ମାଟିରେ ମିଶିଲା ମୁଖ୍ୟ ଅଭିଯୁକ୍ତର ଘର

ନୂଆଦିଲ୍ଲୀ (ଏଜେନ୍ସି): ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟକୁ ନେଇ ଗତ ଶୁକ୍ରବାର ଦେଶବ୍ୟାପୀ ଘଟିଯାଇଥିବା ହିଂସାକାଣ୍ଡ ଘଟଣାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପଟେ ରାଜ୍ୟ ପ୍ରଶାସନ ପକ୍ଷରୁ ହିଂସାକାଣ୍ଡରେ ସାମିଲ ଥିବା ବ୍ୟକ୍ତିବିଶେଷଙ୍କୁୂ ଗିରଫ କରାଯାଉଥିବା ବେଳେ ଅନ୍ୟପଟେ ଅଭିଯୁକ୍ତଙ୍କ ଘର ଉପରେ ବୁଲଡୋଜର ଚଢ଼ାଇ ଧୂଳିସାତ୍ କରିଦିଆଯାଉଥିବା ଜାଣିବାକୁ ମିଳିଛି । ଶୁକ୍ରବାର ଉତ୍ତରପ୍ରଦେଶର ପ୍ରୟାଗରାଜରେ ଘଟିଯାଇଥିବା ହିଂସାକାଣ୍ଡ ଘଟଣାରେ ରାଜ୍ୟ ସରକାର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ରବିବାର ନିଜକୁ ସମାଜସେବୀ କହୁଥିବା ଆଫ୍ରିନ୍ ଫାତିମାଙ୍କ ୫ମହଲା ଘରକୁ ବୁଲଡୋଜର ଦ୍ୱାରା ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦିଆଯାଇଛି । ପ୍ରୟାଗରାଜ୍ ହିଂସାକାଣ୍ଡ ଘଟଣାରେ ଫାତିମାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ୍ ଦର୍ଶାଇବା ପରେ ତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଏପ୍ରକାର କାର୍ଯ୍ୟାନୁୂଷ୍ଠାନ ଗ୍ରହଣ କରାଯାଇଛି ।
ଫାତିମାଙ୍କ ବାପା ତଥା ୱେଲଫେୟାର ପାର୍ଟି ଅଫ୍ ଇଣ୍ଡିଆ ନାମକ ଏକ ସଂଗଠନର ନେତା ଜାଭେଦ୍ ମହମ୍ମଦ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ରବିବାର ଅପରାହ୍ନରେ ତାଙ୍କ ଘର ଉପରେ ବୁଲଡୋଜର ଚଢ଼ାଯାଇଛି । ଫାତିମା ଏବେ ଫେରାର ରହିଥିବା ବେଳେ ତାଙ୍କ ବାପା ଜାଭେଦ୍ ମହମ୍ମଦଙ୍କୁ ପୁଲିସ୍ ଉଠାଇନେଇଛି । ସେହିପରି ଫାତିମାଙ୍କ ଭାଇ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଭିନ୍ନ ବିଭାଗର ଅଧିକାରୀମାନେ ସେମାନଙ୍କ ଘରକୁ ଶନିବାର ବିଳମ୍ବିତ ରାତିରେ ଆସିଥିଲେ ଏବଂ ତୁରନ୍ତ ଘର ଛାଡି ଅନ୍ୟତ୍ର ଚାଲିଯିବାକୁ ଧମକ ଦେଇଥିଲେ । ତେବେ ରବିବାର ସିଧାସଳଖ ତାଙ୍କ ଘର ଉପରେ ବୁଲଡୋଜର ଚଲାଯାଇଛି । ପ୍ରକାଶ, ସିଏଏ ଆଇନ୍କୁ ବିରୋଧ କରିବା କ୍ଷେତ୍ରରେ ଜାଭେଦ୍ ମହମ୍ମଦ, ରାଜ୍ୟ ପୁଲିସ୍ ଏବଂ ପ୍ରଶାସନର ତୀକ୍ଷ୍ମ ଦୃଷ୍ଟିରେ ରହିଆସିଛନ୍ତି । ଏସବୁ ମଧ୍ୟରେ ଆଉ ଏକ ବଡ଼ ସୂଚନା ମଧ୍ୟ ସାମ୍ନାକୁ ଆସିଛି । ଜାଭେଦ ମହମ୍ମଦଙ୍କ ଘର ଭଙ୍ଗାଯିବା ପୂର୍ବରୁ ସୁରକ୍ଷା ର୍କମୀ ତଥା ଅନ୍ୟ ଅଧିକାରୀଙ୍କ ଦ୍ୱାରା ଘର ଛାନ୍ବିନ୍ ସମୟରେ ଘର ମଧ୍ୟରୁ ବେଆଇନ୍ ବନ୍ଧୁକ ସହ ଅନେକ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିବା ୟୁପି ପୁଲିସ୍ କହିଛି । ତେବେ ପ୍ରୟାଗରାଜ ପୌରପାଳିକା ପକ୍ଷରୁ ପ୍ରଫେଟ୍ ବିବାଦ ସହ ଘର ଭଙ୍ଗାଯିବାର କୌଣସି ସମ୍ପର୍କ ନଥିବା କୁହାଯାଇଛି । ବେଆଇନ୍ ଭାବେ ସରକାରୀ ଜମିରେ ଜାଭେଦ୍ ମହମ୍ମଦଙ୍କ ଏହି ଘର ଥିବାରୁ ଏହାକୁ ଭଙ୍ଗାଯାଇଥିବା ପୌରନିଗମ ଦର୍ଶାଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସମାନ ଯୁକ୍ତି ଦିଆଯାଇଛି ।
ସୂଚନାଯୋଗ୍ୟ, ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ନିଲମ୍ବିତ ବିଜେପି ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଡିବେଟ୍ରେ ଆପତ୍ତିଜନକ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ଇସଲାମ୍ ଧର୍ମାବଲମ୍ବୀଙ୍କ ମଧ୍ୟ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ଶୁକ୍ରବାର ଏକାଧିକ ମସ୍ଜିଦ୍ରେ ନମାଜ ପାଠ ଶେଷ ହେବା ପରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ସଂଘଠିତ ହୋଇଥିଲା । ଉତ୍ତରପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗ, ତେଲେଙ୍ଗାନା ସମେତ ପ୍ରାୟ ୯ରାଜ୍ୟରେ ତୀବ୍ର ଉତ୍ତେଜନା ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀ ସୁରକ୍ଷାବ୍ୟବସ୍ଥାରେ ନିୟୋଜିତ ପୁଲିସ୍ କର୍ମୀଙ୍କ ଉପରକୁ ଟେକା ପଥର ମାଡ଼ କରିଥିଲେ । ସେହିପରି ରାଞ୍ଚôରେ ଗୁଳିମାଡ଼ ମଧ୍ୟ ହୋଇଥିଲା ଯେଉଁଥିରେ ୨ଜଣ ପ୍ରାଣ ମଧ୍ୟ ହରାଇଛନ୍ତି ଏବଂ ଅନେକ ଲୋକ ଆହତ ହୋଇଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *