ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଏସିଆନ୍ କପ୍ କ୍ୱାଲିଫାୟର୍ସ
କୋଲକାତା, ୧୨ା୬ (ଏଜେନ୍ସି): ଭାରତୀୟ ଫୁଟ୍ବଲ୍ ଟିମ୍ ଶନିବାର ରାତିରେ ଏଏଫ୍ସି ଏସିଆନ୍ କପ୍ କ୍ୱାଲିଫାୟର୍ସ-୨୦୨୩ରେ ଆଫଗାନିସ୍ତାନ ବିପକ୍ଷରେ ୨-୧ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଟୁର୍ଣ୍ଣାମେଣ୍ଟରେ ଏହା ଭାରତର ଦ୍ୱିତୀୟ ବିଜୟ । ଟିମ୍ ନିଜ ପରବର୍ତ୍ତୀ ମ୍ୟାଚ୍ରେ ହଂକଂକୁ ଭେଟିବ ।
ପ୍ରାୟ ଛଅ ମାସ ପରେ ପ୍ରତ୍ୟାବର୍ତ୍ତନ କରିଥିବା ଅଧିନାୟକ ସୁନୀଲ ଛେତ୍ରୀ ଓ ସାହେଲ ସମାଦ ସଲ୍ଟ ଲେକ୍ ଷ୍ଟାଡିୟମ୍ରେ ଉଲ୍ଲେଖନୀୟ ପ୍ରଦର୍ଶନ କରି ଭାରତୀୟ ଫୁଟ୍ବଲ୍ ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି ।
ମ୍ୟାଚ୍ ପ୍ରଥମରୁ ସଂଘର୍ଷପୂର୍ଣ୍ଣ ହୋଇଥିଲା । ମଧ୍ୟାନ୍ତର ସୁଦ୍ଧା କେହି କାହାରି ବିପକ୍ଷରେ ସ୍କୋର୍ କରିପାରି ନ ଥିଲେ । ଏପରିକି ଦ୍ୱିତୀୟାର୍ଦ୍ଧର ୮୫ ମିନିଟ୍ ଯାଏ ସ୍କୋର୍ ୦-୦ ସ୍ଥିତିରେ ଥିଲା । ତେବେ ୮୬ତମ ମିନିଟ୍ରେ ଡେଡ୍ଲକ୍ ଭାଙ୍ଗିଥିଲା । ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ଛେତ୍ରୀ ଏକ ଦମ୍ଦାର ଫ୍ରି-କିକ୍ ମାରି ଭାରତକୁ ଅଗ୍ରଣୀ କରାଇଥିଲେ । କିନ୍ତୁ ଟିମ୍ର ଏହି ଖୁସି ବେଶୀ ସମୟ ତିଷ୍ଠି ନ ଥିଲା । ଏହି ଗୋଲ୍ର ଦୁଇ ମିନିଟ୍ ପରେ ଭ୍ରମଣକାରୀ ଟିମ୍ ପକ୍ଷରୁ ଜୁବେର ଅମିରୀ (୮୮ତମ ମିନିଟ୍) ଗୋଲ୍ ଦେଇ ସ୍କୋର୍କୁ ୧-୧ ବରାବର ସ୍ଥିତିରେ ପହଞ୍ଚାଇଥିଲେ ।
ମନେ ହେଉଥିଲା ଯେ ମ୍ୟାଚ୍ ଅତିରିକ୍ତ ସମୟକୁ ଯିବ । କିନ୍ତୁ ଅବଦେଲ୍ ସମାଦ ସାହେଲ ଇନ୍ଜୁରୀ ଟାଇମ୍ରେ ଗୋଲ୍ ଦେଇ ଭାରତ ୨-୧ରେ ଜିତାଇଥିଲେ । ଏହି ଗୋଲ୍ ୯୦+୧ ମିନିଟ୍ରେ ହୋଇଥିଲା ।
ଏଥି ପୂର୍ବରୁ ଭାରତ ଜୁନ୍ ୮ରେ ନିଜ ପ୍ରଥମ ମ୍ୟାଚ୍ରେ କାମ୍ବୋଡ଼ିଆକୁ ୨-୦ରେ ହରାଇ ଅଭିଯାନ ଆରମ୍ଭ କରିଥିଲା । ଛେତ୍ରୀ ଏହି ମ୍ୟାଚ୍ରେ ଦୁଇଟିଯାକ ଗୋଲ୍ ଦେଇଥିଲେ । ଗୋଟିଏ ଗୋଲ୍ ପେନାଲ୍ଟି କର୍ଣ୍ଣରରୁ ଆସିଥିଲା ଏବଂ ଅନ୍ୟଟି ଫିଲ୍ଡ ଗୋଲ୍ ଥିଲା ।
ଦ୍ୱିତୀୟ ସ୍ଥାନରେ ଭାରତ
ଏହି ବିଜୟ ସହ ଭାରତୀୟ ଟିମ୍ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍-ଡି’ରେ ଦ୍ୱିତୀୟ ସ୍ଥାନକୁ ଚାଲିଆସିଛି । ଟିମ୍ ଦୁଇଟି ମ୍ୟାଚ୍ ଖେଳି ଦୁଇଟିଯାକରେ ବିଜୟ ହାସଲ କରିଛି । ହଂକଂ ପ୍ରଥମ ସ୍ଥାନରେ ରହିଛି । ଉଭୟ ହଂକଂ ଓ ଭାରତ ସମାନ ୬ ପଏଣ୍ଟ ଲେଖାଏଁ ପାଇଥିଲେହେଁ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ହଂକଂ ଆଗରେ ରହିଛି ।