ଐତିହାସିକ ବାଲିଯାତ୍ରାକୁ ଗ୍ରୀନ୍ ସିଗ୍ନାଲ୍
କଟକ (ବୁ୍ୟରୋ): ଚଳିତ ବର୍ଷ କରୋନା ପରିସ୍ଥିତିରେ ସୁଧାର ଆସିଥିବାରୁ ଐତିହାସିକ ବାଲିଯାତ୍ରାକୁ ଅନୁମତି ମିଳିଛି । ଦୁଇବର୍ଷ ପରେ ବାଲିଯାତ୍ରା ଅନୁଷ୍ଠିତ ହେଉଥିବାରୁ କଟକବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି ।
ସ୍ଥାନୀୟ ବାରବାଟି ପ୍ୟାଲେସ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଶ୍ରୀ ଚୟନୀ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି, ବାଲିଯାତ୍ରାକୁ ଜାତୀୟ ଉତ୍ସବର ମାନ୍ୟତା ପ୍ରଦାନ ନିମନ୍ତେ ରାଜ୍ୟ ସରକାରଙ୍କ ଜରିଆରେ ଭାରତ ସରକାରଙ୍କୁ ଅନୁରୋଧ କରାଯିବ । ଦୁଇବର୍ଷର ବ୍ୟବଧାନ ପରେ ବାଲିଯାତ୍ରା ହେଉଥିବାରୁ ଲୋକମାନଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖାଦେଇଛି । ବାଲିଯାତ୍ରାର କଳେବରକୁ ବିସ୍ତୁତ ଓ ସୁଦୀର୍ଘ କରାଯାଇ କଟକ ଜିଲ୍ଲାର ବୈଭବକୁ ବିଶ୍ୱସ୍ତରରେ ପରିଚିତ କରାଇବା ଲାଗି ନୂତନ ଢ଼ଙ୍ଗରେ ପରିପୃଷ୍ଟ କରାଯିବ । ପର୍ଯ୍ୟଟନର ଭୂମିକାକୁ ପ୍ରାସଙ୍ଗିକ ଭାବେ ପୁଞ୍ଜିବିନିଯୋଗ ନିମନ୍ତେ ଉପଯୋଗ କରାଯିବା ସହ ବିପଣନ ଓ ବାଣିଜ୍ୟର ନୂତନ ଦିଗନ୍ତକୁ ବିଭିନ୍ନ କାର୍ମଶାଳ ଓ ଆଲୋଚନାଚକ୍ର ମାଧ୍ୟମରେ ଉନ୍ମୋଚିତ କରାଯିବ । ଓଡ଼ିଶାର କଳା, ସଂସ୍କୃତି ଓ ଐତିହାସିକ ଗାଥା ବହନ କରୁଥିବା ବାଲିଯାତ୍ରା ଉତ୍ସବକୁକୁ ବିଶ୍ୱର ବିଭିନ୍ନ ପ୍ରାନ୍ତରରୁ ପୁଞ୍ଜିନିବେଶକାରୀ, ବାଣିଜ୍ୟବିତ, ଗବେଷକ, ଲେଖକ ଓ ସାହିତି୍ୟକମାନଙ୍କୁ ଆମନ୍ତ୍ରିତ କରି ଶୋଭାବର୍ଦ୍ଧନ କରାଯିବ । ବାଲିଯାତ୍ରାରେ ସ୍ୱୟଂ ସହାୟିକା ଗୋଷ୍ଠୀକୁ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଆହୁରିମଧ୍ୟ ବାଲିଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଦଶକ ଅମ୍ବର କରଙ୍କ ଅଧ୍ୟକ୍ଷତାରେ ଏକ କୋରକମିଟି ୭ ଜଣ ସଭ୍ୟ/ସଭ୍ୟାଙ୍କୁ ନେଇ ଗଠିତ ହେବ । ଉକ୍ତ କମିଟିରେ ସଞ୍ଜିବିତା ରାୟ, ଅଜୟ ମହାନ୍ତି, ଡ଼େପୁଟି କଲେକ୍ଟର ଅନିତା ପାତ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କଟକ ସଦର ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, କଟକ ସଦର ତହସିଲଦାର ସମ୍ବିତ ଗଡ଼ନାୟକ ଓ ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ ଆବାହକ ରୂପେ କାର୍ଯ୍ୟନିର୍ବାହ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି ।