ଶପଥ ନେଲେ ଜଷ୍ଟିସ୍ ଶୁଭାଶିଷ ଓ ଜଷ୍ଟିସ୍ ସଞ୍ଜୟ
କଟକ, ୧ଠ ।୬ (ବୁ୍ୟରୋ): ଜଷ୍ଟିସ ଶୁଭାଶିଷ ତାଳପାତ୍ର ଓ ଆଇନଜୀବୀ ସଞ୍ଜୟ କୁମାର ମିଶ୍ର ଆଜି ଓଡ଼ିଶା ହାଇକୋର୍ଟ ନୂତନ ବିଚାରପତି ଭାବେ ଶପଥ ନେଇଛନ୍ତି । ହାଇକୋର୍ଟର ପୁରୁଣା କୋଠାର ନୂତନ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍ ମୁରଲୀଧର ଏହି ଦୁଇ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ପ୍ରଥମେ ରାଜ୍ୟ ସରକାରଙ୍କ ଘରୋଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା ଏହି ଦୁଇ ନୂତନ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ ଆଦେଶନାମା ପାଠ କରିବା ପରେ ବିଚାରପତି ଦ୍ୱୟ ଶପଥ ଗ୍ରହଣ କରିଥିଲେ । ଏହି ଶପଥ ଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ସମେତ ଓଡ଼ିଶା ରାଜ୍ୟ ବାର୍ କାଉନସିଲ ଓ ହାଇକୋର୍ଟ ବାର ଆସୋସିଏସନର କର୍ମକର୍ତ୍ତା, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଆର ବାଲକୃଷ୍ଣ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଡିସିପି ପିନାକ ମିଶ୍ର, ବରିଷ୍ଠ ଆଇନଜୀବୀ ସମେତ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ । ଏହି ଦୁଇ ବିଚାରପତି ଓଡ଼ିଶା ହାଇକୋର୍ଟରେ ଯୋଗଦେବା ପରେ ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ଜଷ୍ଟିସ ଶୁଭାଶିଷ ତାଳପାତ୍ର ୧୯୬୧ ମସିହା ଅକ୍ଟୋବର ୪ ତାରିଖରେ ତ୍ରିପୁରା ଉଦୟପୁରରେ ଜନ୍ମଗ୍ରହଣ କରିଥିଲେ । କଲିକତା ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ ଆଇନରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ୧୯୯୦ ସେପ୍ଟେମ୍ବର ୧୨ ତାରିଖରେ ଆଇନଜୀବୀ ଭାବେ ବାର କାଉନସିଲରେ ନାମ ପଞ୍ଜିକରଣ କରିଥିଲେ । ସେ ଗୌହାଟି ହାଇକୋର୍ଟଙ୍କ ଅଗ୍ରତାଲା ବେଞ୍ଚରେ ବିଶେଷ ଭାବେ ପ୍ରାକ୍ଟିସ କରୁଥିଲେ । ୨୦୦୪ ମସିହା ଡିସେମ୍ବର ୨୧ ତାରିଖରେ ବରିଷ୍ଠ ଆଇନଜୀବୀ ଭାବେ ବିବେଚିତ ହୋଇଥିଲେ । ୨୦୧୧ ମସିହା ନଭେମ୍ବର ୧୫ ତାରିଖରେ ସେ ଗୌହାଟୀ ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ସେ ଶପଥ ଗ୍ରହଣ କରିଥିଲେ । ଏହାପରେ ସେ ତ୍ରିପୁରା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ୨୦୧୩ ସେପ୍ଟେମ୍ବର ୧୩ ତାରିଖରେ ଶପଥ ଗ୍ରହଣ କରିଥିଲେ । ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଅର୍ଥାତ କିଛିଦିନ ପାଇଁ ତ୍ରିପୁରା ହାଇକୋର୍ଟରେ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ । ଏହାପରେ ତାଙ୍କୁ ଓଡ଼ିଶା ହାଇକୋର୍ଟକୁ ବିଚାରପତି ଭାବେ ବଦଳି କରାଯାଇଛି । ସେହିପରି ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିବାବେଳେ ତାଙ୍କ ପୈତୃକ ଘର ଢେଙ୍କାନାଳ ଜିଲ୍ଲା ମୁକ୍ତାଦେଇପୁର ଗ୍ରାମରେ । ଇଂ ବିଭୂତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କ ସେ ପୁଅ । ତାଳଚେର ଥାର୍ମଲ ହାଇସ୍କୁଲରୁ ୧୯୮୩ରେ ମାଟ୍ରିକ, ୧୯୮୭ରେ ଅନୁଗୁଳ କଲେଜରୁ ବିକମ୍ ପାସ୍ କରିବା ପରେ ୧୯୯୦ ରେ ମଧୁସୂଦନ ଆଇନ କଲେଜରୁ ଏଲଏଲବି ପାସ କରିଥିଲେ । ଜଷ୍ଟିସ ସଞ୍ଜୟ କୁମାର ମିଶ୍ର ୧୯୯୦ରେ ଆଇନଜୀବୀ ଭାବେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦରେ ପଞ୍ଜିକରଣ କରିଥିଲେ । ସାମ୍ବିଧାନିକ, ଶ୍ରମ, ଶିଳ୍ପ, ଚାକିରି ଆଦି ମାମଲା ପରିଚାଳନାରେ ତାଙ୍କର ବିଶେଷ ଦକ୍ଷତା ରହିଥିଲା । ସେ ହାଇକୋର୍ଟରେ ବହୁ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରି ଜଣେ ଦକ୍ଷ ଆଇନଜୀବୀ ଭାବେ ସୁନାମ ଅର୍ଜନ କରିପାରିଥିଲେ । ସୂଚନାଯୋଗ୍ୟ, ଗତ ମାସ ୨୭ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ବିଭିନ୍ନ ହାଇକୋର୍ଟର ବିଚାରପତିଙ୍କ ବଳଦି ସଂକ୍ରାନ୍ତ ଏକ ବିଜ୍ଞପ୍ତି ଜାରି କରାଯାଇଥିଲା । ଏଥିରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ କଲିକତା ହାଇକୋର୍ଟକୁ ବଦଳି କରାଯାଇଥିଲା ବେଳେ ତ୍ରିପୁରା ହାଇକୋର୍ଟର ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପାତ୍ରଙ୍କୁ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତ କରାଯାଇଛି । ସେହିଭଳି ଭାବେ ୨୦୨୨ ଜାନୁଆରି ୨୯ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ସଞ୍ଜୟ କୁମାର ମିଶ୍ରଙ୍କୁ ସୁପାରିସ କରାଯାଇଥିଲେ । ହେଲେ ପରବର୍ତ୍ତୀ ସମୟରେ ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।