ପାଣି ବୋତଲ, ବାହାର ଖାଦ୍ୟ ମନା
କଟକ, ୧୧ ।୬ (ବୁ୍ୟରୋ): ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ରବିବାର ବାରବାଟୀ ଷ୍ଟାଡ଼ିିୟମ୍ରେ ଆୟୋଜିତ ହେବ ଆନ୍ତର୍ଜାତିକ ମ୍ୟାଚ୍ । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ । ମ୍ୟାଚ୍କୁ ସୁରୁଖୁରରେ ସମ୍ପାଦନ କରିବା ନିମନ୍ତେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପାଣି ବୋତଲ, ବାହାର ଖାଦ୍ୟ ନେବା ପାଇଁ ଅନୁମତି ନାହିଁ ଏବଂ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି ।
ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ସୂଚନା ଦେଇ ଡିସିପି ପିନାକ ମିଶ୍ର କହିଛନ୍ତି ଯେ ରବିବାର ଅପରାହ୍ନ ୩ଟାରୁ ଷ୍ଟାଡିୟମ୍ର ପ୍ରବେଶ ଗେଟ୍ ଖୋଲାଯିବ । ଦର୍ଶକ ଷ୍ଟାଡ଼ିୟମ୍ ଭିତରକୁ ପ୍ରବେଶ କଲା ବେଳେ ସେମାନଙ୍କର ଟିକେଟ୍ ପ୍ରବେଶ ଦ୍ୱାରରେ ଯାଞ୍ଚ କରାଯିବ । ଉକ୍ତ କାର୍ଯ୍ୟ ପାଇଁ ଦର୍ଶକମାନେ ଓସିଏ କର୍ମଚାରୀ ଓ ପୁଲିସ ପ୍ରଶାସନକୁ ସହଯୋଗ କରିବାକୁ ଡିସିପି କହିଛନ୍ତି । ଟିକେଟ୍ରେ ସ୍ପଷ୍ଟ ଭାବେ ଗେଟ୍ ନଂ. ଉଲ୍ଲେଖ କରାଯାଇଛି । ତେଣୁ ଦର୍ଶକ ଅଯଥା ଭିଡ଼ ନ କରି ନିଜ ଟିକେଟ୍ରେ ଉଲ୍ଲେଖ ଥିବା ଗେଟ୍ ଦେଇ ଭିତରକୁ ପ୍ରବେଶ କରିପାରିବେ । ଷ୍ଟାଡ଼ିୟମ୍ ଭିତରକୁ ପ୍ରବେଶ ନିମନ୍ତେ ସମସ୍ତଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ବିନା ମାସ୍କରେ କାହାକୁ ବି ଭିତରକୁ ଛଡ଼ାଯିବନି । ଏଥିସହ ପ୍ରବେଶ ସମୟରେ କଡ଼ାକଡ଼ି ଭାବେ ଯାଞ୍ଚଞ୍ଚକରାଯାଇ ଫିଙ୍ଗା ହେବା ଭଳି ଜିନିଷ, ଖାଦ୍ୟ ତଥା ପାଣି ନେବା ପାଇଁ ଅନୁମତି ମିଳିବନି । ମୁଖ୍ୟତଃ ପାଣି ବୋତଲ, ଲାଠି, ହେଲ୍ମେଟ୍, ଲାଇଟର୍, ଦିଆସିଲି, ଛୁରୀ, ଖୁଚୁରା ପଇସା ପାଖରେ ରଖିଥିଲେ ଏହିସବୁ ଜିନିଷକୁ ପ୍ରବେଶ ଅନୁମତି ମିଳିବନି । କେବଳ ମୋବାଇଲ୍ ଓ ଚଷମାକୁ ଛାଡ଼ି ଆଉ କିଛି ଜିନିଷକୁ ଅନୁମତି ମିଳିବ ନାହିଁ । ଏପରିକି କୌଣସି ଦର୍ଶକ ଷ୍ଟାଡ଼ିୟମ୍ ଭିତରକୁ କିମ୍ବା କ୍ରିକେଟ୍ ଖେଳାଳିଙ୍କ ଉପରକୁ କୌଣସି ସାମଗ୍ରୀ ଫିଙ୍ଗି ପାରିବେ ନାହିଁ । ଏପରି କାର୍ଯ୍ୟ କଲେ ସମ୍ପୃକ୍ତ ଦର୍ଶକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଷ୍ଟାଡ଼ିୟମ ଭିତରେ ଓ ବାହାରେ ସମସ୍ତ କାର୍ଯ୍ୟ ସିସିଟିଭି ଜରିଆରେ ନଜର ରଖାଯାଇଛି । ଏଣୁ କୌଣସି ଦର୍ଶକ ବେଆଇନ କାର୍ଯ୍ୟ ନ କରିବା ପାଇଁ ଅନୁରୋଧ କରାଯାଇଛି । ଏହାସହ ଦର୍ଶକମାନେ ସାଥିରେ କେବଳ ବୈଧ ଟିକେଟ୍ ନେଇ ଭିତରକୁ ଯାଇପାରିବେ । ସେହିପରି ଷ୍ଟାଡ଼ିୟମ୍ ଭିତରେ ବାହାର ଖାଦ୍ୟକୁ ଅନୁମତି ଦିଆଯାଇ ନାହିଁ । ଓସିଏ ତରଫରୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି, ଯାହାକୁ ଦେୟମୁକ୍ତ କରାଯାଇଛି । ଦ୍ୱିତୀୟ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍କୁ ଶାନ୍ତିଶୃଙ୍ଖଳାର ସହ ସମ୍ପାଦନ କରିବା ପାଇଁ ବ୍ୟାପକ ପୁଲିସ ବନେ୍ଦାବସ୍ତ କରାଯାଇଛି । କୌଣସି ଦର୍ଶକ ଷ୍ଟାଡ଼ିୟମ ଭିତରେ ଯଦି ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ସେଠାରେ କର୍ତ୍ତବ୍ୟରତ ଥିବା ପୁଲିସ କର୍ମଚାରୀଙ୍କୁ ତୁରନ୍ତ ଅବଗତ କରାଇବେ । ଏହାସହ ସୁରୁଖୁରରେ ମ୍ୟାଚ ପରିଚାଳନା ନିମନ୍ତେ ଟ୍ୱିନ ସିଟି ପୁଲିସ୍ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ଡିଜିପିଙ୍କ ନିଦେ୍ର୍ଦଶକ୍ରମେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ଅପରପକ୍ଷରେ ରବିବାର ମ୍ୟାଚ୍ ନିମନ୍ତେ ମୁଖ୍ୟତଃ ୨ଟି ରୁଟ୍ ଦେଇ ଅଧିକ ସଂଖ୍ୟକ ଦର୍ଶକ ଆସିବେ ବୋଲି ଅନୁମାନ କରାଯାଉଥିବା ଡିସିପି କହିଛନ୍ତି । ମୁଖ୍ୟତଃ ଭୁବନେଶ୍ୱର- କଟକ ଜାତୀୟ ରାଜପଥର ଶିଖରପୁର ନିକଟରୁ ବାରବାଟୀ ପର୍ଯ୍ୟନ୍ତ ଓ ଅନ୍ୟଟି ତ୍ରିଶୁଳିଆ ଦେଇ ବାରବାଟୀ ପର୍ଯ୍ୟନ୍ତ ବହୁ ସଂଖ୍ୟକ ଦର୍ଶକ ବାରବାଟୀରେ ପ୍ରବେଶ କରିବେ ବୋଲି ଅନୁମାନ କରାଯାଉଛି । ଯେଉଁମାନେ ଭୁବନେଶ୍ୱରରୁ ଏନ୍ଏଚ୍ରେ ଆସି ଶିଖରପୁର ନିକଟରେ ଭାଙ୍ଗିବେ, ସେମାନେ ସେଠାରୁ ଗୁରୁଦ୍ୱାର-ଯୋବ୍ରା-ମାତାମଠ-ଗଡ଼ଗଡ଼ିଆ ମନ୍ଦିର- କାଠ ଡିପୋ- ପୁଲିସ୍ କୋଠା ହୋଇ ଷ୍ଟାଡିୟମର ୧୪ ନଂ ଗେଟ୍ ନିକଟରେ ପହଞ୍ଚିବେ । ସେହିପରି ଯେଉଁମାନେ ତ୍ରିଶୁଳିଆ ଦେଇ ପ୍ରବେଶ କରିବେ ସେମାନେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୁଳିଆ-ସତିଚଉରା-ଚହଟା-କ୍ୟାଣ୍ଟନମେଣ୍ଟ ରୋଡ୍-କାଠ ଡିପୋ ହୋଇ ୧୪ ନଂ ଗେଟ୍ରେ ପ୍ରବେଶ କରିବେ । ଏହାପରେ ନିଜ ଟିକେଟ୍ରେ ଲେଖା ହୋଇଥିବା ଗେଟ୍ ନିକଟକୁ ଯାଇ ଭିତରକୁ ପ୍ରବେଶ କରିବେ । ଏହି ୨ଟି ରୁଟ୍ରେ ଅଧିକ ସଂଖ୍ୟକ ଦର୍ଶକ ଆସିବା ସମ୍ଭାବନା ଥିବାରୁ ବାରିକେଡ୍ କରାଯାଇଛି, ଷ୍ଟପ୍ ବୋର୍ଡ ଲଗାଯିବା ସହ ଷ୍ଟାଡିୟମ୍କୁ ଯିବା ନିମନ୍ତେ ଚିହ୍ନ ଲଗାଯାଇଛି । ଦର୍ଶକଙ୍କ ଗାଡ଼ି ପାର୍କିଂ ନିମନ୍ତେ ବାଲିଯାତ୍ରାର ଉପର ଓ ତଳ ପଡ଼ିଆକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି । ତଳ ବାଲିଯାତ୍ରା ପଡ଼ିଆରେ ସାଧାରଣ ଲୋକଙ୍କ ଗାଡ଼ି ରହିବ । ସେଠାରେ ସିଏମ୍ସି ତରଫରୁ ପାର୍କି ବ୍ୟବସ୍ଥା କରାଯାଇଛି । ପାର୍କିଂରେ ଗାଡ଼ି ରଖୁଥିବା ବ୍ୟକ୍ତି ନିଜ ଦାୟିତ୍ୱରେ ହେଲ୍ମେଟ ରଖିବେ । ଉପର ପାର୍କିଂ ପଡ଼ିଆରେ ଆବଶ୍ୟକ ସର୍ଭିସ୍ ଯଥା ଦମକଳ ବାହିନୀ, ଆମ୍ବୁଲାନ୍ସ, ପୁଲିସ୍ ଗାଡ଼ି ତଥା ପାସ୍ ହୋଲ୍ଡରଙ୍କ ଗାଡ଼ି ମଧ୍ୟ ରହିବ ବୋଲି କହିଛନ୍ତି ଡିସିପି ।