୨ଠ୨୫ ସୁଦ୍ଧା ଶିଶୁଶ୍ରମମୁକ୍ତ ଓଡ଼ିଶା ଲକ୍ଷ୍ୟ
ଭୁବନେଶ୍ୱର (ବୁ୍ୟରୋ): ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ଅବସରରେ ଶିଶୁ ଶ୍ରମ ଉଚ୍ଛେଦ ସମ୍ପର୍କରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ ହୋଇଛି । ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଶ୍ରମ ବିଭାଗ ତରଫରୁ ଆଇନର କଡାକଡି ପାଳନ ସହ ଜିଲ୍ଲାସ୍ତରରେ ସମସ୍ତ ଅଧିକାରୀ ଶିଶୁ ଶ୍ରମ ନିରାକରଣ ନିମନ୍ତେ ଯନିବାନ ହେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶାକୁ ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢିତୋଳିବା ପାଇଁ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା ଅଛି ବୋଲି କହିଥିଲେ । ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମଗୁଡିକର ଏକ ଫୋଟୋ ଗ୍ୟାଲେରୀ ଶ୍ରମ ମନ୍ତ୍ରୀ ଉଦ୍ଘାଟନ କରିଥିଲେ । ବିଭିନ୍ନ ସ୍ତରରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନିମନ୍ତେ ପୋଷ୍ଟର, ଷ୍ଟିକର ଏବଂ ଶିଶୁ ଶ୍ରମ ନିରାକରଣ ସମ୍ପର୍କିତ ଚଳଚ୍ଚିତ୍ର ମଧ୍ୟ ମନ୍ତ୍ରୀ ଉନ୍ମୋଚନ କରିଥିଲେ ।
କର୍ମଶାଳାରେ ଶ୍ରମ ବିଭାଗର ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ ଯୋଗଦେଇ ଶିଶୁ ଶ୍ରମିକ ଚିହ୍ନଟ ସହ ସେମାନଙ୍କ ପାଇଁ ଏକ ବିଶେଷ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ବିଷୟରେ ସୂଚାଇଥିଲେ । କେନ୍ଦୁଝର, ଖୋର୍ଦ୍ଧା, ଢେଙ୍କାନାଳ ଏବଂ ମୟୁରଭଞ୍ଜରୁ ଶିଶୁ ଶ୍ରମିକ କ୍ଷେତ୍ରରୁ ଉଦ୍ଧାର ହୋଇ ସମାଜର ମୁଖ୍ୟସ୍ରୋତକୁ ଫେରି କୃତକାର୍ଯ୍ୟ ହୋଇଥିବା କିଛି ଛାତ୍ର ଏବଂ ଯୁବକ ମଧ୍ୟ ଏ କର୍ମଶାଳାରେ ସାମିଲ ହୋଇ ଶିକ୍ଷାର ଆବଶ୍ୟକତା ସହ ସରକାରଙ୍କର ତ୍ୱରିତ ପଦକ୍ଷେପ କିପରି ଜୀବନକୁ ନୂତନ ଦିଗଦର୍ଶନ ଦିଏ ସେ ଦିଗରେ ଆଲୋକପାତ କରିଥିଲେ । ଶ୍ରମ କମିଶନର ତିରୁମଲା ନାଏକ ଆଇନର ବିଭିନ ଦିଗ ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ । ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡିଶା ୟୁନିସେଫ୍ ମୁଖ୍ୟ ମୋନିକା ନୀଲସେନ ପ୍ରମୁଖ ଯୋଗ ଦେଇଥିଲେ ।