ନିରାଶ କଲା ଟିମ୍ ଇଣ୍ଡିଆ
କଟକ, ୧୨ା୬ (ବୁ୍ୟରୋ): ଦୀର୍ଘ ଅଢ଼େଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଫେରିଥିଲା ଆନ୍ତର୍ଜାତିକ ମ୍ୟାଚ୍ । କ୍ରିକେଟ୍ପ୍ରେମୀଙ୍କ ସବୁ ଉକ୍ରଣ୍ଠାର ଅବସାନ ଘଟାଇ ଆୟୋଜିତ ହୋଇଥିଲା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତିକ ଲଢ଼େଇ । ତେବେ ଏହି ମ୍ୟାଚ୍ରେ ନିରାଶ କରିଥିଲା ଟିମ୍ ଇଣ୍ଡିଆ । ନା ଅଧିନାୟକ ରିଷଭ ପନ୍ତ କିଛି କମାଲ୍ କରିପାରିଲେ ନା ଉପ-ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ୧୦ ବଲ୍ ବାକି ଥାଇ ୪ ୱିକେଟ୍ରେ ବିଜୟୀ ହୋଇ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ହୋଇଛି । ଭ୍ରମଣକାରୀ ଟିମ୍ ପକ୍ଷରୁ ସର୍ବାଧିକ ୮୧ ରନ୍ କରିଥିବା ହେନରିକ୍ କ୍ଲାସେନ୍ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି ।
ବାରବାଟୀରେ ଏହା ଭାରତର ତିନିଟି ଟି-୨୦ ମ୍ୟାଚ୍ରୁ ଦ୍ୱିତୀୟ ପରାଜୟ ଏବଂ ଆୟୋଜକ ଟିମ୍ ଦୁଇଟିଯାକ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ଠାରୁହିଁ ପରାଜିତ ହୋଇଛି । କ୍ରିକେଟ୍ର ତିନିଟି ଫର୍ମାଟ୍କୁ ମିଶାଇ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଲଗାତାର ସପ୍ତମ ମ୍ୟାଚ୍ ହାରିଛି । ଏହି ମ୍ୟାଚ୍ ଜରିଆରେ ଟିମ୍ ଇଣ୍ଡିଆ ଶୃଙ୍ଖଳାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ଆଶା ଥିଲା । କିନ୍ତୁ ସେମିତି ହେଲା ନାହିଁ । ଟସ୍ ହାରିବା ରିଷଭ ପନ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା । ସ୍ୱ ପୃଷ୍ଠା: ୫
ନିରାଶ କଲା…
ଭାରତର ଅଧିକାଂଶ ବ୍ୟାଟର୍ ଆଶାଜନକ ପ୍ରଦର୍ଶନ କରି ନ ଥିଲେ । ଏହି ମ୍ୟାଚ୍ ହାରିବା ଯୋଗୁଁ ପରବର୍ତ୍ତୀ ତିନିଟି ମ୍ୟାଚ୍ ଜିତିବା ଟିମ୍ ପାଇଁ ଅପରିହାର୍ଯ୍ୟ ହୋଇଯାଇଛି । ଏଥି ସହିତ କ୍ରମାଗତ ପରାଜୟ ପନ୍ତଙ୍କ ନେତୃତ୍ୱ-ଦକ୍ଷତା ପ୍ରତି ପ୍ରଶ୍ନ ଛିଡ଼ା କରିଛି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଟିମ୍ ୬ ୱିକେଟ୍ ହରାଇ ୧୪୮ ରନ୍ ସଂଗ୍ରହ କରିଥିଲା । ଆୟୋଜକ ଟିମ୍ ପକ୍ଷରୁ ଶ୍ରେୟାର ଆୟର ସର୍ବାଧିକ ୪୦ ରନ୍ କରିଥିଲେ । ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ନିରାଶ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ଟିମ୍ ୧୮.୨ ଓଭର୍ରେ ୬ ୱିକେଟ୍ ହରାଇ ୧୪୯ ରନ୍ କରି ବିଜୟୀ ହୋଇଥିଲା । ଟିମ୍ ପକ୍ଷରୁ ହେନରିକ୍ କ୍ଲାସେନ୍ ଧୂଆଁଦାର ବ୍ୟାଟିଂ କରି ୪୬ ବଲ୍ରୁ ୮୧ ରନ୍ର ଇନିଂସ୍ ଖେଳିଥିଲେ । ଭାରତୀୟ ପେସର୍ ଭୁବନେଶ୍ୱର କୁମାର ମାତ୍ର ୧୩ ରନ୍ ଦେଇ ସର୍ବାଧିକ ୪ ୱିକେଟ୍ ଅକ୍ତିଆର କରିଥିଲେ ।