ଆଜି ବାରବାଟୀ ଲଢ଼େଇ

କଟକ, ୧୧ା୬ (ବୁ୍ୟରୋ): ସବୁ ଉକ୍ରଣ୍ଠାର ଅବସାନ ଘଟାଇ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ । ଅଢ଼େଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଆନ୍ତର୍ଜାତିକ କ୍ରିକେଟ୍ ଫେରୁଥିବାରୁ ରାଜ୍ୟର କ୍ରିକେଟ୍ପ୍ରେମୀମାନଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍ ହାରିବା ପରେ ରିଷଭ ପନ୍ତଙ୍କ ନେତୃତ୍ୱାଧୀନ ଟିମ୍ ଦ୍ୱିତୀୟ ମ୍ୟାଚ୍ରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ।
ଷ୍ଟାଡିୟମ୍ରେ ନୂଆକରି ଲଗାଯାଇଥିବା ଏଲ୍ଇଡି ଫ୍ଲଡ୍ଲାଇଟ୍ରେ ଜୁନ୍ ୧୨ ସନ୍ଧ୍ୟା ୭ଟାରେ ଏହି ମ୍ୟାଚ୍ ଖେଳାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଣ୍ଟି ବଜାଇ ମ୍ୟାଚ୍ର ଶୁଭାରମ୍ଭ କରିବେ । କୋଲକାତାର ଇଡେନ୍ ଗାର୍ଡେନ୍ ଭଳି ବାରବାଟୀରେ ମଧ୍ୟ ଘଣ୍ଟି ଲଗାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ରହିବେ । ଏତଦ୍ଭିନ୍ନ, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲି ମଧ୍ୟ ମ୍ୟାଚ୍ ଦେଖିବାକୁ ବାରବାଟୀ ଆସିବେ ।
ଶନିବାର ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳି ବାରବାଟୀ ଗ୍ରାଉଣ୍ଡରେ ନେଟ୍ ପ୍ରାକ୍ଟିସ୍ କରିଥିଲେ । ଅଭ୍ୟାସ ଦେଖିବା ପାଇଁ ଷ୍ଟାଡିୟମ୍ରେ ଦର୍ଶକଙ୍କ ଭିଡ଼ ହୋଇଥିଲା । ଏହି ମ୍ୟାଚ୍ ପାଇଁ ନୂଆ ପିଚ୍ ପ୍ରସ୍ତୁତ କରାଯାଇଛି । ଏହା ଉଭୟ ବ୍ୟାଟର୍ ଓ ବୋଲର୍ଙ୍କୁ ସୁହାଇବ ବୋଲି କୁହାଯାଉଛି । ସେହିପରି ନୂଆ ଆଉଟ୍ଫିଲ୍ଡ ଯୋଗୁଁ ଭଲ ସ୍କୋର୍ ହେବ ବୋଲି ଆଶା କରାଯାଉଛି ।
ଏହାଛଡ଼ା ଡ୍ରେସିଂରୁମ୍ର କାୟାକଳ୍ପ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯାଇଥିବା ବେଳେ ପଡ଼ିଆରେ ଡ୍ରେନେଜ୍ ସିଷ୍ଟମ୍କୁ ମଧ୍ୟ ନୂଆ ରୂପ ଦିଆଯାଇଛି । ଦୁଇ ଟିମ୍ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରଠାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବାରବାଟୀରେ ଏ ଯାବତ୍ ଦୁଇଟି ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳାଯାଇଛି । ତନ୍ମଧ୍ୟରେ ୨୦୧୫ ଅକ୍ଟୋବରରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତୀୟ ଟିମ୍ ଦକ୍ଷିଣ ଆଫ୍ରିକାଠାରୁ ପରାଜିତ ହୋଇଥିବା ବେଳେ ୨୦୧୭ ଡିସେମ୍ବରରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ବିପକ୍ଷରେ ବଡ଼ ବିଜୟ ହାସଲ କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *