ଦକ୍ଷିଣରେ ପ୍ରାକ୍ ମୌସୁମୀ, ପଶ୍ଚିମରେ କାଳବୈଶାଖୀ
ଭୁବନେଶ୍ୱର,୧ଠା୬(ବୁ୍ୟରୋ): ରାଜ୍ୟରେ ଆକାଶ ମେଘୁଆ ଯୋଗୁ ପଶ୍ଚିମ ସମେତ ଉପକୂଳରେ ତାତି ହ୍ରାସ ପାଇଛି । ଶନିବାରଠାରୁ କାଳବୈଶାଖୀ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଶେଷଜ୍ଞ ଉମାଶଙ୍କର ଦାଶ କହିଛନ୍ତି, ଶନିବାରଠୁ ଉପକୂଳରେ ପାଗ ଫିଟିପାରେ । ଉପକୂଳରେ ଯଦି ଆକାଶ ମେଘମୁକ୍ତ ରହିଲା ତାହେଲେ ପୁଣି ଗୁଳୁଗୁଳି ହେବ । ଶୁକ୍ରବାର ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେଇଥିବା ଯୋଗୁ ତାତି କମିଛି । ଦିନର ତାପମାତ୍ରା ୪୫ ଡିଗ୍ରୀରୁ ଖସି ଆସି ୪୧ ଡିଗ୍ରୀରେ ପହଞ୍ଚିଛି । ଶୁକ୍ରବାର ବୌଦ୍ଧରେ ସର୍ବୋଚ୍ଚ ତାପମାତ୍ରା ୪୨.୫ ଡିଗ୍ରୀ ଥିବା ବେଳେ ସମ୍ବଲପୁରରେ ୪୧.୮ ଡିଗ୍ରୀ, ସୁନ୍ଦରଗଡ଼ ଓ ବରଗଡ଼ରେ ୪୧ ଡିଗ୍ରୀ, ଝାରସୁଗୁଡ଼ାରେ ୪୧.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ୱରରେ ୩୧ ଡିଗ୍ରୀ, କଟକରେ ୩୧.୨ ଡିଗ୍ରୀ ରହିଛି ତାପମାତ୍ରା । ଶନିବାର ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ଗଜପତି ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, ଗଞ୍ଜାମ, ରାୟଗଡ଼ା, ଗଜପତି, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, କେନ୍ଦୁଝର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର ଜିଲ୍ଲାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇପାରେ । ଏସ୍ଆର୍ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ଏଥିନେଇ ସତର୍କ କରାଯାଇଛି । ପାଣିପାଗ ବିଶେଷଜ୍ଞ ଡଃ. ଶରତ ଚନ୍ଦ୍ର ସାହୁ କହିଛନ୍ତି,ଶନିବାର ଠାରୁ ଦକ୍ଷିଣ ଓଡ଼ିଶାରେ ମୌସୁମୀ ବର୍ଷା ଆରମ୍ଭ ହେବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏବେ ସକ୍ରିୟ ଅଛି । ଦକ୍ଷିଣାଞ୍ଚଳରେ କେତେକ ସ୍ଥାନରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।