ବାଚସ୍ପତି ପଦ ପାଇଁ ଆରୁଖଙ୍କ ନାମାଙ୍କନ

ଭୁବନେଶ୍ୱର/ବ୍ରହ୍ମପୁର,୧ଠା୬(ବୁ୍ୟରୋ): ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ଏଥିପାଇଁ ୧୩ ତାରିଖରେ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ହେବ । ଏହା ପୂର୍ବରୁ ଶୁକ୍ରବାର ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ନିକଟରେ ବିଜେଡିର ବରିଷ୍ଠ ବିଧାୟକ ବିକ୍ରମ କେଶରୀ ଆରୁଖ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ସମୟରେ ତାଙ୍କ ସହ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୁଶାନ୍ତ କୁମାର ରାଉତ, ଭୂପିନ୍ଦର ସିଂହ ଏବଂ ରାଜେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନାମାଙ୍କନ ଦାଖଲ କରି ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ଆରୁଖ କହିଛନ୍ତି, ଓଡିଶା ବିଧାନସଭାର ବାଚସ୍ପତି ନିର୍ବାଚନ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାଁ ପ୍ରସ୍ତାବ ଦେଇଥିବାରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି । ଏଥିସହ ସମସ୍ତ ମନ୍ତ୍ରୀ ଓ ବିଧାୟକଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇବା ସହ ବିଧାନସଭାର ଗରିମା ଓ ପରମ୍ପରା ରକ୍ଷା ଲାଗି ଉଦ୍ୟମ କରିବେ ବୋଲି ଆରୁଖ କହିଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଅସୁସ୍ଥ ହେବାପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଏହାପରେ ବାଚସ୍ପତି ପଦ ଖାଲିପଡ଼ିଛି । ପୂର୍ବତନ ମନ୍ତ୍ରୀ ତଥା ଭଞ୍ଜନଗର ବିଧାୟକ ବିକ୍ରମ ଆରୁଖ ବାଚସ୍ପତି ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ତେବେ ନାମାଙ୍କନ ଦାଖଲ ପରେ ଏଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ଶ୍ରୀ ଆରୁଖ ବାଚସ୍ପତି ହେବାପରେ ଆସନ୍ତା ଜୁଲାଇରେ ହେବାକୁ ଥିବା ମୌସୁମୀ ଅଧିବେଶନରେ ପ୍ରଥମ କରି ଗୃହ ପରିଚାଳନା କରିବେ । ତେବେ ବିକ୍ରମ ଆରୁଖ ବାଚସ୍ପତି ହେବା ପରେ ପଞ୍ଚମଥର ପାଇଁ ଏହି ପଦ ଗଞ୍ଜାମ ଜିଲ୍ଲାକୁ ମିଳିବ । ତାଙ୍କ ପୂର୍ବରୁ ୧୯୬୧ରୁ ୧୯୬୭ ପର୍ଯ୍ୟନ୍ତ ଲିଙ୍ଗରାଜ ପାଣିଗ୍ରାହୀ, ୧୯୮୦ରୁ ୧୯୮୪ ସୋମନାଥ ରଥ, ୧୯୯୬ରୁ ୨୦୦୦ ଚିନ୍ତାମଣି ଦ୍ୟାନସାମନ୍ତରାୟ ଓ ୨୦୧୯ରୁ ୨୦୨୨ ପର୍ଯ୍ୟନ୍ତ ସୂର୍ଯ୍ୟନାରାୟଣ ପାତ୍ର ବାଚସ୍ପତି ଥିଲେ । ଭଞ୍ଜନଗର ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ବିଧାୟକ ଭାବେ ଶ୍ରୀ ଆରୁଖ ବାଚସ୍ପତି ହେବେ । ପ୍ରଥମେ ସୋମନାଥ ରଥ ଉକ୍ତ ନିର୍ବାଚନ ମଣ୍ଡଳୀରୁ ବାଚସ୍ପତି ହୋଇଥିଲେ । ଶ୍ରୀ ଆରୁଖ ବାଚସ୍ପତି ହେବା ଖବର ପ୍ରଚାରିତ ହେବା ପରେ ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ତଥା ଗଞ୍ଜାମ ଜିଲ୍ଲାରେ ଖୁସିର ଲହରି ଖେଳିଯାଇଛି । ଓଡ଼ିଶା ରାଜନୀତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବେଶ୍ ଚର୍ଚ୍ଚିତ । ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ୫ଥର ହିଞ୍ଜିଳିରୁ ନିର୍ବାଚିତ ହୋଇ ଆସୁଛନ୍ତି । ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ବାଚସ୍ପତି, ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଓ ଶ୍ରମ ମନ୍ତ୍ରୀ ଏହି ଜିଲ୍ଲାର । ଗଞ୍ଜାମ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ସର୍ବଦା ସୁଦୃଷ୍ଟି ଥିବାରୁ ଜିିଲ୍ଲାରେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟ ଦ୍ରୁତ ଗତିରେ ଚାଲୁ ରହିଛି । ତେଣୁ ଜିଲ୍ଲାବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *