୪୩ ହଜାର କୋଟି ଟପିଲା ନିଲାମଡାକ
ଆଇପିଏଲ୍ ମିଡିଆ ରାଇଟ୍ସ ନିଲାମୀ
ନୂଆଦିଲ୍ଲୀ, ୧୨ା୬ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ପାଞ୍ଚ ସିଜନ୍ (୨୦୨୩ରୁ ୨୦୨୭)ର ମିଡିଆ ରାଇଟ୍ସର ନିଲାମୀ ରବିବାର ଆରମ୍ଭ ହୋଇଛି । ସୂତ୍ରାନୁଯାୟୀ ଏ ଯାବତ୍ ନିଲାମଡାକ ଅର୍ଥରାଶି ୪୩ ହଜାର ୫୦ କୋଟି ଯାଏଁ ପହଞ୍ଚିଲାଣି । ଏଥିରେ ଆହୁରି ବୃଦ୍ଧି ଘଟିପାରେ । ସବୁଠାରୁ ଅଧିକ ନିଲାମଡାକ କିଏ ଦେଲେ, ତାହାର ଖୁଲାସା ହୋଇ ନାହିଁ ।
ପ୍ରଥମ ଦିନ ଭାରତୀୟ ଉପମହାଦେଶର ଟିଭି ଓ ଡିଜିଟାଲ୍ ରାଇଟ୍ସ ପାଇଁ ରିଲାଏନ୍ସ-ଭାୟକମ୍, ଷ୍ଟାର୍ ଓ ସୋନି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା । ପ୍ରଥମ ଦିନ ଟିଭି ରାଇଟ୍ସ ପ୍ରତି ମ୍ୟାଚ୍ ୫୪ କୋଟି ଟଙ୍କା ଯାଏଁ ପହଞ୍ଚିଛି । ସେହିପରି ଡିଜିଟାଲ୍ ରାଇଟ୍ସ ପ୍ରତି ମ୍ୟାଚ୍ ୫୦ କୋଟି ଟଙ୍କା ଯାଏଁ ପହଞ୍ଚିଛି । ରାଇଟ୍ସ ଜିତିଥିବା କମ୍ପାନୀର ନାମ ଜୁନ୍ ୧୩ରେ ଘୋଷଣା ହୋଇପାରେ ।
ସୂତ୍ରରୁ ପ୍ରକାଶ ଯେ ବିସିସିଆଇକୁ ଆଇପିଏଲ୍ର ଗୋଟିଏ ମ୍ୟାଚ୍ ପିଛା ୧୦୪ କୋଟି ମିଳିବା ନିଶ୍ଚିତ । ଗୋଟିଏ ମ୍ୟାଚ୍ର ବ୍ରଡ୍କାଷ୍ଟ ରାଇଟ୍ସ ହିସାବରେ ଆଇପିଏଲ୍ ଏବେ ବିଶ୍ୱର ଦ୍ୱିତୀୟ ଦାମୀ ଲିଗ୍ ହୋଇଯାଇଛି । କେବଳ ଆମେରିକାର ନାସ୍ନାଲ୍ ଫୁଟ୍ବଲ୍ ଲିଗ୍ରେ ଏହାଠାରୁ ଅଧିକ ଅର୍ଥରାଶି ମିଳିଥାଏ ।