ଓଡ଼ିଆ ଚଳଚ୍ଚିତ୍ର ସଂସ୍କୃତିର ପୁନଃ ଜାଗରଣ ପାଇଁ ଆହ୍ୱାନ

ପୁରୀରେ ଶ୍ରୀଲୋକନାଥ ଚଳଚ୍ଚିତ୍ର ପ୍ରଦର୍ଶିତ
ପୁରୀ (ବୁ୍ୟରୋ): ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ଗୁଡ଼ିକରେ ଆମ ସଂସ୍କୃତି ଓ ପରମ୍ପରାର ଗୌରବ ଦେଖିବାକୁ ମିଳେ । ସେସବୁ କ୍ରମେ କ୍ରମେ ହଜିଯାଉଛି । ସଂସ୍କୃତିର ପୁନଃ ଜାଗରଣ ପାଇଁ ସବୁସ୍ତରରେ ଉଦ୍ୟମ ହେବା ଆବଶ୍ୟକ ବୋଲି ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ତଥା ପୂର୍ବତନ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ପ୍ରକାଶ କରିଛନ୍ତି । ସୋମବାର ସନ୍ଧ୍ୟାରେ ସ୍ଥାନୀୟ ପୌରସଦନ ପ୍ରେକ୍ଷାଳୟରେ ୬୨ ବର୍ଷ ତଳେ ନିର୍ମିତ ପ୍ରଥମ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଓଡ଼ିଆ କଥାଚିତ୍ର ଶ୍ରୀଲୋକନାଥ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଦାସବର୍ମା ପୁରୀକୁ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣର ଏନ୍ତୁଡ଼ିଶାଳ ଭାବେ ବର୍ଣ୍ଣନା କରିଛନ୍ତି ।
ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ର ସୌଜନ୍ୟରୁ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ ଫଟୋଚିତ୍ରରେ ଶ୍ରୀ ଦାସବର୍ମାଙ୍କ ସହିତ ବିଶିଷ୍ଟ କବି ହରିହର ମିଶ୍ର ଓ ସମାଜସେବୀକା ପ୍ରତିମା ମିଶ୍ର ମାଲ୍ୟାର୍ପଣ କରିଥିଲେ । ଗତ ଦୁଇ ବର୍ଷ ମଧ୍ୟରେ ପରଲୋକ ଗମନ କରିଥିବା ଓଡ଼ିଆ ଚଳଚ୍ଚିତ୍ର ଜଗତର ବ୍ୟକ୍ତିବିଶେଷଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ ସେମାନଙ୍କ ଉଦେ୍ଦଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ଅବସରରେ ଶ୍ରୀ ଲୋକନାଥ ସମ୍ପର୍କିତ ଏକ ରଙ୍ଗୀନ ତଥ୍ୟ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଏହି ଚଳଚ୍ଚିତ୍ର ସହ ସମ୍ପୃକ୍ତ ପ୍ରସିଦ୍ଧ ଗାୟକ ପ୍ରଣବ କିଶୋର ପଟ୍ଟନାୟକ, ଅଭିନେତ୍ରୀ କମଳ କୁମାରୀ ମହାପାତ୍ର (ଝୁନି), ଅଭିନେତା ଇନ୍ଦ୍ରଜିତ୍ ଘୋଷ ଓ ସତ୍ୱାଧିକାରୀ ଲୋକନାଥ ରାଉତରାୟ ଏବଂ ପୁନରୁଦ୍ଧାର ସହଯୋଗୀ କୈଶିକ ନାଥଙ୍କୁ ସମ୍ମାନିତ କରାଯାଇଥିଲା । କବି ରକ୍ଷକ ନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଫିଲ୍ମ ଜର୍ଣ୍ଣାଲିଷ୍ଟ୍ ଫୋରମ୍ ପକ୍ଷରୁ ସୂର୍ଯ୍ୟ ଦେଓ ପ୍ରାରମ୍ଭିକ ସୂଚନା ଦେଇଥିଲେ ।
କାର୍ଯ୍ୟକ୍ରମରେ ଦଇତାପତି ରାମକୃଷ୍ଣ ଦାସ ମହାପାତ୍ର, ସଂଗୀତକାର ବଦ୍ରି ମିଶ୍ର, ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଡକ୍ଟର ଚିତ୍ତରଞ୍ଜନ ପାଣି, ଆଲୋକ ମହାପାତ୍ର, ଶ୍ରୀକାନ୍ତ ମହାନ୍ତି, ସୁରେନ୍ଦ୍ର ନାଥ ଦାଶ, ରାଜକିଶୋର ପାତ୍ର, ସୂର୍ଯ୍ୟ ମିଶ୍ର, ଦିବାକର ପାତ୍ର, ଶ୍ରୀକାନ୍ତ ମହାନ୍ତି, ନାରାୟଣ ପ୍ରସାଦ ସିଂହ, ଅଜୟ କୁମାର ପ୍ରଧାନ, ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଶିଲ ପୁହାଣ ଓ ଶ୍ୟାମ ପ୍ରକାଶ ସେନାପତିଙ୍କ ସମେତ ଏହି ଚଳଚ୍ଚିତ୍ର ଦେଖିବାକୁ ପୁରୀ, ଭୁବନେଶ୍ୱର, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ ପିପିଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ, ଗବେଷକ ଓ ସଂସ୍କୃତିପ୍ରେମୀ ଉପସ୍ଥିତ ଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *