପ୍ରତିଷ୍ଠା କରାଯାଉଛି । ଚିଲିକା କୂଳରେ କିଛି ସମ୍ବେଦନଶୀଳ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀର ଆବଶ୍ୟକତା ରହିଛି । ରାଜ୍ୟରେ ପ୍ରଥମ କରି ସାତଭାୟା ଅଞ୍ଚଳକୁ କ୍ଲାଇମେଟ୍ ରିଫୁ୍ୟଜି ରିହାବିଲିଟେସନ୍ ପଲିସିରେ ବଗପାଟିଆକୁ ସ୍ଥାନାନ୍ତର କରାଯାଇଛି । ଏବେ ରାଜ୍ୟରେ ସୁନାମି ପ୍ରସ୍ତୁତି ଗ୍ରାମ ଭାବେ ଦୁଇଟି ଗ୍ରାମ ରହିଥିବାବେଳେ ଆଗକୁ ଅଧିକ ଗ୍ରାମକୁ ସୁନାମି ମୁକାବିଲା କ୍ଷେତ୍ରରେ ପ୍ରସ୍ୁତ ରହିବାକୁ ତାଲିମ ଦିଆଯିବ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ବଳିଷ୍ଠ ଉକ୍ତି “ପ୍ରତିଟି ଜୀବନ ମୂଲ୍ୟବାନ’କୁ ପାଥେୟ କରି ସରକାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିରନ୍ତର ଭାବେ କାର୍ଯ୍ୟକରି ଆସୁଛନ୍ତି । ଫଳରେ ଶୂନ୍ୟ ମୃତୁ୍ୟହାର କ୍ଷେତ୍ରରେ ଗୁରୁତ୍ୱ ଦେବା ସହ ଜନଜୀବନହାନି ରୋକିବା ସମ୍ଭବ ହୋଇପାରୁଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *