ଗିରଫ ହେବେ ମେଜର ସମେତ ୩ଠ ଯବାନ

ନାଗାଲାଣ୍ଡ ଏନ୍କାଉଣ୍ଟର
କୋହିମା, ୧୧ା୬: ଗତ ବର୍ଷ ଡିସେମ୍ବର ୪ ତାରିଖ ଦିନ ନାଗାଲାଣ୍ଡ ମୋନ ଜିଲ୍ଲା ଅନ୍ତର୍ଗତ ତିରୁ ଗ୍ରାମରେ ସେନାର ପାରା ସ୍ପେଶାଲ ଫୋର୍ସ ଜବାନମାନେ ଆମ୍ବୁ୍ୟସ୍ ବା ଏନ୍କାଉଣ୍ଟରରେ ୧୪ ଜଣ ଗ୍ରାମୀଣ ଲୋକଙ୍କୁ ଗୁଳି କରି ମାରି ଦେଇଥିଲେ । ଏହି ମାମଲରେ ନାଗାଲାଣ୍ଡ ପୁଲିସ୍ର ସ୍ପେଶାଲ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି) ପକ୍ଷରୁ ଶନିବାର କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଛି । ସେଥିରେ ମେଜର ର୍ୟାଙ୍କର ଜଣେ ସେନା ଅଧିକାରୀ ଏବଂ ୨୯ ଜଣ ଜବାନଙ୍କ ନାମ ଅଛି ।
ଏସ୍ଆଇଟିର ଅଭିଯୋଗପତ୍ରରେ ଉଲ୍ଲେକ ଅଛି ଯେ, ୨୧ ପାରା ସ୍ପେଶାଲ ଫୋର୍ସର ସୈନିକମାନେ ଷ୍ଟାଣ୍ଡାର୍ଡ ଅପରେସନ୍ ପ୍ରସିଡିଓର (ଏସ୍ଓପି) ଓ ଏନ୍ଗେଜ୍ମେଣ୍ଟ ନିୟମ ପାଳନ କରି ନ ଥିଲେ । ରାତିରେ ଏକ ପିକ୍ଅପ୍ ଟ୍ରକ୍ରେ ଘରକୁ ଫେରୁଥିବା ୧୪ଜଣ ନିରୀହ ନାଗରିକ (ଶ୍ରମିକ)ଙ୍କୁ ଅଟକାଇ ଜବାନମାନେ ଅଚାନକ ଗୁଳି କରି ମାରିଦେଇଥିଲେ । ଏହି ଘଟଣାର ପରଦିନ ସ୍ଥାନୀୟ ଅଧିବାସୀମାନେ ଜବାନମାନଙ୍କୁ ଘେରି ଆକ୍ରମଣ କରିବାରୁ ଜଣେ ସିପାହୀଙ୍କର ମୃତୁ୍ୟ ହୋଇଥିଲା ।
ଏବେ ନାଗାଲାଣ୍ଡ ସରକାର ଚାର୍ଜସିଟ୍ରେ ଉଲ୍ଲିଖିତ ଜବାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟର ଅନୁମତି ଲୋଡିଛନ୍ତି । ତା’ ସିହିତ ପ୍ରତିରକ୍ଷା ମନ୍ତ୍ରାଳୟକୁ ପତ୍ର ପଠାଇ କାର୍ଯ୍ୟାନୁଷ୍ଠାନ ପାଇଁ ମଞ୍ଜୁରି ମଗାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ନାଗାଲାଣ୍ଡରେ ବିଦ୍ରୋହୀ କାର୍ଯ୍ୟାକଳାପ ନିୟନ୍ତ୍ରଣ ପାଇଁ ରାଜ୍ୟର ବିସ୍ତୃତ ଇଲାକାକୁ ସଶସ୍ତ୍ର ବାହିନୀ (ବିଶେଷ) ଶକ୍ତି ଅଧିନିୟମ (ଏଏଫ୍ଏସ୍ପିଏ) ଅନ୍ତର୍ଭୁକ୍ତ କରାଯାଇଛି । ଏହି ଇଲାକାରେ ମୁତୟନ ଥିବା ଜବାନଙ୍କ ବିରୋଧରେ କେନ୍ଦ୍ରର ମଞ୍ଜୁରି ବିନା କାର୍ଯ୍ୟାନୁଷ୍ଠାନ ହୋଇପାରିବ ନାହିଁ ।
କୋର୍ଟ ଅଫ୍ ଇନ୍କ୍ୱାରି ଅନ୍ତର୍ଭୁକ୍ତ ସେନାର ଏକ ପୃଥକ୍ ଟିମ୍ ମଧ୍ୟ ନାଗାଲାଣ୍ଡ ଅପରେସନ୍ର ତଦନ୍ତ ଜାରି ରଖିଛି । ଏହାର ନେତୃତ୍ୱ ନେଇଛନ୍ତି ଜଣେ ମେଜର ଜେନେରାଲ୍ ।
ଆମ୍ବୁ୍ୟସ୍ ସ୍ଥାନ ଓଟିଙ୍ଗ ଗ୍ରାମଠାରୁ ପ୍ରାୟ ୬ କିଲୋମିଟର ଦୂର । ତିରୁ ଗ୍ରାମର ୧୪ ଜଣ ଶ୍ରମିକ କୋଇଲା ଖଣିରେ କାମ ସାରି ରାତିରେ ଘରକୁ ଫେରୁଥିବାବେଳେ ସେମାନଙ୍କୁ ବିଦ୍ରୋହୀ ବିଚ୍ଛିନ୍ନତାବାଦୀ ଭାବି ଜବାନମାନେ ଅଚାନକ ଗୁଳି ଚାଳନା କରିଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *