ଦାରୁଦିଅଁଙ୍କ ଅପେକ୍ଷାରେ ସ୍ନାନବେଦୀ

ଆଜି ପ୍ରତ୍ୟକ୍ଷ ସ୍ନାନ
ପୁରୀ (ବୁ୍ୟରୋ): ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା । ଦାରୁଦିଅଁ କରିବେ ପ୍ରତ୍ୟକ୍ଷ ସ୍ନାନ । ଚତୁର୍ଦ୍ଧାବିଗ୍ରହଙ୍କ ଅପେକ୍ଷାରେ ସ୍ନାନଦେବୀ । ସେହି ଠାକୁରଙ୍କ ଅନନ୍ୟ ହାତୀବେଶ ଦର୍ଶନ ପାଇଁ ଚାହିଁ ରହିଛନ୍ତି ଅଗଣିତ ଭକ୍ତ । ସମସ୍ତଙ୍କ ପ୍ରତିକ୍ଷା ସେହି ବ୍ରାହ୍ମମୁହୂର୍ତ୍ତକୁ । ସୋମବାର ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି ଶେଷ ହୋଇଛି । ରତ୍ନସିଂହାସନରେ ଚାରବାଡ଼ ବନ୍ଧା ସରିଛି । ମଙ୍ଗଳବାର ଭୋରରୁ ଧାଡ଼ି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ସ୍ନାନବେଦୀକୁ ବିଜେ କରିବେ ।
ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ବଳଭଦ୍ର, ମା ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନବେଦୀକୁ ଆସିବେ । ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ଶ୍ରୀବିଗ୍ରହମାନେ ମଙ୍ଗଳବାର ସ୍ନାନବେଦୀରେ ପ୍ରତ୍ୟକ୍ଷ ସ୍ନାନ କରିବେ । ସୁନାଗୋସେଇଁ ପରିବାରର ସଦସ୍ୟମାନେ ସୁନାକୁଅରୁ ୧୦୮ ଗଡ଼ୁ ଜଳଆଣି ଜଳଗୃହରେ ରଖିବେ । ଚୁଆ, ଚନ୍ଦନ, କର୍ପୁର ଆଦି ପକାଯାଇ ଜଳକୁ ଅଧିବାସ କରାଯିବ । ଅଧିବାସ ଗୃହରୁ ୧୦୮ ଗଡ଼ୁ ଜଳନେଇ ଚାରୋଟି ପନ୍ତିରେ ସ୍ନାନବେଦୀରେ ରଖିବେ । ଜଳ ପୂଜା ହେବ । ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମାପନ ହେବ । ସ୍ନାନନୀତି ସରିବା ପରେ ଗଜପତି ମହାରାଜ ପାରମ୍ପରିକ ରୀତିରେ ଶ୍ରୀନଅରରୁ ଛେରାପହଁରାରେ ସମ୍ପୃକ୍ତ ସେବକଙ୍କ ସହ ସ୍ନାନମଣ୍ଡପକୁ ବିଜେ କରିବେ । ଛେରାପହଁରା ନୀତି ଶେଷ ହେବା ପରେ ଶ୍ରୀବିଗ୍ରହଙ୍କର ହାତୀବେଶ ଆରମ୍ଭ ହେବ । ଅପରାହ୍ଣ ୨ଟା ମଧ୍ୟରେ ବେଶ ଶେଷ ହେବା ପରେ ସନ୍ଧ୍ୟା ୬ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ହାତୀବେଶ ଥାଇ ମହାପ୍ରଭୁଙ୍କ ସାହାଣ ମେଲା ଦର୍ଶନ ଅନୁଷ୍ଠିତ ହେବ । ସାହାଣ ମେଲା ଦର୍ଶନ ସରିବା ପରେ ପୁଷ୍ପାଞ୍ଜଳି ଓ ଡୋରଲାଗି ହେବ । ଏହାପରେ ମହାପ୍ରଭୁ ସ୍ନାନବେଦୀରୁ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିବେ । ବିଳମ୍ବିତ ରାତିରେ ଅଣସର ନୀତି ଆରମ୍ଭ ହେବ । ମହାପ୍ରଭୁ ଜ୍ୱରରେ ପଡ଼ିବେ । ବୁଧବାର ଠାରୁ ଅଲାରନାଥ ରୂପରେ ମହାପ୍ରଭୁ ଦର୍ଶନ ଦେବେ । ଆସନ୍ତା ୨୯ରେ ନବଯୌବନ ଦର୍ଶନ ଦେଇ ଜୁଲାଇ ୧ରେ ଚତୁର୍ଦ୍ଧାବିଗ୍ରହ ତିନିରଥରେ ବିଜେ ହୋଇ ଘୋଷଯାତ୍ରାରେ ବାହାରିବେ । ଦାରୁଦିଅଁଙ୍କ ଦେବସ୍ନାନ ପୂର୍ଣ୍ଣିମା ଲାଗି ଚଳଚଞ୍ଚଳ ହୋଇପଡ଼ିଛି ଶ୍ରୀମନ୍ଦିର । ସୋମବାର ରତ୍ନବେଦୀରେ ଚୁତଦ୍ଧାବିଗ୍ରହଙ୍କ ଶେଷଦର୍ଶନ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ସେନାପଟା ଲାଗି ରହିଥିବାରୁ ଦର୍ଶନ ସକାଳୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବନ୍ଦ ରହିଥିଲା । ପରେ ଦର୍ଶନ ଆରମ୍ଭ ହେବା କ୍ଷଣି ବଡ଼ଦାଣ୍ଡ ସମେତ ସିଂହଦ୍ୱାର ଓ ଶ୍ରୀମନ୍ଦିର ପାଲଟି ଯାଇଥିଲା ଭକ୍ତମୟ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *