ବିରୋଧୀଙ୍କୁ ମନାଇବେ ନଡ୍ଡା-ରାଜନାଥ
ରାଷ୍ଟ୍ରପତି ନିର୍ବାଚନ: ମମତାଙ୍କ ବୈଠକକୁ ଆସିବେନି ଉଦ୍ଧବ, ୟେଚୁରୀ
ନୂଆଦିଲ୍ଲୀ, ୧୨ା୬: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଉପଯୁକ୍ତ ପ୍ରାର୍ଥୀ ଚୟନ ଲାଗି ଏନ୍ଡିଏର ସହଯୋଗୀ ଦଳମାନଙ୍କ ସହ ବିଜେପି ଆଲୋଚନା କରିବ । ଏହାଛଡା ୟୁପିଏ ଅନ୍ତର୍ଭୁକ୍ତ ବିଭିନ୍ନ ଦଳ ଏବଂ ନିର୍ଦ୍ଦଳୀୟ ସାଂସଦମାନଙ୍କ ସହ ମଧ୍ୟ ଆଲୋଚନା କରାଯିବ । ଏହି ଦାୟିତ୍ୱ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଉପରେ ନ୍ୟସ୍ତ କରାଯାଇଛି ।
ବିଜେପି ପକ୍ଷରୁ ରବିବାର ଏକ ବିବୃତିରେ କୁହାଯାଇଛି ଯେ ଦୁଇ ବରିଷ୍ଠ ନେତା (ନଡ୍ଡା ଓ ରାଜନାଥ) ୟୁପିଏର ସହଯୋଗୀ ଦଳ ଏବଂ ଅନ୍ୟ ବିରୋଧୀ ନେତାଙ୍କ ସହ ସର୍ବସମ୍ମତ ରାଷ୍ଟ୍ରପତି ପ୍ରାର୍ଥୀ ଦିଆଯିବା ପ୍ରସଙ୍ଗରେ ଖୁବ୍ ଶୀଘ୍ର ଆଲୋଚନା କରିବେ ।
୨୦୧୭ ରାଷ୍ଟ୍ରପତି ନିର୍ବାଚନବେଳେ ବିଜେପି ଶେଷ ମୁହୂର୍ତ୍ତରେ ବିରୋଧୀଙ୍କ ସହ ଯୋଗାଯୋଗ କରିଥିବା ଅଭିଯୋଗ ହୋଇଥିଲା । ବିରୋଧୀ ନେତାମାନେ କହିଥିଲେ ଯେ ସେମାନଙ୍କ ସହ ପରାମର୍ଶ ପୂର୍ବରୁ ବିଜେପି ରାମନାଥ କୋବିନ୍ଦଙ୍କୁ ପ୍ରାର୍ଥୀ କରିଥିଲା । ବିରୋଧୀ ଦଳମାନେ ମୀରା କୁମାରଙ୍କୁ ସମର୍ଥନ ଦେଇଥିଲେ ।
ଇତିମଧ୍ୟରେ ଆମ୍ ଆଦ୍ମୀ ପାର୍ଟି ନେତା ସଂଜୟ ସିଂହ ରାଷ୍ଟ୍ରପତି ନିର୍ବାଚନ ଉପରେ ଆଲୋଚନା ପାଇଁ ରବିବାର ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନ୍ସିପି) ମୁଖିଆ ଶରଦ୍ ପାୱାରଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନାର ସମଧିକ ଗୁରୁତ୍ୱ ରହିଛି, କାରଣ ଶରଦ ପାୱାର ହିଁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ମୁକାବିଲା ପାଇଁ ଆପ୍ ଓ କଂଗ୍ରେସ ମଧ୍ୟରେ ଏକଜୁଟତା ପାଇଁ ଉଦ୍ୟମ କରିଥିଲେ । ଅବଶ୍ୟ ତାହା ହୋଇପାରିଲା ନାହିଁ । ଦିଲ୍ଲୀ ଓ ପଞ୍ଜାବ ସମେତ ଅନେକ ରାଜ୍ୟରେ ଆପ୍ ଓ କଂଗ୍ରେସ ପରସ୍ପରର ବିରୋଧୀ ।
ନିର୍ବାଚନ ଆୟୋଗ ରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ଦିନହିଁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧି ବିରୋଧୀ ପକ୍ଷର ଅନେକ ବରିଷ୍ଠ ନେତାଙ୍କ ସହ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ । ସେ ଟିଏମ୍ସି ନେତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଫୋନ୍ କରିଥିଲେ । କିନ୍ତୁ ମମତାଙ୍କ ଉଦେ୍ଦଶ୍ୟ ଭିନ୍ନ ଥିଲା । ପରଦିନ ମମତା ସୋନିଆଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ୨୨ ଜଣ ନେତାଙ୍କୁ ଜୁନ୍ ୧୫ରେ ଦିଲ୍ଲୀରେ ଏକତ୍ରିତ ହୋଇ ଆଲୋଚନା କରିବା ଲାଗି ଆମନ୍ତ୍ରଣ କରିଥିଲେ । ମମତାଙ୍କ ପ୍ରସ୍ତାବିତ ବୈଠକର ମୁଖ୍ୟ ଏଜେଣ୍ଡା ରାଷ୍ଟ୍ରପତି ନିର୍ବାଚନ । ଏହାଦ୍ୱାରା ମମତା ବିରୋଧୀ ଏକତା ଦାୟିତ୍ୱ ନିଜେ ବହନ କରିବାକୁ ଚାହିଁଥିଲେ । କିନ୍ତୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍ରେ ଓ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀ ମମତାଙ୍କ ଦ୍ୱାରା ଆହୂତ ବୈଠକରେ ଯୋଗ ଦେଇପାରିବେ ନାହିଁ ବୋଲି ଜଣାଇ ଦେଇଛନ୍ତି । ଏହାଛଡ଼ା କେତେକ ବିରୋଧୀ ନେତା ମମତାଙ୍କ ଏଭଳି ପଦକ୍ଷେପରେ କ୍ଷୁବ୍ଧ ହୋଇଛନ୍ତି । ସେମାନଙ୍କ ମତରେ ବରିଷ୍ଠ ନେତାମାନଙ୍କୁ ମମତା ସୁପର୍ସିଡ୍ କରି ନିଜକୁ ବିଜେପି ବିରୋଧୀ ସାମ୍ମୁଖ୍ୟର ମୁଖିଆ ରୂପେ ଉପସ୍ଥାପନ କରିବାକୁ ଚାହୁଁଛନ୍ତି ।