ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ ହେବେ ବିଦ୍ୟାର୍ଥୀ
ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସ୍ର ଭୂମି ପୂଜନ
ଭୁବନେଶ୍ୱର/ଜଟଣୀ (ବୁ୍ୟରୋ/ଆପ୍ର): ଖୋର୍ଦ୍ଧା ଜିଲ୍ଲା ବରୁଣେଇ ପାହାଡର ପାଦଦେଶରେ ପ୍ରତିଷ୍ଠିତ ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ଆଗାମୀ ଦିନରେ ଶିକ୍ଷାର ପ୍ରୟୋଗଶାଳା ହେବା ସହ ଛାତ୍ରଛାତ୍ରୀଙ୍କୁ ବିଶ୍ୱସ୍ତରୀୟ ନେତୃତ୍ୱ ପାଇଁ ପ୍ରସ୍ତୁତ କରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଆଇଆଇଟି ଭୁବନେଶ୍ୱର ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଲୋକାର୍ପଣ ଓ ସ୍ଥାୟୀ କ୍ୟାମ୍ପସର ଭୂମିପୂଜନ କରିବା ଅବସରରେ ଏହା କହିଛନ୍ତି ।
ସେ କହିଛନ୍ତି ଯେ ଚଳିତ ୨୦୨୨-୨୩ ଶିକ୍ଷା ବର୍ଷରୁ ପ୍ରଥମେ ଲୋକାର୍ପିତ ଶ୍ରେଣୀ ଗୃହରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନାମଲେଖା ସହ ପାଠପଢ଼ା ଆରମ୍ଭ ହେବ । ପରବର୍ତ୍ତୀ ପର୍ଯ୍ୟାୟରେ ଆଇଆଇଟି ଭୁବନେଶ୍ୱର ଯୋଗାଇଥିବା ୧୦ ଏକର ପରିମିତ ଜମିରେ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ ଶ୍ରେଣୀଗୃହ ନିର୍ମାଣ ହେବା ପରେ ପିଲାଙ୍କ ପାଠପଢା ଏଠାକୁ ସ୍ଥାନାନ୍ତର କରାଯିବ । ଏହି ସ୍ଥାୟୀ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ ପାଇଁ ୨୫ କୋଟି ଖର୍ଚ୍ଚ ହେବ ଏବଂ ସ୍କୁଲର ପରିଚାଳନା ପାଇଁ ଅତିରିକ୍ତ ବାର୍ଷିକ ୪ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ଶିକ୍ଷା ସଂସ୍ଥା ଆଇଆଇଟି ଭୁବନେଶ୍ୱର ବହନ କରିବ ।
ଶିକ୍ଷକଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ଦେବା ପାଇଁ ଚଳିତବର୍ଷ ୪ ବର୍ଷୀୟା ଇଣ୍ଟିଗ୍ରେଟେଡ୍ ଟିଚର ଏଜୁକେସନ ପ୍ରୋଗ୍ରାମ (ଆଇଟେପ)ର ପାଇଲଟ୍ ମଡ଼େଲ ଆରମ୍ଭ କରାଯିବ । ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ଦିଗରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ପ୍ରତ୍ୟେକ ବ୍ଲକ୍ରେ ପ୍ରାୟ ୧୫ ହଜାର ପିଏମ୍ ଶ୍ରୀ ସ୍କୁଲ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି । ଓଡ଼ିଶାରେ ଅଧିକ କେନ୍ଦ୍ରୀୟ ବିଦ୍ୟାଳୟ, ନବଦୋୟ ଓ ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ । ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ବିଦ୍ୟାଳୟ ରାଜ୍ୟର ୬୬ତମ କେନ୍ଦ୍ରୀୟ ବିଦ୍ୟାଳୟ ଭାବରେ ସ୍ଥାନିତ ହେବ । ସାମଗ୍ରିକ ଶିକ୍ଷା ଯୋଜନାରେ ଆଗାମୀ ୪ ବର୍ଷ ମଧ୍ୟରେ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଓଡ଼ିଶା ସମେତ ଦେଶରେ ଶିକ୍ଷାର ଗୁଣାତ୍ମକ ମାନ ବଢ଼ିବା ପାଇଁ ଭାରତ ସରକାର ପଦକ୍ଷେପ ନେବେ । ସେହିପରି ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ୪୫ ହଜାର ସ୍କୁଲକୁ ଭାରତ ସରକାର ସବୁ ପ୍ରକାର ସହଯୋଗର ଦାୟିତ୍ୱ ନେବେ । ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ ।