କାଳଷଣ୍ଢପୁରରେ ହେବ କାଞ୍ଜିଆହୁଦା
ଆସିକା (ଆପ୍ର): ଆସିକା ଏନ୍ଏସି ପରିସରଭୁକ୍ତ ବିଭିନ୍ନ ସାହିବସ୍ତିରେ ବୁଲୁଥିବା ଗୋରୁଙ୍କୁ ରଖିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗର ଆର୍ଥିକ ଅନୁଦାନରେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ କାଳଷଣ୍ଢପୁର ଷ୍ଟାଡିୟମ୍ ନିକଟରେ ୫୦ଡେସିମିଲ୍ ପରିମିତ ଜମିରେ ଏକ କାଞ୍ଜିଆହୁଦା ନିର୍ମାଣ ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଛି । କାଳଷଣ୍ଢପୁରରେ ନିର୍ମାଣ ହେବାକୁ ଥିବା କାଞ୍ଜିଆ ହୁଦାରେ ୧୦୦ଗୋରୁ ରହିଲା ଭଳି ବ୍ୟବସ୍ଥା କରାଯାଉଥିବା ବେଳେ ସେଠାରେ ଖାଦ୍ୟ ଓ ଚିକିସôା ସୁବିଧା ମଧ୍ୟ ରହିବ ବୋଲି ଏନ୍ଏସି ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେଇଛନ୍ତି । କେତେକ ଗାଈ ମାଲିକ କ୍ଷୀର ଦୁହିଁବା ପରେ ରାସ୍ତାରେ ଛାଡ଼ି ଦେଉଛନ୍ତି ।
ଗାଈଗୋରୁ ଏନ୍ଏସି ପରିସରଭୁକ୍ତ ସାହିବସ୍ତିରେ ଅବାଧରେ ବିଚରଣ କରୁଥିବା ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସହ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତା ଉପରେ ଗୋରୁମାନେ ଶୋଇ ରହୁଛନ୍ତି । ବ୍ୟସ୍ତବହୁଳ ରାସ୍ତା ବୁଲା ଗୋରୁଙ୍କ ଦଖଲରେ ରହୁଛି । ଏଣୁ ବୁଲା ଗୋରୁଙ୍କୁ କାଞ୍ଜିଆ ହୁଦାରେ ରଖିବା ସହ ଗାଈ ମାଲିକଙ୍କ ଠାରୁ ଜରିମାନା ଆଦାୟ କରିବା ଲାଗି ଏନଏସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ଙ୍କ ତତ୍ତ୍ୱାବଧାନରେ ପ୍ରଥମ ଥର ପାଇଁ ଆରମ୍ଭ ହେବାକୁ ଥିବା ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି । ଗୋରୁଙ୍କୁ ରାସ୍ତାରେ ଛାଡ଼ିଦେଉଥିବା ମାଲିକଙ୍କୁ ସଚେତନ କରାଯିବା ସାଙ୍ଗକୁ ପ୍ରଥମ ଥର ପାଇଁ ସାମାନ୍ୟ ଜରିମାନା କରାଯିବ କିନ୍ତୁ ପରବର୍ତ୍ତୀ ସମୟରେ କୌଣସି ସୁଫଳ ନ ମଳିଲେ ଜରିମାନା ରାଶିକୁ ବଢାଇ ଦିଆଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ସୂଚନା ଦେଇଛନ୍ତି ।