ହାୱଡା, ରାଞ୍ଚô ଏବେ ବି ଅଶାନ୍ତ
ରାଞ୍ଚô/ ସାହରନ୍ପୁର/ କାନପୁର/ ହାୱାଡା (ଏଜେନ୍ସି): ନିଲମ୍ବିତ ବିଜେପି ପ୍ରବକ୍ତା ନୂପୁର ଶର୍ମା ପ୍ରଫେଟ୍ ମହମ୍ମଦଙ୍କ ସମ୍ପର୍କରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଶୁକ୍ରବାର ଦେଶର ପ୍ରାୟ ୯ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଯାଇଥିଲା । ତେବେ ଶୁକ୍ରବାର ରାଞ୍ଚôରେ ହୋଇଥିବା ହିଂସାକାଣ୍ଡରେ ଗୁରୁତର ଆହତ ହୋଇଥିବା ୨ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଶନିବାର ଏହି ୨ଜଣଙ୍କ (ମହମ୍ମଦ ମୁଦ୍ଦସିର କୈଫ୍ (୨୨) ଓ ମହମ୍ମଦ ସାହିଲ (୨୪))ମୃତୁ୍ୟ ହୋଇଯାଇଥିବା ସମ୍ପର୍କରେ ସୂଚନା ମିଳିଛି । ଏହାକୁ ନେଇ ଶନିବାର ମଧ୍ୟ ରାଞ୍ଚôରେ ପୁନର୍ବାର ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଛି । ରବିବାର ଯାଏ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଥିବା ବେଳେ ୧୩ଟି ଥାନା ଅଞ୍ଚଳରେ ଅଘୋଷିତ କର୍ଫୁ୍ୟ ପରିସ୍ଥିତି ଦେଖିବାକୁ ମିଳିଛି ।
ସେହିପରି ଶୁକ୍ରବାର କୋଲକତାର ମଧ୍ୟ ବିଭିନ୍ନ ପ୍ରାନ୍ତରେ ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଥିବା ଦେଖିବାକୁ ମିଳିଥିବା ବେଳେ ଶନିବାର ମଧ୍ୟ ସ୍ଥିତି ସମାନ ରହିଥିଲା । ଶନିବାର ପଶ୍ଚିମବଙ୍ଗର ହାୱଡା ଅଞ୍ଚଳରେ ପୁଲିସ୍ ଓ ବିକ୍ଷୋଭକାରୀ ପୁଣିଥରେ ମୁହାଁମୁହିଁ ହୋଇଛନ୍ତି । ବିକ୍ଷୋଭକାରୀମାନେ ପୁଲିସ୍ ଉପରକୁ ଟେକା ପଥର ମାଡ କରିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଛି । ହାୱଡାରେ ହିଂସା ଓ ଦଙ୍ଗା ରୋକିବାକୁ ବିଭିନ୍ନ ସ୍ଥାନରେ ୧୪୪ ଧାରା ଲାଗୁ କରାଯାଇଛି । ଆସନ୍ତା ୧୫ ପର୍ଯ୍ୟନ୍ତ ଉତ୍ତେଜନାପ୍ରବଣ ଅଞ୍ଚଳଗୁଡ଼ିକରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ପ୍ରକାଶ, ଶୁକ୍ରବାର ହିଂସାକାଣ୍ଡ ଘଟଣାରେ ବର୍ତ୍ତମାନ ସୁଦ୍ଧା ବିଭିନ୍ନ ରାଜ୍ୟରୁ ଅନେକ ଲୋକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ବିଜେପିର ଭୁଲ୍ ପାଇଁ ରାଜ୍ୟର ସାଧାରଣ ନୀରିହ ଲୋକ ଆଜି ଏପ୍ରକାର ଯନ୍ତ୍ରଣା ଭୋଗୁଛନ୍ତି । ଏହି ପରିପ୍ରେକ୍ଷୀରେ ମମତା ହାୱଡା ଅଞ୍ଚଳର ପୁଲିସ୍ କମିଶନର ଏବଂ ଏସ୍ପିଙ୍କୁ ପରିବର୍ତ୍ତନ କରାଇଥିବା ଜାଣିବାକୁ ମିଳିଛି ।
ସୂଚନାଯୋଗ୍ୟ ଉତ୍ତରପ୍ରଦେଶ, କୋଲକତା, ଦିଲ୍ଲୀ, ତେଲେଙ୍ଗାନା ସମେତ ମୋଟ୍ ୯ରାଜ୍ୟରେ ବ୍ୟାପକ ହିଂସାକାଣ୍ଡ ସଂଘଠିତ ହୋଇଥିଲା । ଉତ୍ତରପ୍ରଦେଶର ପ୍ରୟାଗରାଜ, କାନପୁର ଏବଂ ସହାରାନ୍ପୁର ହିଂସାକାଣ୍ଡ ଘଟଣାରେ ଗୋଟିଏ ପଟେ ରାଜ୍ୟ ପୁଲିସ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ଲାଗିଥିବା ବେଳେ ଅନ୍ୟପକ୍ଷେ ଶନିବାର ଏହି ଦୁଇ ସହରରେ ଅଭିଯୁକ୍ତଙ୍କ ଘର ଉପରେ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଲାଯାଇଥିବା ସୂଚନା ମିଳିଛି । ଭିଡିଓ ଓ ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରୁ ପ୍ରୟାସ ଜାରି ରହିଥିବା କୁହାଯାଉଛି । ଏସବୁ ମଧ୍ୟରେ ପ୍ରୟାଗରାଜରେ ଥିବା ଏକ ଶିବମନ୍ଦିରରେ ଶିବଲିଙ୍ଗ ଉପରେ ଅଣ୍ଡା ଫିଙ୍ଗାଯାଇଥିବା ନେଇ ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି ।