ତେଲିଙ୍ଗି ବାଜାରେ କମ୍ପିଲା ସିଂହଦ୍ୱାର

ରୁକ୍ମିଣୀଙ୍କୁ ହରଣ ଓ ବିବାହ
ପୁରୀ (ବୁ୍ୟରୋ): ଶନିବାର ଶ୍ରୀମନ୍ଦିରରେ ପାଳିତ ହୋଇଛି ଜଗାର ବାହାଘର । ପରମ୍ପରା ଅନୁଯାୟୀ ତେଲିଙ୍ଗି ବାଜା ବଜାଇ ମହାପ୍ରଭୁ ରୁକ୍ମିଣୀଙ୍କୁ ବିବାହ କରିଥିଲେ । ଏଥିଲାଗି ସ୍ୱତନ୍ତ୍ର ନୀତି ପ୍ରସ୍ତୁତ କରାଯାଇଥିବା ବେଳେ ସିଂହଦ୍ୱାରକୁ ରଙ୍ଗବେରଙ୍ଗରେ ସୁସଜ୍ଜିତ କରାଯାଇଥିଲା ।
ବିଦର୍ଭ ରାଜା ଭୀଷ୍ମକଙ୍କ କନ୍ୟା ରୁକ୍ମିଣୀ ମା’ ବିମଳାଙ୍କ ଦର୍ଶନ ସାରି ଫେରୁଥିବାବେଳେ ତାଙ୍କୁ ମହାପ୍ରଭୁ ହରଣ କରିଥିଲେ । ତାଙ୍କୁ ନେଇ ମହାପ୍ରଭୁ ଯାଉଥିଲାବେଳେ ବାଟ ଓଗାଳିଥିଲେ ଶିଶୁପାଳ । ଦୁର୍ହିଁଙ୍କ ମଧ୍ୟରେ ଯୁଦ୍ଧ ହେଲା । ଶେଷରେ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ । ଶନିବାର ପବିତ୍ର ଜ୍ୟେଷ୍ଠ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ମହାପ୍ରଭୁଙ୍କ ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି । ଏହି ଦିବସକୁ ରୁକ୍ମିଣୀ ହରଣ ଏକାଦଶୀ ମଧ୍ୟ କୁହାଯାଏ । ଏହି ନୀତି ଦେଖିବା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା । ତେଲିଙ୍ଗି ବାଜାରେ ପ୍ରକମ୍ପିତ ହେଉଥିଲା ସିଂହଦ୍ୱାର ।
ଶ୍ରୀମନ୍ଦିରରେ ଶନିବାର ସକାଳ ଧୂପ ପୂଜା ବସିଥିଲା । ସେହି ସମୟରେ ଦକ୍ଷିଣୀଘରେ ମଦନମୋହନ (ଶ୍ରୀକୃଷ୍ଣ)ଙ୍କ ବେଶ ହୋଇଥିଲା । ବେଶ ବଢ଼ିବା ପରେ ମଦନମୋହନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ପାଇ ଜୟବିଜୟ ଦ୍ୱାରକୁ ବିଜେ କରି ସେଠାରେ ରହିଥିଲେ । ସକାଳ ଧୂପ ପୂଜା ବଢ଼ି ପାଣି ପଡ଼ିବା ପରେ ପୂଜାପଣ୍ଡା ସାମନ୍ତ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀ(ରୁକ୍ମିଣୀ)ଙ୍କୁ ଦେଇଥିଲେ । ମହାଜନସେବକ ରୁକ୍ମିଣୀଙ୍କୁ ହାତରେ ନେଇ ସାତ ପାହାଚରେ ଥିବା ପାଲିଙ୍କିରେ ବିଜେ କରାଇଥିଲେ । ବିମାନବଡୁମାନେ ପାଲିଙ୍କକୁ ମହାଲକ୍ଷ୍ମୀ ମନ୍ଦିରକୁ ନେଇଥିଲେ । ଜଗମୋହନରେ ପଡ଼ିଥିବା ଖଟରେ ମହାଜନ ସେବକ ରୁକ୍ମିଣୀଙ୍କୁ ବିଜେ କରାଇଥିଲେ । ସେଠାରେ ରୁକ୍ମିଣୀଙ୍କ ପଞ୍ଚାମୃତ ମହାସ୍ନାନ, ମାଜଣା, ବନକ ଲାଗି ଏବଂ ଅଳଙ୍କାରରେ ବେଶ ହୋଇଥିଲା । ଏହି ସମୟରେ ଚଢ଼ାଉକରଣ ରୁକ୍ମିଣୀଙ୍କ ବିଶ୍ୱସ୍ତ ରୂପେ ତାଳପତ୍ର ଓ ଲେଖନୀ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ଛୁଅାଁକରି ତଢ଼ାଉଙ୍କୁ ଦେଇଥିଲେ । ଚଢ଼ାଉକରଣ ଠିଆ ହୋଇ ରୁକ୍ମିଣୀଙ୍କ ମନୋଭାବ ମହାପ୍ରଭୁଙ୍କ ନିକଟକୁ ଚିଟାଉ (ଚିଠି) ଲେଖିଥିଲେ । ଲେଖାସରିବା ପରେ ପୁଣି ଭିତରଚ୍ଛ ମହାପାତ୍ର ଉକ୍ତ ଚିଟାଉ ନେଇ ରୁକ୍ମିଣୀଙ୍କ ଶ୍ରୀହସ୍ତ ମୁଦ କରାଇଥିଲେ । ଏହାପରେ ବିପ୍ର ବ୍ରାହ୍ମଣ ରୂପରେ ଜଣେ ସେବକ ଚିଟାଉ ନେଇ ଘଣ୍ଟ, ଛତା ଓ କାହାଳି ସହିତ ଜୟବିଜୟ ଦ୍ୱାରରେ ଥିବା ମହାପ୍ରଭୁଙ୍କ ନିକଟକୁ ଯାଇଥିଲେ । ସେଠାରେ ପୁରାଣ ପଣ୍ଡା, ପୂଜାପଣ୍ଡା ଓ ପାଳିଅ ଖୁଣ୍ଟିଆ ଥାଇ ବଚନିକା ହୋଇଥିଲା ।
ମଦନମୋହନ ସାତପାହାଚରେ ଥିବା ରଥରେ ବିଜେ କରି ବିମଳା ମନ୍ଦିର ନିକଟକୁ ଯାଇ ରୁକ୍ମିଣୀକୁ ଅପେକ୍ଷା କରିଥିଲେ । ମହାଲକ୍ଷ୍ମୀ ମନ୍ଦିରରୁ ରୁକ୍ମିଣୀ ପାଲିଙ୍କିରେ ବିଜେ ହୋଇ ଦର୍ଶନ ଲାଗି ବିମଳାଙ୍କ ମନ୍ଦିରକୁ ଆସିଥିଲେ । ଦର୍ଶନ ଓ ଆନୁସଙ୍ଗିକ ନୀତି ସାରି ରୁକ୍ମିଣୀ ବାହାରକୁ ଆସିବା ସମୟରେ ମହାପ୍ରଭୁ ବିମଳା ମନ୍ଦିରଦ୍ୱାର ନିକଟରେ ଥାଇ ରୁକ୍ମିଣୀଙ୍କୁ ହରଣ କରି ରଥରେ ବସାଇ ନେଇଥିଲେ । ମହାପ୍ରଭୁ ରୁକ୍ମିଣୀଙ୍କୁ ରଥରେ ବସାଇ ଯାଉଥିବା ବେଳେ ସରସ୍ୱତୀଙ୍କ ଦେଉଳ ସମ୍ମୁଖରେ ଶିଶୁପାଳ ପ୍ରତିରୋଧ କରିଥିଲେ । ମହାପ୍ରଭୁ ଏବଂ ଶିଶୁପାଳଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା । ମହାପ୍ରଭୁ ଶିଶୁପାଳଙ୍କୁ ପରାସ୍ତ କରି ରଥରେ ବାନ୍ଧି ଦେଇଥିଲେ । ଦକ୍ଷିଣୀ ଘରୁ ବଳଦେବ ବିମାନରେ ବିଜେ ହୋଇ ଆସି ଶିଶୁପାଳଙ୍କୁ ବନ୍ଧନମୁକ୍ତ କରିଥିଲେ । ପରେ ବଳଦେବ ଦକ୍ଷିଣୀ ଘରକୁ ଏବଂ ମଦନମୋହନ ଓ ରୁକ୍ମିଣୀ ବିବାହ ନିମନ୍ତେ ବିବାହ ମଣ୍ଡପକୁ ବିଜେ କରିଥିଲେ । ଏହାପରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଚନ୍ଦନ ଲାଗି ହୋଇଥିଲା । ଭିତରେ ପାଣିପଡ଼ି ଧୋପଖାଳ ହେବା ପରେ ଯାତଭୋଗ ଉଠିଥିଲା । ପରେ ଜଳକ୍ରୀଡ଼ା ନିମନ୍ତେ ଦୋଳଗୋବିନ୍ଦ ବିଜେ କରିଥିଲେ । ଜଳକ୍ରୀଡ଼ା ନୀତି ସମ୍ପାଦିତ ହେବା ପରେ ମଧ୍ୟାହ୍ନ ଧୂପ ପୂଜା ବଢ଼ି ସନ୍ଧ୍ୟା ଆଳତି ହୋଇଥିଲା । ଶ୍ରୀବିଗ୍ରହ ମହାସ୍ନାନ ହୋଇ ନୂଆ ଲୁଗା ଲାଗି ହୋଇଥିଲେ । ସର୍ବାଙ୍ଗ ବଢ଼ିବା ପରେ ସନ୍ଧ୍ୟା ପୂଜା ବସିଥିଲା । ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ପୂଜା ବସିବା ସମୟରେ ବିବାହ ମଣ୍ଡପରେ ବିବାହ କାର୍ଯ୍ୟ ନୀତି ଆରମ୍ଭ ହୋଇଥିଲା । ସଂକଳ୍ପ ବାକ୍ୟ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ପରେ ବିବାହ ମଣ୍ଡପରେ ପଞ୍ଚୁଗ୍ରାସୀ ଭୋଗ ଓ ବନ୍ଦାପନା ହୋଇ ଶ୍ରୀମନ୍ଦିରରେ ଅନ୍ୟାନ୍ୟ ନୀତି ବଢ଼ିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *