ସକାଳ ୬ରୁ ରାତି ୧ଠ ପର୍ଯ୍ୟନ୍ତ ସିଂହଦ୍ୱାରକୁ ବାଇକ୍ ମନା
ସ୍ନାନପୂର୍ଣ୍ଣିମା ପାଇଁ ଟ୍ରାଫିକ୍ କଟକଣା
ପୁରୀ (ବୁ୍ୟରୋ): ମଙ୍ଗଳବାର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀବିଗ୍ରହ ଖୋଲା ଆକାଶ ତଳେ ସ୍ନାନମଣ୍ଡପରେ ତାଙ୍କର ଅଗଣିତ ଭକ୍ତଙ୍କ ସମ୍ମୁଖରେ ଶ୍ରୀଜିଉ ପ୍ରତ୍ୟକ୍ଷସ୍ନାନ କରିବେ ଏବଂ ଅପରାହ୍ଣରେ ହାତୀବେଶରେ ଦର୍ଶନ ଦେବେ । ମହାପ୍ରଭୁଙ୍କ ଏହି ଦୃଶ୍ୟ ଦେଖିବା ବିରଳ । ତତ୍ସହିତ ମହାପ୍ରଭୁଙ୍କ ସ୍ନାନ ପାଣି ପାଇଁ ଭକ୍ତ ବ୍ୟାକୁଳ । ଏଥିପାଇଁ ସକାଳୁ ସକାଳୁ ବଡ଼ଦାଣ୍ଡ ସମତେ ସିଂହଦ୍ୱାର ପାଲଟିଯିବ ଲୋକାରଣ୍ୟ । ଏକ ଭକ୍ତିମେୟ ପରିବେଶରେ ଉଚ୍ଛୁଳିବ ସିଂହଦ୍ୱାର । ଏହି ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ କରି ଜିଲ୍ଲା ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା କରାଯାଇଛି । ମଙ୍ଗଳବାର ସକାଳ ୬ଟାରୁ ଆରମ୍ଭ କରି ରାତି ୧୦ଟା ପର୍ଯ୍ୟନ୍ତ ସିଂହଦ୍ୱାରକୁ ବାଇକ୍ ମନା । ବାଇକ ଚାଳକମାନେ ବଡ଼ଦାଣ୍ଡରେ ଆସି ମାକେର୍ଟଛକଠାରେ ପାର୍କିଂ କରିବେ ଏବଂ ସେଠାରୁ ଶ୍ରୀମନ୍ଦିର ଚାଲି କରି ଯିବେ ।
ସେହିପରି ଚାରି ଚକିଆଯାନ ଗୁଡ଼ିକ ଜଗନ୍ନାଥବଲ୍ଲଭ, ଶରଧାବାଲି, ଜିଲ୍ଲା ସ୍କୁଲ ଠାରେ ପାର୍କିଂ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ତେଣୁ ଟାଫିକ୍କୁ ସୁପରିଚାଳନା କରିବା ପାଇଁ ସହରକୁ ୩ଟି ଜୋନ୍ରେ ବିଭକ୍ତ କରାଯାଇଛି । ଏଥିରେ ଇନିସ୍ପେକ୍ଟର ର୍ୟାଙ୍କ୍ର ଅଧିକାରୀମାନେ ରହି ଟ୍ରାଫିକ୍ ସୁପରିଚାଳନା କରିବେ । ସେହିପରି ସୋମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ କମାଣ୍ଡାଣ୍ଟ ଓ ଡିଏସ୍ପି ର୍ୟାଙ୍କର ଅଧିକାରୀମାନଙ୍କୁ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ଜାତୀୟ ରାଜପଥରେ ମଧ୍ୟ ଟାଫିକ୍ ପାଇଁ ଜଣେ ବରିଷ୍ଠ ଅଧିକାରୀ ଦାୟିତ୍ୱରେ ରହିଛନ୍ତି । ଯେପରି ଲକ୍ଷାଧିକ ଶ୍ରଦ୍ଧାଳୁ ଶୃଙ୍ଖଳାରେ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିବେ ତାହା ଉପରେ ଗୁରୁତ୍ୱ ଦିଆଯାଇଛି ବୋଲି ଏସ୍ପି କନୱାର ବିଶାଲ ସିଂହ ସୂଚନା ଦେଇଛନ୍ତି । ଅନ୍ୟପଟରେ ସହର ଉପରେ କଡ଼ା ନଜର ରଖାଯାଇଛି । ଏପରିକି ଲୁଟେରା ଓ ଦୁର୍ବୃତ୍ତମାନେ କିଛି ଅଘଟଣ ଘଟାଇବାକୁ ଉଦ୍ୟମ କଲେ ତାଙ୍କୁ ସଙ୍ଗେ ସଙ୍ଗେ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଥିବା ଜଣାପଡ଼ିଛି ।