ଓଡ଼ିଶାରେ ଆରମ୍ଭ ହେଉ ଜାତିଭିତ୍ତିକ ଜନଗଣନା
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀକାନ୍ତଙ୍କ ଚିଠି
ଭୁବନେଶ୍ୱର (ବୁ୍ୟରୋ): ଓଡ଼ିଶାରେ ତୁରନ୍ତ ଜାତିଭିତ୍ତିକ ଜନଗଣନା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦାବି କରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଶ୍ରୀ ଜେନା ଚିଠିରେ ଉଲ୍ଲେଖ କରିଛନ୍ତି, ଜାତିଭିତ୍ତିିକ ଜନଗଣନାକୁ ଆପଣ ସମର୍ଥନ କରିବାର ଘୋଷଣା କରିଛନ୍ତି । ସେଥିପାଇଁ ଧନ୍ୟବାଦ । ପାର୍ଲାମେଣ୍ଟର ଉଭୟ ଗୃହରେ ସର୍ବସମ୍ମତି କ୍ରମେ ଜାତିଭିତ୍ତିକ ଜନଗଣନାର ପ୍ରସ୍ତାବ ଗୃହୀତ ହୋଇଛି । ବିଜେପି ଏହି ପ୍ରସ୍ତାବକୁ ସମର୍ଥନ ଦେଇଛି କିନ୍ତୁ ଭାରତ ସରକାର ଜାତିଭିତ୍ତିକ ଜନଗଣନା ହୋଇପାରିବ ନାହିଁ ବୋଲି ଗତ ମାର୍ଚ୍ଚ ମାସରେ ପାର୍ଲାମେଣ୍ଟକୁ ଜଣାଇ ଦେଇଛନ୍ତି ।
ପ୍ରତି ୧୦ ବର୍ଷରେ ଜନଗଣନା ଦେଶରେ ହୁଏ । ଏହି ଜନଗଣନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କର ଗଣନା କରାଯାଇଥାଏ । ୧୯୩୧ ମସିହା ଜାତିଭିତ୍ତିକ ଜନଗଣନା ଅନୁଯାୟୀ ଓବିସିଙ୍କ ସଂଖ୍ୟା ଦେଶରେ ୫୨ ପ୍ରତିଶତ । ଓଡ଼ିଶାରେ ଏହା ୫୪ ପ୍ରତିଶତ । ଜାତିଭିତ୍ତିକ ଜନଗଣନାର କାର୍ଯ୍ୟ ଓଡ଼ିଶାରେ ତୁରନ୍ତ ଆରମ୍ଭ କରାଯାଉ । ବାଚସ୍ପତି ନିର୍ବାଚନ ପାଇଁ ଜୁନ୍ ୧୩ ତାରିଖ ବିଧାନସଭାର ବୈଠକ ଡକାଯାଇଛି । ଏହି ବିଧାନସଭାର ବୈଠକରେ ଜାତି ଜନଗଣନା ସମ୍ପର୍କୀୟ ପ୍ରସ୍ତାବ ସରକାରଙ୍କ ପକ୍ଷରୁ ଆଗତ କରାଯାଇ ପ୍ରସ୍ତାବକୁ ପାରିତ କରାନ୍ତୁ । ସମସ୍ତ ରାଜନୈତିକ ଦଳର ସମର୍ଥନ ଥିବାରୁ ଏହା ସର୍ବସମ୍ମତରେ ଗ୍ରହଣ ହେବା ସ୍ୱାଭାବିକ । ନବଗଠିତ ମନ୍ତ୍ରୀସଭାର ଅନୁମୋଦନ ନେଇ ଏହି ଐତିହାସିକ କାର୍ଯ୍ୟକ୍ରମର ଶୁଭାରମ୍ଭ ଆପଣଙ୍କ ବିଦେଶଗସ୍ତ ପୂର୍ବରୁ ଆରମ୍ଭ କରାଇବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।