ଭୁବନେଶ୍ୱରରେ ପହଞ୍ଚିଲେ ଭାରତ-ଦ. ଆଫ୍ରିକା ଟିମ୍

ବାରବାଟୀ ଟି-୨୦
ଭୁବନେଶ୍ୱର, ୧୦ା୬ (ବୁ୍ୟରୋ): ଆସନ୍ତା ୧୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍ରେ ହେବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ ପାଇଁ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି । ଅପରାହ୍ଣ ୨ଟା ବେଳେ ଦୁଇ ଦେଶର ଟିମ୍ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ହୋଟେଲ୍ ମେ’ ଫେୟାର୍କୁ ନିଆଯାଇଥିଲା । ଶନିବାର ଦୁଇ ଟିମ୍ର ଖେଳାଳିମାନେ ବାରବାଟୀରେ ନେଟ୍ ପ୍ରାକ୍ଟିସ୍ କରିବେ ।
ଖେଳାଳିମାନଙ୍କ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍ର ଖେଳାଳି ଓ ସପୋର୍ଟ ଷ୍ଟାଫ୍ ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିବା ପରେ ବିମାନବନ୍ଦରରେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ର କର୍ମକର୍ତ୍ତାମାନେ ସେମାନଙ୍କୁ ସ୍ୱାଗତ କରିଥିଲେ । ସେମାନଙ୍କୁ ତିନିଟି ବସ୍ରେ ହୋଟେଲ୍ ମେ’ ଫେୟାର୍ ଅଭିମୁଖେ ନିଆଯାଇଥିଲା । ଏଥିପାଇଁ ପୂରା ରୁଟ୍ରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।
ଖେଳାଳିମାନଙ୍କୁ ଦେଖିବା ପାଇଁ ବିମାନବନ୍ଦରରୁ ଆରମ୍ଭ କରି ହୋଟେଲ୍ ଯାଏଁ ସ୍ଥାନେ ସ୍ଥାନେ ରାସ୍ତାର ଦୁଇ ପାଶ୍ୱର୍ରେ ବହୁ ସଂଖ୍ୟାରେ କ୍ରିକେଟ୍ପ୍ରେମୀ ଛିଡ଼ା ହୋଇ ଖେଳାଳିମାନଙ୍କୁ ସ୍ୱାଗତ କରିଥିଲେ । ବସ୍ ଭିତରେ ଥିବା ଖେଳାଳିମାନେ ମଧ୍ୟ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ ।
ହୋଟେଲ୍ରେ ପହଞ୍ଚିବା ପରେ ସମସ୍ତଙ୍କୁ ପାରମ୍ପରିକ ରୀତିନୀତିରେ ସ୍ୱାଗତ କରାଯାଇଥିଲା । ହୋଟେଲ୍ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମସ୍ତଙ୍କୁ ପାଛୋଟି ନେଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ରେ ଆୟୋଜକ ଟିମ୍ ବଡ଼ ସ୍କୋର୍ ଛିଡ଼ା କରିବା ସତ୍ତ୍ୱେ ପରାଜିତ ହୋଇଥିଲା । ବାରବାଟୀରେ ଭାରତୀୟ ଟିମ୍ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *