ଦେଶବ୍ୟାପୀ ବିକ୍ଷୋଭ
ନୂପୁରଙ୍କ ବୟାନ ନେଇ ବଢୁଛି ଅସନ୍ତୋଷ
ନୂଆଦିଲ୍ଲୀ, ୧ଠା୬: ପୟଗମ୍ବର ମୋହମ୍ମଦଙ୍କ ଉପରେ ବିବାଦୀୟ ଟିପଣୀ ପରେ ବିଜେପିରୁ ବହିଷ୍କୃତ ନେତ୍ରୀ ନୂପୁର ଶର୍ମାଙ୍କ ବିରୋଧରେ ଶୁକ୍ରବାର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ୟୁପି, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତେଲେଙ୍ଗାନା, କାଶ୍ମୀର, ଏମ୍ପି, ମହାରାଷ୍ଟ୍ର ଓ ଗୁଜରାଟର ବିଭିନ୍ନ ସହରରେ ଜୁମା ନମାଜ ପରେ ମୁସ୍ଲିମ୍ ସମ୍ପ୍ରଦାୟର ଲୋକମାନେ ରାସ୍ତାକୁ ଚାଲି ଆସି ନୂପୁରଙ୍କ ବିରୋଧରେ ନାରାବାଜୀ ଆରମ୍ଭ କରିଦେଇଥିଲେ । ୟୁପିର ଅନେକ ସହରରେ ବିକ୍ଷୋଭକାରୀମାନେ ଟେକାପଥର ଫିଙ୍ଗିବା ସହ ଗାଡ଼ି, ମୋଟର ଭାଙ୍ଗି ଥିଲେ । ପ୍ରୟାଗରାଜରେ ବିକ୍ଷୋଭକାରୀମାନେ ପୁଲିସ୍ ଗାଡ଼ି ପୋଡ଼ି ଦେଇଛନ୍ତି । କର୍ଣ୍ଣାଟକରେ ନୂପୁରଙ୍କ କୁଶପୁତ୍ତଳିକାକୁ ଫାଶି ଦିଆଯାଇଛି । ହାଓଡ଼ାରେ ବିଜେପି କାର୍ଯ୍ୟାଳୟ ପୋଡ଼ି ଦିଆଯାଇଛି ।
ଝାରଖଣ୍ଡ ରାଜଧାନୀ ରାଞ୍ଚୀରେ ଉପଦ୍ରବକାରୀମାନେ ତାଣ୍ଡବ ରଚିଛନ୍ତିି । ପୁଲିସ୍ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ସଂଘର୍ଷ ଘଟିବା ପରେ ସହରର ମୁଖ୍ୟ ରାସ୍ତାରେ କର୍ଫୁ୍ୟ ଜାରି କରାଯାଇଛି । ରାଞ୍ଚୀ ମେନ୍ ରୋଡ୍ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ବିକ୍ଷୋଭକାରୀମାନେ ପୁଲିସ୍ ଉପରକୁ ପ୍ରଥମେ ଟେକାପଥର ପକାଇଥିଲେ । ଏକ ଧାର୍ମିକ ସ୍ଥଳ ଓ ଆଖପାଖ ଦୋକାନଗୁଡ଼ିକ ଉପରକୁ ମଧ୍ୟ ଟେକାମାଡ଼ କରାଯାଇଥିଲା । କ୍ରମାଗତ ଗୁଳି ଚାଳନା ସତ୍ତ୍ୱେ ପରିସ୍ଥିତି ବେକାବୁ ହେବା ଦେଖି ପୁଲିସ୍କୁ ପଳାୟନ କରିବାକୁ ପଡ଼ିଥିଲା । ଟେକା ମାଡ଼ରେ ଦୁଇ ଜଣ ଥାନା ଅଧିକାରୀ ସମେତ ଅନେକ ପୁଲିସ୍ କର୍ମଚାରୀ ଗୁରୁତର ଭାବେ ଆହତ ହୋଇଥିଲେ । ପରେ ପରେ ସହରର ସବୁ ଥାନା ଅଧିକାରୀ ଓ ଡିଏସ୍ପି ପହଞ୍ଚô ପୁଲିସ୍ ଲାଇନ୍ରୁ ଅତିରିକ୍ତ ଫୋର୍ସ ମଗାଇ ଥିଲେ । ଉପଦ୍ରବକାରୀଙ୍କୁ ନିୟନ୍ତ୍ରିତ କରିବା ପାଇଁ ଅତିକମ୍ରେ ୧୫୦ ରାଉଣ୍ଡ ଗୁଳି ଚାଳନା କରିଛି ପୁଲିସ୍ । ଟେକା ମାଡ଼ରେ ବହୁ ଲୋକ ଆହତ ହୋଇଛନ୍ତି । ଜଣେ ଯବାନଙ୍କ ଗୋଡ଼ରେ ଗୁଳି ଲାଗିଛି । ଗୁଳି ମାଡ଼ରେ ୧୦/୧୨ ଜଣ ଆହତ ହୋଇଥିବା ଖବର ମିଳିଛି ।
ୟୁପିର ପ୍ରୟାଗରାଜ, ସହାରନପୁର, ବାରାବଙ୍କୀ, ମୁରାଦାବାଦ୍, ଉନ୍ନାବ, ଦେଓବନ୍ଦ ସମେତ ବହୁ ସହରରେ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟରେ ମୋଟ୍ ୧୦୯ ଜଣଙ୍କୁୂ ଗିରଫ କରାଯାଇଛି ।
ପ୍ରୟାଗରାଜରେ ଶୁକ୍ରବାର ହୋଇଥିବା ଗଣ୍ଡଗୋଳରେ ସମାଜବାଦୀ ପାର୍ଟି, ଏଆଇଏମ୍ଆଇଏମ୍ ଓ ବାମପନ୍ଥୀ ସଂଗଠନର ଭୂମିକା ରହିଛି ବୋଲି କହିଛନ୍ତି ଏଡିଜି ପ୍ରେମ ପ୍ରକାଶ ।
କର୍ଣ୍ଣାଟକର ବେଲଗାବୀର ଏକ ମସଜିଦ୍ ପାଖରେ ନୂପୁର ଶର୍ମାଙ୍କ କୁଶପୁତ୍ତଳିକାକୁ ବିଜୁଳି ତାରରେ ଝୁଲାଇ ଦିଆଯାଇଥିଲା ।
କୋଲକାତା ଓ ହାୱଡ଼ାରେ ମୁସଲିମ୍ମାନେ ବିକ୍ଷୋଭରେ ବାହାରି ନାରାବାଜି କରିଥିଲେ । ସେମାନେ ଦୋକାନ ବଜାର ବନ୍ଦ କରିବା ଲାଗି ବ୍ୟବସାୟୀଙ୍କୁ ବାଧ୍ୟ କରିଥିଲେ । ହାୱଡ଼ାଠାରେ ଅନେକ ଯାନବାହାନ ଓ ଫାୟାର ବ୍ରିଗେଡ ଗାଡ଼ି ପୋଡ଼ି ଦିଆଯିବାରୁ ପୁଲିସ୍କୁ ଟିୟର ଗ୍ୟାସ୍ ପ୍ରୟୋଗ ସହ ଗୁଳିଚାଳନା କରିବାକୁ ପଡ଼ିଥିଲା । ପଞ୍ଜାବର ଶତାଧିକ ସ୍ଥାନରେ ଶୁକ୍ରବାର ଜୋରଦାର ବିକ୍ଷୋଭ ହୋଇଛି । ଲୋକେ ନୂପୁର ଶର୍ମା ଓ ନବୀନ ଜିନ୍ଦଲଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି । ମଧ୍ୟପ୍ରଦେଶର ଛିନ୍ଦୱାଡା, ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ, କଶ୍ମୀରର ଶ୍ରୀନଗର ସମେତ ବିଭିନ୍ନ ସହର, ମହାରାଷ୍ଟ୍ରର ନବୀ ମୁମ୍ବାଇ, ପନୱେଲ୍, ସୋଲାପୁର ଓ ଔରଙ୍ଗାବାଦରେ ବିକ୍ଷୋଭ ହୋଇଥିଲେହେଁ ହିଂସାକାଣ୍ଡ ଘଟିନାହିଁ । ଗୁଜରାଟର ବଡ଼ୋଦରା ଓ ସୁରତରେ ପୂର୍ବରୁ ବିକ୍ଷୋଭ କରାଯାଇଥିଲା । ଶୁକ୍ରବାର ଅହମଦାବାଦରେ ହଜାର ହଜାର ମୁସଲିମ୍ ନମାଜ ପରେ ରାସ୍ତାକୁ ଆସି ନାରାବାଜି କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ ।